‍ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

ନିଜ ପାଖରେ ଏହି ସବୁ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Saturday, 15 June 2024
  • , Updated: 15 June 2024, 08:37 PM IST

ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ‍ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସରକାରିଆ କମିଶନର ପ୍ରାବଧାନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୨ଜଣ(ବିଧାନସଭା ସଦସ୍ୟଙ୍କ ୧୫ପ୍ରତିଶତ) ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ବିଜେପି ନିଜର ମନ୍ତ୍ରିମଣ୍ଡଳର ସଂଖ୍ୟାକୁ ୧୬ଜଣଙ୍କ ମଧ୍ୟରେ ସୀମିତ ରଖିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ୬ଟି ବିଭାଗକୁ ନିକଟ ଭବିଷ୍ୟତରେ ଆଉ କିଛି ମନ୍ତ୍ରୀଙ୍କୁ ସାମିଲ କରି ଅନ୍ୟ କାହାକୁ ଆବଣ୍ଟନ କରାଯାଇପାରେ ବୋଲି ଜଣାପଡ଼ିଛି ।

ରାଜଭବନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ରଘୁବର ଦାସ ଆଜି ନିଜ କ୍ଷମତାର ଉପଯୋଗ କରି ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ସହ କାହାରିକୁ ଆବଣ୍ଟିତ ହୋଇନଥିବା ବିଭାଗକୁ ନିଜ ପାଖରେ ରଖିଛନ୍ତି । 

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ସହ ଶକ୍ତି ବିଭାଗ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ମିଳିଛି ।

୮ କ୍ୟାବିନେଟ୍ ଓ ୫ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)ଙ୍କୁ କେଉଁ ବିଭାଗ ମିଳିଛି, ନିମ୍ନରେ ପଢ଼ି ନିଅନ୍ତୁ।

କ୍ୟାବିନେଟ୍ ମନ୍ତ୍ରୀ

  • ସୁରେଶ ପୂଜାରୀ- ରାଜସ୍ୱ ଓ ବିପର୍ଯ୍ୟୟ
  • ରବିନାରାୟଣ ନାଏକ - ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ
  • ନିତ୍ୟାନନ୍ଦ ଗଣ୍ଡ- ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି-ଜନଜାତି-ସଂଖ୍ୟାଲଘୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
  • କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ପୃଥ୍ୱୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ ଓ ଅବକାରୀ
  • ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି
  • ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
  • କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)

  • ଗଣେଶରାମ ସିଂ ଖୁଣ୍ଟିଆ- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
  • ସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ପ୍ରଦୀପ ବଳ ସାମନ୍ତ- ସମବାୟ, ହସ୍ତତନ୍ତ-ବୟନଶିଳ୍ପ ଓ ହସ୍ତଶିଳ୍ପ
  • ଗୋଲକଚନ୍ଦ୍ର ମଲ୍ଲିକ- ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଏମଏସଏମଇ
  • ସମ୍ପଦ ଚନ୍ଦ୍ର ସ୍ୱାଇଁ - ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

 

 

Related story