Advertisment

Directionless BJD ଦିଶାହୀନ ବିଜେଡି ନେତୃତ୍ୱ: ମାଲକାନଗିରିରୁ ମହାନଦୀ ଯାଏଁ ‘ଆତ୍ମସମର୍ପଣ’ ନୀତି

ଯଦିଓ ମହାନଦୀକୁ ନେଇ ବିଜେଡି କାହିଁକି ଏଭଳି ୟୁଟର୍ଣ୍ଣ ନେଇ ଆତ୍ମସମର୍ପଣ କଲା ତାହା ଜଣାପଡ଼ିନି । ତେବେ ମୁଖ୍ୟମନ୍ତ୍ରୀସ୍ତରୀୟ ପ୍ରସ୍ତାବିତ ବୈଠକ ବାତିଲ ହେଲା କି, ଟ୍ରିବ୍ୟୁନାଲରେ ଚାଲିଥିବା ମାମଲା ଉପରେ କ’ଣ ପ୍ରଭାବ ପଡ଼ିବ ସେନେଇ ବି ପ୍ରଶ୍ନ କରିବାର ସାହାସ ଜୁଟାଇପାରିନି ବିଜେଡି

author-image
Prakash Sethi
Mahanadi-BJD

ରାଜ୍ୟ ରାଜନୀତିରେ ଦୀର୍ଘ ୨୪ବର୍ଷ ଧରି ଏକଚାଟିଆ ପତିଆରା ବିସ୍ତାର କରିଥିବା ବିଜେଡି ଏବେ ଦିଶାହୀନ । ରାଜ୍ୟରେ ଏକାଧିକ ସମ୍ବେଦନଶୀଳ ଘଟଣାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରହସ୍ୟଜନକ ନିରବତା ଓ ସଂଗଠନର ଦିଶାହୀନ ଗତିବିଧିକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଲକାନଗିରିରେ ଜଳୁଥିବା ନିଆଁଠୁ ଆରମ୍ଭ କରି ମହାନଦୀ ଜଳବିବାଦ ଓ ଶିକ୍ଷକଙ୍କ ରାଜରାସ୍ତାରେ ଆନ୍ଦୋଳନ  ପର୍ଯ୍ୟନ୍ତ ପ୍ରତିଟି ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢ଼ିବା ପରିବର୍ତ୍ତେ ବିଜେଡି ଏବେ ‘ଆତ୍ମସମର୍ପଣ ନୀତି ଆପଣାଇଛି । ଏପରିକି ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାପରଠୁ ଯେଉଁ ୫ଥର ବିଧାନସଭାର ଅଧିବେଶନ ବସିଲାଣି, ପ୍ରଥମଥର ପାଇଁ ବିଜେଡିକୁ ଏଭଳି ଆତ୍ମସର୍ମପଣ ମୁଦ୍ରାରେ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି ।

Advertisment


ମାଲକାନଗିରି ହିଂସା: ବିଧାନସଭାରେ ମୌନ, ଏବେ ନିଦ ଭାଙ୍ଗିଲା


ବିଧାନସଭା ଶୀତ ଅଧିବେଶନ ଚାଲିଥିବାବେଳେ ଆଦିବାସୀ ମହିଳା ଲକି ପଡ଼ିଆମୀଙ୍କ ମୁଣ୍ଡବିହୀନ ଶବ ଜବତ ହେଲା । ଯାହାକୁ ନେଇ ମାଲକାନଗିରିରେ ଆଦିବାସୀ ଓ ବଙ୍ଗାଳୀ ସମୁଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେଲା । ପୁଲିସର ଉପସ୍ଥିତିରେ ୫ହଜାରରୁ ଅଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏମଭି-୨୬ ଗାଁରେ ତାଣ୍ଡବ ରଚିଲେ । ପ୍ରାୟ ୧୫୦ରୁ ଅଧିକ ଘରେ ଭଙ୍ଗାରୁଜା ଓ ଜଳାପୋଡ଼ା କଲେ । ବର୍ଷ ବର୍ଷ ଧରି ସେଠାରେ ଥଇଥାନ କରାଯାଇଥିବା ବଙ୍ଗାଳୀ ସମୁଦାୟର ଲୋକେ ଭୀତତ୍ରସ୍ତ ହୋଇ ରହିଲେ । ପୁଲିସର ଉପସ୍ଥିତିରେ ଲୋକେ ଆଇନକୁ ହାତକୁ ନେଲେ ଓ ଏସବୁ ଘଟଣା ଘଟିଲା । ମାତ୍ର ବିଧାନସଭାରେ ବିଜେଡି ‘ଆତ୍ମସମର୍ପଣ’ ମୁଦ୍ରାରେ ରହିଲା ।  ବିଜେଡି ପକ୍ଷରୁ ପ୍ରତାପ କେଶରୀ ଦେବ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗ ଉଠାଇ ଗୃହବିବରଣୀରେ ଘଟଣାକୁ କେବଳ ରେକର୍ଡ କରାଇବା ଭଳି ଆଭିମୁଖ୍ୟ ପୋଷଣ କଲେ । ଏଭଳି ସମ୍ବେଦନଶୀଳ ଘଟଣାରେ ସରକାରଙ୍କୁ ଘେରିବାରେ କିମ୍ବା ଚାପ ସୃଷ୍ଟି କରିବାରେ ପ୍ରମୁଖ ବିରୋଧୀ ଦଳ ବିଜେଡି ସକ୍ଷମ ହେଲାନି । 


ଏପରିକି ବିରୋଧୀ ଦଳ ନେତା ହୋଇ ମଧ୍ୟ ନବୀନ ବି ନିରବ ରହିଲେ । ବିଭିନ୍ନ ପ୍ରସଙ୍ଗରେ ସୋସିଆଲ ମିଡିଆରେ ନିୟମିତ ସକ୍ରିୟ ରହୁଥିବା ନବୀନ, ମାଲକାନଗିରି ପ୍ରସଙ୍ଗରେ ପଦୁଟିଏ ବି କହିଲେ ନାହିଁ । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଡିସେମ୍ବର ୧୧ତାରିଖରେ ମାଲକାନଗିରି ଗସ୍ତ କରି ସେଠାରେ ଶାନ୍ତିପୂର୍ଣ୍ଣ ସହବସ୍ଥାନ ପାଇଁ ଉଭୟ ପକ୍ଷ ସହ ଆଲୋଚନା କରି ଫେରିବା ପରେ ବିଜେଡିର ନିଦ ଭାଙ୍ଗିଲା । ଦଳ ଓ ସୁପ୍ରିମୋଙ୍କ ଆଭିମୁଖ୍ୟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଲୋକଦେଖାଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ପାଇଁ ଦଳ ଘୋଷଣା କଲା । ଶାନ୍ତ ପଡ଼ୁଥିବା ଅଂଚଳରେ ନିଜର ରାଜନୀତିକୁ ବଂଚାଇ ରଖିବା ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ୭ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଥିବା ଚର୍ଚ୍ଚା ହେଉଛି । 

Advertisment


ସୂତ୍ର ଅନୁସାରେ, ଏଥର ବିଧାନସଭାରେ ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ନବୀନ ନିବାସରୁ କୌଣସି ନିର୍ଦ୍ଦେଶ ଆସିନଥିଲା । ଯେଉଁଥିପାଇଁ ଦଳର ବରିଷ୍ଠ ନେତାମାନେ ସରକାରଙ୍କୁ ଅସନ୍ତୁଷ୍ଟ ନକରି ଆତ୍ମରକ୍ଷା ମୁଦ୍ରାରେ ରହିଥିଲେ ବୋଲି ବିଜେଡି ବିଧାୟକ ମହଲରେ ଚର୍ଚ୍ଚା ହେଉଛି ।

ଏପରିକି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଯେଉଁ କୋର କମିଟି ରହିଛି ତାହା ଦନ୍ତହୀନ ଓ ପ୍ରଭାବହୀନ ଭଳି କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏହି କମିଟି ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବାବେଳେ ବିଜେଡି ରାଜନୀତିକ ବ୍ୟାପାର କମିଟି(ପିଏସି) ମଧ୍ୟ ଦଳର ନୀତି ନିର୍ଦ୍ଧାରଣ କରିବାରେ ସକ୍ଷମ ହେଉନଥିବା ସୂଚନା ମିଳିଛି ।


ମହାନଦୀ ଲଢ଼େଇରୁ ଓହରିଗଲା କି ବିଜେଡି?


ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଏବେ ସାଧାରଣରେ ସନ୍ଦେହ ବଢ଼ାଇଛି । ଗତ ୧୦-୧୨ବର୍ଷ ଧରି ‘ମହାନଦୀ’କୁ ନିଜର ରାଜନୀତିକ ଓ ସାମାଜିକ ଆନ୍ଦୋଳନର ଅସ୍ତ୍ର ଭାବେ ଉପଯୋଗ କରି ଆସୁଥିବା ବିଜେଡି ଏବେ ସେଥିରୁ ଓହରି ଯିବା ଭଳି ସନ୍ଦେଶ ଦେଇଛି । ଡିସେମ୍ବର ୧୦ ତାରିଖରେ ମୋହନ ମାଝୀ ସରକାର ଉପମୁଖ୍ୟମନ୍ତ୍ରୀ କେଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ସରକାର ଏହାକୁ ସର୍ବଦଳୀୟ କମିଟି କହୁନଥିଲେ ମଧ୍ୟ ସେଥିରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବିଜେପିର ଜୟନାରାୟଣ ମିଶ୍ର ଓ କଂଗ୍ରେସର ସୋଫିଆ ଫିର୍ଦ୍ଦୋଷଙ୍କୁ ସାମିଲ କରି ଏଭଳି ସଙ୍କେତ ଦେଇଛନ୍ତି । ତେବେ ଏହି ୮ଜଣିଆ ଉଚ୍ଚସ୍ତରୀୟ କମିଟିରେ ଉପମୁଖ୍ୟମନ୍ତ୍ରୀ, ୩ଜଣ ମନ୍ତ୍ରୀ ଓ ସରକାରୀ ମୁଖ୍ୟ ସଚେତକ ରହିଥିବାରୁ ସରକାରଙ୍କ ଦବଦବା ରହିବା ଜଳଜଳ ଦିଶୁଛି ।


 ତଥାପି ବିଜେଡି ଏହି କମିଟିକୁ ନେଇ ଏପର୍ଯ୍ୟନ୍ତ କୌଣସି ବିରୋଧ କରିନାହିଁ କିମ୍ବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ମୁହଁ ଖୋଲିନାହାନ୍ତି । ଯଦିଓ ନବୀନ ନିଜେ ୨୦୨୫ ଜୁଲାଇ ମାସରେ ସର୍ବଦଳୀୟ କମିଟି ଗଠନ ପାଇଁ ଦାବି କରିଥିଲେ । ମହାନଦୀ ଜଳବିବାଦର ଆପୋଷ ସମାଧାନକୁ ନେଇ ଗତ ଜୁଲାଇ ୨୪ତାରିଖରେ ମୋହନ ସରକାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଉ ଏହାର ୨୪ଘଣ୍ଟା ମଧ୍ୟରେ ନବୀନ ନିଜ ସୋସିଆଲ ମିଡିଆ ମାଧ୍ୟମରେ କଡ଼ା ଆଭିମୁଖ୍ୟ ପୋଷଣ କରି କେଉଁ ଆଧାରରେ ସମାଧାନ ହେବ ସେଥିପାଇଁ ସର୍ବଦଳୀୟ କମିଟି ଗଠନ ଦାବି କରିଥିଲେ । ଆଉ ପ୍ରାୟ ୬ମାସ ପରେ ମୋହନ ସରକାର ଏଭଳି ଏକ କମିଟି ଗଠନ କଲେ ସତ କିନ୍ତୁ ସେଥିରେ କଂଗ୍ରେସ ଓ ବିଜେଡିର ଜଣେ ଲେଖାଏଁ ବିଧାୟକଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଦଳର ପ୍ରତିନିଧିତ୍ୱକୁ ସାମିଲ କଲେ ନାହିଁ । ଏପରିକି ଯେଉଁ ‘ମହାନଦୀ ବଂଚାଓ ଆନ୍ଦୋଳନ’ ବ୍ୟାନରରେ ବିଜେଡି ଓ କଂଗ୍ରେସ ସମେତ ୧୩ଟି ଦଳ ଏକଜୁଟ ହୋଇ ୨୦୧୮ ଡିସେମ୍ବର ମାସରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ,ସେହି ସଂଗଠନ ଓ କୌଣସି ଜଳ ବିଶେଷଜ୍ଞଙ୍କୁ ମଧ୍ୟ ସରକାର ଭରସାକୁ ନେଇନାହାନ୍ତି ।


 କେଭିଙ୍କ ନେତୃତ୍ୱରେ ଗଠିତ ୮ଜଣିଆ କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଓ ରାଜ୍ୟର ବୈଷୟିକ ତଥା ପ୍ରଶାସନିକସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ବିଗତ ୬ମାସ ମଧ୍ୟରେ ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସରକାରଙ୍କ ସହ ୨ଥର ମୁଖ୍ୟସଚିବସ୍ତରୀୟ ଓ ୬ଥର ଟେକନିକାଲ କମିଟିର ବୈଠକ ହୋଇସାରିଛି । 


ଯଦିଓ ମହାନଦୀକୁ ନେଇ ବିଜେଡି କାହିଁକି ଏଭଳି ୟୁଟର୍ଣ୍ଣ ନେଇ ଆତ୍ମସମର୍ପଣ କଲା ତାହା ଜଣାପଡ଼ିନି । ତେବେ ମହାନଦୀ ପ୍ରସଙ୍ଗରେ ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀସ୍ତରୀୟ ପ୍ରସ୍ତାବିତ ବୈଠକ ବାତିଲ ହେଲା କି, ଟ୍ରିବ୍ୟୁନାଲରେ ଚାଲିଥିବା ମାମଲା ଉପରେ ଏହି କମିଟିର ପ୍ରଭାବ କ’ଣ ପଡ଼ିବ, ଏସବୁ ପ୍ରଶ୍ନ ପଚାରିବା ବଦଳରେ ବିଜେଡି ପରୋକ୍ଷରେ କମିଟିରେ ସାମିଲ ହୋଇ ନିଜର ସମର୍ପଣ ଭାବ ପ୍ରଦର୍ଶନ କରିସାରିଛି ।


ଅବଶ୍ୟ ବିଜେଡି ଶାସନରେ ଥିବା ମହାନଦୀ ଜଳବିବାଦ ପ୍ରସଙ୍ଗରେ ସର୍ବଦଳୀୟ କମିଟି ଦାବିକୁ ବାଏଁବାଏଁ ଉଡ଼ାଇ ଦେଉଥିଲା । ଏବେ ବିଜେପି ସରକାର ଗଢ଼ିଥିବା କମିଟିରେ ବିଜେଡିକୁ ସାମିଲ କରି ‘ମାଷ୍ଟରଷ୍ଟ୍ରୋକ’ ଦେଇଛନ୍ତି । ବିଜେଡି ଏହି କମିଟିରେ ସାମିଲ ହୋଇସାରିଥିବାରୁ ‘ମହାନଦୀ’କୁ ନେଇ ରାଜରାସ୍ତାରେ ଆନ୍ଦୋଳନ ଉପରେ ମଧ୍ୟ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ଟାଣିଥିବା ଚର୍ଚ୍ଚା ହେଉଛି ।


ଅନ୍ୟପକ୍ଷରେ ମହାନଦୀ ବଂଚାଓ ଆନ୍ଦୋଳନର ଆବାହ ସୁଦର୍ଶନ ଦାସ ରାଜ୍ୟ ସରକାରଙ୍କ କମିଟିର ଗଠନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ୮ଜଣିଆ କମିଟିରେ ୬ଜଣ ହେଉଛନ୍ତି ସରକାରଙ୍କର ପ୍ରତିନିଧିତ୍ୱ କରୁଛନ୍ତି । ସରକାର ଗୋଟିଏପଟେ ବାରମ୍ବାର ସହମତିର କଥା କହୁଛନ୍ତି ଆଉ ଯେଉଁ କମିଟି କରିଛନ୍ତି ତାହା ଆମମାନଙ୍କୁ ସହମତି ଆଡ଼କୁ ନେବା ଭଳି ଲାଗୁନି । ତେଣୁ ମହାନଦୀକୁ ବଂଚାଇବା ଓ ସହମତି ଆଣିବାକୁ ହେଲେ ସରକାରଙ୍କୁ ଆହୁରି ବ୍ୟାପକ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।