/odisha-reporter/media/post_attachments/uploadimage/library/16_9/16_9_0/IMAGE_1752998287.jpg)
BJD Workers
ରାଜ୍ୟରେ ବିଜେଡିର ୨୪ବର୍ଷର ଶାସନର ଅପ୍ରତ୍ୟାଶିତ ଅନ୍ତ ପରଠୁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗତ ୧୬ତାରିଖରେ ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମରେ ଆହତ ହୋଇଥିବା ଦଳର ଯୁବ-ଛାତ୍ର ନେତାମାନଙ୍କୁ ଉପେକ୍ଷା କରାଯିବା ଓ ସେମାନଙ୍କୁ ସାମାନ୍ୟତମ ସମବେଦନା ଜଣାଇବା ପାଇଁ ଦଳ ଆଗ୍ରହ ନଦେଖାଇବା ଏବେ ଦଳୀୟ ନେତୃତ୍ୱଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘେରାଉ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଦଳୀୟ କର୍ମୀ ଓ ନେତା ଆହତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯିବା ସତ୍ତ୍ୱେ ସେମାନଙ୍କୁ ଆହତ ଅବସ୍ଥାରେ କଷ୍ଟ-ଯନ୍ତ୍ରଣା ଭୋଗିବା ପାଇଁ ଦଳ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ଛାଡ଼ି ଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯାହାକି ଦଳର ଆଗଧାଡ଼ିର ଯୋଦ୍ଧା, ପଂଚାୟତ-ବ୍ଲକ-ଜିଲ୍ଲା ସ୍ତରର କର୍ମୀମାନଙ୍କ ମନୋବଳକୁ ଆଘାତ ଦେବା ସହ ଭବିଷ୍ୟତରେ ଏଭଳି ଆନ୍ଦୋଳନରେ ଯୁବ-ଛାତ୍ରମାନଙ୍କ ସକ୍ରିୟ ସାମିଲକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି ।
ଆଗଧାଡ଼ିର ଆହତ ଦଳୀୟ ଯୋଦ୍ଧାଙ୍କୁ ଅଣଦେଖା
ବିଜେଡି ସୂତ୍ର ଅନୁସାରେ, ଲୋକସେବା ଭବନ ଘେରାଉ ସମୟରେ ଅନେକ ଯୁବ,ଛାତ୍ର ଓ ମହିଳା କର୍ମୀମାନେ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୫-୨୦ଜଣଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇ ରହିବାକୁ ପଡ଼ିଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ କେହି ବି ସେମାନଙ୍କୁ ସହାୟତା ତ ଦୂରର କଥା ସହାନୁଭୂତି ଜଣାଇବାକୁ ହସ୍ପିଟାଲ ଯିବାକୁ ମଧ୍ୟ ଉଚିତ୍ ମଣିନଥିବା ଜଣାପଡ଼ିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେବଳ ଗୋଟିଏ ଟ୍ୱିଟ୍ (ଅବଶ୍ୟ ତାଙ୍କ ଟିମ୍ କରୁଛି) କରିଦେଇ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଚୁପ୍ ହୋଇ ବସି ପଡ଼ିଛନ୍ତି । ଆଉ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ହସ୍ପିଟାଲ ଯାଇ ଦଳର ୩ଜଣ ନେତା ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼େଇ ଓ ସୁଲତା ଦେଓଙ୍କୁ ଭେଟି ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ପାଲଟିଲେ । କିନ୍ତୁ ଦଳର ପ୍ରକୃତ ଯୋଦ୍ଧା ଯେଉଁମାନେ କି ଆଗକୁ ଆସି ସଂଗଠନ ପାଇଁ ଲଢ଼େଇ କରୁଛନ୍ତି ସେହି ଆହତ ଯୁବ ଓ ଛାତ୍ର ନେତାମାନଙ୍କ ସ୍ୱାସ୍ଥ୍ୟବସ୍ଥା କିଭଳି ଅଛି, ସେମାନେ କେଉଁ ସ୍ଥାନରେ ଚିକିତ୍ସା ହେଲେ, ଖର୍ଚ୍ଚ କିଏ ବହନ କଲା ଏସବୁ କିଛି ମଧ୍ୟ ଦଳ ପକ୍ଷରୁ ଖୋଳତାଡ଼ କରାଗଲାନି । ଯଦିଓ ୧୬ତାରିଖ ଅପରାହ୍ନରେ ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦଳର ଉପସଭାପତି ପ୍ରତାପ ଜେନା ସ୍ପଷ୍ଟ କରିଥିଲେ ଯେ, ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଆମର ୧୦୦ରୁ ଅଧିକ ନେତା-କର୍ମୀମାନଙ୍କୁ ଆହତ ହୋଇଛନ୍ତି । ଦଳର ନେତ୍ରୀ ସୁଲତା ଦେଓ, ଦୁଇ ପୂର୍ବତନ ମନ୍ତ୍ରୀ ପ୍ରଣବପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ସମେତ ନୀଳମାଧବ ମହାନ୍ତି, ଛବି ମାହାଲି, ସଙ୍କେତ ରାୟ, ଅଭିଷେକ ବେହେରା ଓ ସଞ୍ଜିବ ପୃଷ୍ଟି ପ୍ରମୁଖ ସାମିଲ ଅଛନ୍ତି ବୋଲି କହିବା ସହ ଦୁଇ ପୂର୍ବତନ ମନ୍ତ୍ରୀ ଏବେ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।
“ଆମ ପାଇଁ କେହି ନାହିଁ, କାହାକୁ କରିବା ଭରସା”
୧୬ତାରିଖ ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମରେ ଆହତ ହୋଇଥିବା ଅଭିଯୋଗ କରି ଦଳର ୩ ନେତା ପ୍ରଣବପ୍ରକାଶ, ପ୍ରୀତିରଞ୍ଜନ ଓ ସୁଲତା ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ସାକ୍ଷାତ କରିବାକୁ ଦଳର ଆଗଧାଡ଼ିର ନେତା-କର୍ମୀମାନଙ୍କ ଭିଡ଼ ମଧ୍ୟ ଲାଗିଲା । ମାତ୍ର ଯେଉଁ ଯୁବ-ଛାତ୍ର କର୍ମୀମାନେ ଆହତ ହେଲେ ସେମାନଙ୍କ କଥା ବୁଝିବା ପାଇଁ କେହି ଆଗ୍ରହ ଦେଖାଇଲେ ନାହିଁ । ଏ ସମ୍ପର୍କରେ ନିଜର କ୍ଷୋଭ ବ୍ୟକ୍ତ କରି ବିଜେଡିର ଜଣେ ଯୁବ ନେତା ନିଜ ନାମଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ “ ଲୋକସେବା ଭବନ ଘେରାଉବେଳେ ମୋର ମୁଣ୍ଡ ଓ ହାତରେ ଆଘାତ ଲାଗିଛି । କ୍ୟାପିଟାଲ ହସ୍ପିଟାଲ ଯାଇ ଚିକିତ୍ସିତ ହେଲି । କେବଳ ମୁଁ ନୁହେଁ ଆମ ଦଳର ପ୍ରାୟ ୧୨-୧୫ଜଣ ନିଜସ୍ୱ ଉଦ୍ୟମରେ ଚିକିତ୍ସା କଲୁ । କିନ୍ତୁ ଆମ ଦଳର କେହି ବଡ଼ ନେତା ଆମମାନଙ୍କୁ ଦେଖିବାକୁ ଆସିଲେ ନାହିଁ । ପାଣ୍ଡିଆନ ଦମ୍ପତ୍ତି ତ ରାଜନୀତି କରୁନାହାନ୍ତି ବୋଲି କହୁଛନ୍ତି କିନ୍ତୁ ଆମ ଦଳର ୩ଜଣ ନେତାଙ୍କୁ ଭେଟିବାକୁ ଗଲେ । ଅଥଚ ଆମମାନଙ୍କ ସ୍ଥିତି କ’ଣ ଅଛି କେହି ଏପର୍ଯ୍ୟନ୍ତ ମଧ୍ୟ ପଚାରି ନାହାନ୍ତି । ଦଳ ସୁପ୍ରିମୋ ମଧ୍ୟ ଆମମାନଙ୍କ ମନୋବଳ ବଢ଼ାଇବାକୁ ଟ୍ୱିଟ୍ ଟିଏ ବି କଲେ ନାହିଁ । ଦଳ ମଧ୍ୟ ଗଣମାଧ୍ୟମକୁ ୪-୫ଜଣ ଆହତଙ୍କ ନାଁ କହି ଚୁପ୍ ବସିଗଲା । ଯଦି ଏଭଳି ସ୍ଥିତି ଲାଗି ରୁହେ, ତା’ହେଲେ ଦଳ ଉପରେ କିଏ ଭରସା କରିବ କୁହନ୍ତୁ?” ଏଠି ଗଣମାଧ୍ୟମରେ କହିଲେ କେବଳ ଦଳୀୟ ନେତୃତ୍ୱଙ୍କ ଆକ୍ରୋଶର ଶିକାର ହେବା ଛଡ଼ା ଅନ୍ୟ କିଛି ନାହିଁ ବୋଲି ସମ୍ପୃକ୍ତ ଆହତ ଯୁବନେତା କ୍ଷୋଭର ସହ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
