Advertisment

ଆୟୋଗଙ୍କ ନିର୍ଦ୍ଦେଶକୁ ବେଖାତିର: ପିଲାଙ୍କୁ ପ୍ରଚାରରେ ଲଗାଇଲେ ବିଜେଡି ସାଂସଦ

ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ରାଜ୍ୟ ସରକାରଙ୍କ ‘ଅନ୍ୱେଷା’ କାର୍ଯ୍ୟକ୍ରମର ଉପଦେଷ୍ଟା ଏଲିନା ଦାଶ(ରାଜ୍ୟ ସରକାରରେ ସଚିବ ପାହ୍ୟା) ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ପାଇଁ ପିଲାମାନଙ୍କୁ ଉପଯୋଗ କରିଥିବାର ଭିଡିଓକୁ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିଥିବା ଜଣାପଡ଼ିଛି ।

child in campaign

child in campaign

Advertisment

ଜାତିସଂଘ ଚୁକ୍ତିନାମା, ଜାତୀୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ କଡ଼ା ନିର୍ଦ୍ଦେଶକୁ ବେଖାତିର କରି କୋମଳମତି ପିଲାମାନଙ୍କୁ ରାଜନୀତିକ ପ୍ରଚାରରେ ବିଜେଡି ଉପଯୋଗ କରୁଛି । ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ରାଜ୍ୟ ସରକାରଙ୍କ ‘ଅନ୍ୱେଷା’ କାର୍ଯ୍ୟକ୍ରମର ଉପଦେଷ୍ଟା ଏଲିନା ଦାଶ(ରାଜ୍ୟ ସରକାରରେ ସଚିବ ପାହ୍ୟା) ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ପାଇଁ ପିଲାମାନଙ୍କୁ ଉପଯୋଗ କରିଥିବାର ଭିଡିଓକୁ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିଥିବା ଜଣାପଡ଼ିଛି । ରାଜନୀତିକ ପ୍ରଚାରପ୍ରସାର ସହ ଜଡ଼ିତ କାର୍ଯ୍ୟକ୍ରମରେ ୧୬ବର୍ଷରୁ କମ୍ ବୟସର ପିଲାମାନଙ୍କର ଫଟୋଚିତ୍ର ଓ ୧୪ବର୍ଷରୁ କମ୍ ବୟସର ପିଲାଙ୍କ ଭିଡିଓ କିମ୍ବା ଅଡ଼ିଓକୁ ସର୍ବସାଧାରଣରେ ପ୍ରସାର(ଏପରିକି ପିଲାମାନଙ୍କ ଅଭିଭାବକଙ୍କ ସମ୍ମତି ଥିଲେ ମଧ୍ୟ) କରିବା ଉପରେ କଟକଣା ରହିଥିବାବେଳେ ଶାସକ ବିଜେଡି ଏହାକୁ ନିୟମିତ ଭାବେ ଉଲ୍ଲଘଂନ କରଛି । ରାଜ୍ୟରେ ଶିଶୁ ସୁରକ୍ଷା ଅଧିକାର ଆୟୋଗ କିଭଳି ଏପରି ଖୋଲା ଉଲ୍ଲଘଂନ ପ୍ରତି ଆଖିବୁଜି ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ପିଲାମାନଙ୍କୁ ବିଭିନ୍ନ ଢଙ୍ଗରେ ରାଜନୀତିକ କାର୍ଯ୍ୟକ୍ରମରେ ପ୍ରଚାରପ୍ରସାରରେ ନିୟୋଜିତ କରାଯିବାକୁ ନେଇ ୨୦୦୯ ମସିହା ଓ ୨୦୧୯ ଏପ୍ରିଲ ମାସରେ ଜାତୀୟ ନିର୍ବାଚନ କମିଶନ ସମସ୍ତ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ତାଗିଦ୍ କରିଥିଲେ ଓ ଏଥିପାଇଁ ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ ବୋଲି କହିଥିଲେ । ସେହିପରି ୨୦୧୯ ଜାନୁୟାରୀ ମାସରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ବିଜେଡି ସମେତ ସବୁ ରାଜନୀତିକ ଦଳର ସଭାପତିଙ୍କୁ ଚିଠି ଲେଖି ଯେକୌଣସି ପ୍ରକାରର ରାଜନୀତିକ କାର୍ଯ୍ୟକ୍ରମ(ସ୍ଲୋଗାନ, ରାଲି, କ୍ୟାମ୍ପେନ, ନିର୍ବାଚନୀ ସଭା, ପୋଷ୍ଟର ବାଣ୍ଟିବା ଆଦି)ରେ ପିଲାମାନଙ୍କୁ ସାମିଲ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ । ଏହାସହିତ ପିଲାମାନଙ୍କ ଅଧିକାର ସଂକ୍ରାନ୍ତ ତଥ୍ୟକୁ ନିଜର ନିର୍ବାଚନୀ ଇସ୍ତାହାରରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଏପରିକି ଶିଶୁ ସୁରକ୍ଷାକୁ ନେଇ ଜାତିିସଂଘ ଚୁକ୍ତିନାମାର ଅନୁଚ୍ଛେଦ- ୩୬ ରେ ମଧ୍ୟ ସ୍ପଷ୍ଟ ଭାବେ ପିଲାମାନଙ୍କୁ ଯେକୌଣସି ପ୍ରକାରର ରାଜନୀତିକ କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରାଜ୍ୟ ସରକାରମାନଙ୍କୁ ରହିଛି ।

ଏହା ସତ୍ତ୍ୱେ ରାଜ୍ୟସଭା ସାଂସଦ ଭଳି ଗରିମାମୟ ପଦବୀରେ ଥାଇ ମଧ୍ୟ ବିଜେଡି ନେତ୍ରୀ ସୁଲତା ଦେଓ ଖୋଲାଖୋଲି ଭାବେ ପିଲାମାନଙ୍କୁ ରାଜନୀତିକ କାର୍ଯ୍ୟକ୍ରମରେ ଉପଯୋଗ କରିଥିବା ଦେଖିବାକୁ ମିଳିଛି । ଶ୍ରୀମତୀ ଦେଓ ନିଜ ସୋସିଆଲ ମିଡିଆରେ ଅପଲୋଡ୍ କରିଥିବା ଭିଡିଓରେ କିଛି ପିଲାମାନଙ୍କ ସହ ‘ନବୀନବାବୁ ଆମେ ତୁମ ଫ୍ୟାନ’ ଶୀର୍ଷକ ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଆଉ ସମ୍ପୃକ୍ତ ଭିଡିଓରେ ‘ନବୀନବାଦ’ର ଉଲ୍ଲେଖ ରହିଛି । କଟକଣା ସତ୍ତ୍ୱେ ଜଣେ ରାଜ୍ୟସଭା ସାଂସଦ କିଭଳି କୁନିକୁନି ପିଲାମାନଙ୍କୁ ନିଜର ରାଜନୀତିକ ପ୍ରଚାରପ୍ରସାର ପାଇଁ ଉପଯୋଗ କଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ରାଜ୍ୟ ବିଜେଡି ନେତୃତ୍ୱ କିଭଳି ଏସବୁ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଉଛନ୍ତି ତାହା ମଧ୍ୟ ସନ୍ଦେହଘେରରେ । ଆଇନ ପ୍ରଣୟନ ଦାୟିତ୍ୱରେ ଥିବା ରାଜ୍ୟସଭା ସାଂସଦ ଯଦି ଏଭଳି ନିଜେ ଖୋଲାଖୋଲି ଆଇନକୁ ଉଲ୍ଲଘଂନ କରିବେ ତା’ହେଲେ ସାଧାରଣ ଲୋକେ ଆଉ କାହାଠୁ କ’ଣ ଆଶା କରିବେ ବୋଲି ଚର୍ଚ୍ଚା ।

Advertisment

ସେହିପରି ଯୁବ ବିଜେଡି ମହାସଚିବ ନେତ୍ରୀ ଏଲିନା ଦାଶଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର କାର୍ଯ୍ୟକ୍ରମ ‘ଅନ୍ୱେଷା ଓ ଆକାଂକ୍ଷା’ର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ସେ ରାଜ୍ୟ ସରକାରଙ୍କ ସଚିବ ପାହ୍ୟାର ସୁବିଧାସୁଯୋଗ ପାଉଛନ୍ତି । ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିଜେଡିର ‘ଶଙ୍ଖ ମୋର ଗର୍ବ’ ଶୀର୍ଷକ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ଯେଉଁଥିରେ କୁନିକୁନି ପିଲାଙ୍କୁ ସେ ବିଜେଡି ପତାକା ଧରାଇ ‘ଶଙ୍ଖ ମୋର ଗର୍ବ’ ବୋଲି କହୁଥିବା ଦେଖିବାକୁ ମିଳିଛି ।

ଯେକୌଣସି ପ୍ରକାରର ରାଜନୀତିକ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସାମିଲ ଉପରେ କଟକଣା ଓ ନିର୍ଦ୍ଦେଶ  ଥିବା ସତ୍ତ୍ୱେ କାହିଁକି ଏହାକୁ ବିଜେଡି ନେତ୍ରୀମାନେ ପାଳନ କରୁନାହାନ୍ତି, ତଥା ସେମାନଙ୍କୁ ନିଜ ଦଳ ପକ୍ଷରୁ କାହିଁକି ଏସବୁ ନକରିବା ପାଇଁ ବାରଣ କରାଯାଉନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ରାଜ୍ୟରେ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଅଧ୍ୟକ୍ଷାଙ୍କୁ ମିଶାଇ ୪ଜଣିଆ ସଦସ୍ୟ ରହିଥିଲେ ମଧ୍ୟ ସେମାନେ ବି ଏସବୁ ପ୍ରତି କିଭଳି ଦୃଷ୍ଟି ଦେଉନାହାନ୍ତି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Odisha Government Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe