ଆଜିଠୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ; ବିକାଶର ରୋଡ୍ ମ୍ୟାପ୍ ନେଇ ହେବ ଆଲୋଚନା

ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର।

Mohan Majhi

  • Published: Friday, 27 September 2024
  • , Updated: 27 September 2024, 08:22 AM IST

ଆଜି ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର। ଆଜି ଓ କାଲି ଦୁଇ ଦିନ ଧରି ବସିବ ବୈଠକ।

ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ସମସ୍ତ ଏସପି ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବେ। ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର କ୍ରିୟାନ୍ୱୟନ ବାବଦରେ ବିସ୍ତୃତ ଆଲୋଚନା କରାଯିବ। ସାମଗ୍ରିକ ଭାବେ ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଧାଡ଼ିର ଶେଷରେ ଥିବା ବ୍ୟକ୍ତି ପାଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କେମିତି ପହଞ୍ଚିବ, ସେ ନେଇ ଅଧିକାରୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ସରକାର। ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର, ଏହି ମନ୍ତ୍ର ଜିଲ୍ଲାପାଳ ଓ ଏସପିଙ୍କ ପରେ ବ୍ଲକ ଅଧିକାରୀ ଓ ତହସିଲଦାର ମାନଙ୍କୁ ମଧ୍ୟ ଦିଆଯିବ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଲୋକସେବା ଭବନର କନଭେନସନ ସେଂଟରରେ ଆଜି  ସାଢ଼େ ୯ଟାରେ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହେବ । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେବା ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଜିଲ୍ଲାପାଳ ସମ୍ମିଳନୀ ଡାକିବା ସମ୍ପର୍କରେ ସମ୍ୟକ ସୂଚନା ଦେବେ । ୯ଟା ୪୦ମିନିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରର ପ୍ରାଥମିକତା ସମ୍ପର୍କରେ ପ୍ରାୟ ୨୦ମିନିଟ୍ ଧରି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇବେ ।

ତା’ପରେ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଏବଂ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ ଜାରି ରହିବ । ସାଢ଼େ ୧୦ଟାରୁ ୧୧ଟା ୧୫ମିନିଟ୍ ପର୍ଯ୍ୟନ୍ତ ଅଧିବେଶନରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା ଯୋଜନା’ର ସଫଳ କାର୍ଯ୍ୟାନ୍ୱୟନ ସଂକ୍ରାନ୍ତରେ ମହିଳା ଓ ଶିଶୁବିକାଶ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ପ୍ରମୁଖ ସଚିବଙ୍କ ସମେତ କଟକ ଓ କୋରାପୁଟ ଜିଲ୍ଲାପାଳ ନିଜର ମତ ରଖିବେ । ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଏହି ଅଧିବେଶନକୁ ପରିଚାଳନା କରିବେ ।

ସେହିପରି ୧୧ଟା ୧୫ରୁ ୧୨ଟା ପର୍ଯ୍ୟନ୍ତ ଅଧିବେଶନରେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ହେବ। ଏଥିରେ ଖାଦ୍ୟଯୋଗାଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବ, କୃଷି ନିର୍ଦ୍ଦେଶକ, ସମବାୟ ରେଜିଷ୍ଟ୍ରାରଙ୍କ ସମେତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ନିଜର ରିପୋର୍ଟ ଉପସ୍ଥାପନ କରିବେ । ଏହି ଅଧିବେଶନକୁ ପରିଚାଳନା କରିବେ ଓଡ଼ିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ।

ସେହିପରି ୧୨ଟାରୁ ୪୫ମିନିଟ୍ ଧରି ରାଜ୍ୟରେ ପିଏମ-ଜନମନ ଯୋଜନା ସମେତ ଆଦିବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଅନ୍ୟ ନୂଆ ଯୋଜନା(ମାଧୋ ସିଂ ହାତଖର୍ଚ୍ଚ ସମେତ) ଆଦିର କାର୍ଯ୍ୟକାରିତାକୁ ନେଇ ଆଲୋଚନା ହେବ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବଙ୍କ ସମେତ କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାପାଳ ନିଜର ମତ ରଖିବେ । ଏହି ଅଧିବେଶନକୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ୧୨ଟା ୪୫ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଅଧିବେଶନରେ ପିଏମଶ୍ରୀ ଯୋଜନାର ପ୍ରଶିକ୍ଷଣ, ନିପୁଣ ଓଡ଼ିଶାର କାର୍ଯ୍ୟକାରିତା, ଗୋଦାବରୀଶ ମଇଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାଗଦର୍ଶିକା ପାଇଁ ପରାମର୍ଶ ଆଦି ପ୍ରସଙ୍ଗରେ ଆଲୋଚନା ହେବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାପାଳ ଏଥିରେ ନିଜର ମତାମତ ରଖିବେ । ଏହି ଅଧିବେଶନକୁ ଓପେସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ମଧ୍ୟାହ୍ନଭୋଜନ ପରେ ସାଢ଼େ ୨ଟାରେ ଅପରାହ୍ନ ଅଧିବେଶନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଉଭୟ ଗ୍ରାମାଂଚଳ ଓ ସହରାଂଚଳ) ଏବଂ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ଆଲୋଚନା ହେବ । ଏଥିରେ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସମେତ ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲାପାଳ ନିଜର ମତ ରଖିବେ । ଏହି ୪୫ମିନିଟର ଅଧିବେଶନକୁ ପାନୀୟ ଜଳ ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ୩ଟା ୧୫ମିନିଟରେ ଶିଳ୍ପାଂଚଳ ବିକାଶ ପ୍ରସଙ୍ଗରେ ୪୫ମିନିଟ୍ ଧରି ଆଲୋଚନା ହେବ । ଏଥିରେ ‘ଇଜିଅଫ୍ ଡୁଇଙ୍ଗ ବିଜିନେସ ଓ ଉତ୍ତରଦାୟୀ ପ୍ରଶାସନ’ ପ୍ରସଙ୍ଗରେ ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାପାଳ ମତାମତ ରଖିବେ । ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଏହି ଅଧିବେଶନକୁ ପରିଚାଳନା କରିବେ ।

ଆସନ୍ତାକାଲିର ଶେଷ ଅଧିବେଶନ ୪ଟା ୧୫ମିନିଟରେ ଆରମ୍ଭ ହେବ ଓ ଏଥିରେ ଅଭିଯୋଗର ସମାଧାନ ଓ ସରକାରୀ ସେବା ପ୍ରଦାନ ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବଗତ କରାଇବେ । ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳମାନେ ଗ୍ରୁଫ୍ ଫଟୋ ଉଠାଇବେ ।

ରାତିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାପାଳମାନେ ରାତ୍ରିଭୋଜନ କରିବେ ।

ଦ୍ୱିତୀୟ ଦିନ ଅର୍ଥାତ୍ ୨୮ତାରିଖ ସକାଳ ସାଢ଼େ ୯ଟାରେ ଜିଲ୍ଲା ଏସପି ସମ୍ମିଳନୀ ଅନୁଷ୍ଠିତ ହେବ । ପୁଲିସ ଡିଜି ୱାଇବି ଖୁରାନିଆ ସ୍ୱାଗତ ଅଭିଭାଷଣ ରଖିବେ । ମୁଖ୍ୟ ସଚିବ ମନୋଜ ଆହୁଜା ସମ୍ମିଳନୀ ସମ୍ପର୍କରେ ସମ୍ୟକ ସୂଚନା ଦେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରାୟ ୨୫ମିନିଟ୍ ଧରି ଏସପିମାନଙ୍କୁ ଗୁରୁମନ୍ତ୍ର ଦେବେ ।

 

 

Related story