ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ) ତହବିଲକୁ ସମ୍ପୂର୍ଣ୍ଣ ଖାଲି କରିଦେଇଛନ୍ତି । ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ସେଥିରେ ମାତ୍ର ୧୩୦.୫୫କୋଟି ଟଙ୍କା ବଳକା ରହିଛି । ବାକି ୨୩୩୬୪.୯୬ କୋଟି ଟଙ୍କାକୁ ଅନୁଦାନ ଆକାରରେ ବାଣ୍ଟି ଦେଇଛନ୍ତି । ତେବେ ବଣ୍ଟାଯାଇଥିବା ଅନୁଦାନ ଅର୍ଥରୁ ମାତ୍ର ୧୩୬୭୩.୨୩କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ମାର୍ଚ୍ଚ ମାସରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ହର୍ଷ ଚୌହାନ ନିଜ ଟିମ୍ ସହ ଓଡ଼ିଶା ଗସ୍ତ କରି ସମୀକ୍ଷାବେଳେ ଡିଏମଏଫ ପାଣ୍ଠି ଅନ୍ୟତ୍ର ବିନିଯୋଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ମାସକ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସବୁଠୁ ବଡ଼କଥା ହେଲା କେବଳ ଜୁଲାଇ ମାସରେ ଡିଏମଏଫ ପାଣ୍ଠିରୁ ୮୮୪କୋଟି ଟଙ୍କାର ଅନୁଦାନକୁ ବିଭିନ୍ନ ପ୍ରକଳ୍ପ ଆକାରରେ ବଂଟନ ହୋଇଛି । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଡିଏମଏଫ ପାଣ୍ଠିର ତଦାରଖ ଓ ସମୀକ୍ଷା ବୈଠକ ପରେ ଏହି ତଥ୍ୟ ପଦାକୁ ଆସିଛି ।
ସୂଚନା ଅନୁସାରେ ଆଜି ଅପରାହ୍ନରେ ମୁଖ୍ୟ ସଚିବ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଡିଏମଏଫ କମିଟିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଗଠନ କରାଯାଇଛି । ୨୦୧୫ରୁ ଗତ ଜୁଲାଇ ୩୧ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲା ପାଇଁ କୋଇଲା ଓ ଲିଗ୍ନାଇଟ୍ ଏବଂ ଅନ୍ୟ ଲଘୁ ଖଣିଜ ପଦାର୍ଥ ଉତ୍ସରୁ ମୋଟ ୨୩,୪୯୫.୫୧କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ସେଥିରୁ ୨୩,୩୬୪.୯୬କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହି ଅନୁଦାନରୁ ମୋଟ ୧୩,୬୭୩.୨୩କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଖଣିଜସମ୍ପଦ ୮ଟି ଜିଲ୍ଲା ଅନୁଗୋଳ, ଯାଜପୁର, ଝାରସୁୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, କୋରାପୁଟ ଓ ରାୟଗଡ଼ାକୁ ସର୍ବାଧିକ ୨୩,୧୫୧.୯୮କୋଟି ଟଙ୍କାର ମୋଟ ୨୩୭୯୫ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଆଉ ଏହି ୮ଟି ଜିଲ୍ଲା ସେହି ମୋଟ ଆବଂଟିତ ଅନୁଦାନରୁ ୧୩,୫୩୬.୯୬କୋଟି ଟଙ୍କା(୫୮..୪୭%) ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ଡିଏମଏଫ ପାଣ୍ଠିରୁ ଏପର୍ଯ୍ୟନ୍ତ ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ ସହ ନଳକୂପ ଆଦି ବାବଦରେ ମୋଟ ୩୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଫାଇଭ-ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ , ସ୍ୱାସ୍ଥ୍ୟକେନ୍ଦ୍ର ରୂପାନ୍ତରଣ ଆଦି ସହ ୪୦୦ଟି ରାସ୍ତା ଓ ୧୫୩ଟି ସେତୁ ମଧ୍ୟ ଏହି ପାଣ୍ଠିରେ ନିର୍ମାଣ ହୋଇଛି । ଏସବୁ ବ୍ୟତୀତ ଜୀବିକା ନିର୍ବାହ, ଜଳସେଚନ, ମହିଳା, ଶିଶୁ, ବୟସ୍କ ଓ ଭିନ୍ନକ୍ଷମଙ୍କ କଲ୍ୟାଣ, ଜଳଛାୟା ପ୍ରକଳ୍ପ, ଜଳସେଚନ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ପରିମଳ, ବନୀକରଣ ଓ ଗୃହ ନିର୍ମାଣ ଆଦି ପାଇଁ ଏହି ଅନୁଦାନ ଦିଆଯାଇଛି । ଡିଏମଏଫ ପାଣ୍ଠି ଦ୍ୱାରା ଯେପରି ଖଣିଜ ଅଂଚଳର ଲୋକେ ଅଧିକ ଉପକୃତ ହେବେ ସେ ନେଇ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି ।
ଅନ୍ୟପକ୍ଷରେ ଚଳିତମାସରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦର୍ଶାଇଥିଲେ ଯେ, ୨୦୨୩ ଜୁନ୍ ମାସ ଶେଷ ସୁଦ୍ଧା ଓଡ଼ିଶାର ଡିଏମଏଫ ପାଣ୍ଠିକୁ ମୋଟ ୨୩୧୨୦କୋଟି ଟଙ୍କା ମିଳିଥିବାବେଳେ ସେଥିରୁ ୨୨୪୮୦କୋଟି ଟଙ୍କାର ଅନୁଦାନ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆଯାଇଛି । ତେବେ ଆଜି ମୁଖ୍ୟ ସଚିବଙ୍କ ସମୀକ୍ଷା ପରେ ଜଣାପଡ଼ିଛି ଯେ, କେବଳ ଜୁଲାଇ ମାସରେ ଏହି ଡିଏମଏଫକୁ ୩୭୫ କୋଟି ଟଙ୍କା ଆସିଥିବାବେଳେ ୮୮୪କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଆଉ ଏହି ପାଣ୍ଠିରେ ମାତ୍ର ୧୩୦.୫୫କୋଟି ଟଙ୍କା ବଳକା ରହିଛି ।
ରାଜ୍ୟର ଖଣି ଅଂଚଳରୁ ସଂଗୃହୀତ ହେଉଥିବା ଏହି ପାଣ୍ଠିକୁ ସରକାର ଖଣି ଅଂଚଳର ବିକାଶ ଦିଗରେ ଅତିରିକ୍ତ ସ୍ୱତନ୍ତ୍ର ଭାବେ ଖର୍ଚ୍ଚ ନକରି ନିଜ ବାର୍ଷିକ ବଜେଟରୁ ଯେଉଁ ଅର୍ଥ ଖର୍ଚ୍ଚ ହୋଇଥାନ୍ତା ଉକ୍ତ ପାଣ୍ଠିରୁ ଖର୍ଚ୍ଚ କରି ଦାୟିତ୍ୱ ତୁଲାଉଛନ୍ତି । ଉଦାହରଣସ୍ୱରୂପ ସ୍କୁଲଗୁଡ଼ିକର ଫାଇଭ-ଟି ରୂପାନ୍ତରଣ, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଫାଇଭ-ଟି ରୂପାନ୍ତରଣ ଆଦି ପାଇଁ ନିଜସ୍ୱ ବଜେଟରୁ ବ୍ୟୟବରାଦ ନକରି ଡିଏମଏଫ ପାଣ୍ଠିରୁ ଖର୍ଚ୍ଚ କରୁଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ୱାର ମନଇଚ୍ଛା ଡିଏମଏଫ ପାଣ୍ଠି ଖର୍ଚ୍ଚକୁ ନେଇ ଗତ ମାର୍ଚ୍ଚ ମାସରେ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ଟିମ୍ ଅସନ୍ତୋଷ ବ୍ୟକ୍ତ କରିବା ସହ ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଡିଏମଏଫ ପାଣ୍ଠି ମିଳୁଥିବା ଜିଲ୍ଲାଗୁଡ଼ିକରେ ଖଣି ଅଂଚଳ ଆଦିରେ ରହୁଥିବା ଆଦିବାସୀମାନଙ୍କ ବିକାଶ ଦିଗରେ ବ୍ୟାପକ ଭାବେ ଏହି ଅର୍ଥ ଖର୍ଚ୍ଚ ନକରି ଏହାକୁ କାହିଁକି ଅନ୍ୟତ୍ର ବିନିଯୋଗ କରାଯାଉଛି ବୋଲି ଜାତୀୟ ଅନୁସୂଚିତ ଜନଜାତି କମିଶନ ପ୍ରଶ୍ନ କରିଥିଲେ । ସେତେବେଳେ ରାଜ୍ୟ ସରକାରଙ୍କ ପାଖରେ ଏହାର ସନ୍ତୋଷଜନକ ଉତ୍ତର ନଥିଲା । ତେବେ ଏହି ପାଣ୍ଠିରେ ଏବେ ମାତ୍ର ୧୩୦କୋଟି ଟଙ୍କା ବଳକା ଥିବାରୁ ଶାସକ ବିଜେଡି ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ଏହି ପାଣ୍ଠି(ଡିଏମଏଫ)ରୁ ଆଖିବୁଜା ପ୍ରକଳ୍ପ ମଞ୍ଜୁରୀ ଲୋକଙ୍କ ବାହାବା ସାଉଁଟିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।