ସଚିବ-ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ: ସାର୍ବଜନୀନ ହେଉନି ତଥ୍ୟ, ପୋର୍ଟାଲ ବି ଖୋଲିଲେନି, ପୁଣି ଆସିଲା ସାନି ତାଲିକା

ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଜାନୁୟାରୀ ୩୧ତାରିଖରେ ବିଭିନ୍ନ ବିଭାଗର ସଚିବ ଓ କମିଶନର ପାହ୍ୟାର ମୋଟ ୩୦ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଚିଠି ଲେଖି ଆବଂଟିତ ଜିଲ୍ଲାକୁ ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨ଦିନର ଯୋଜନା ପ୍ରସ୍ତୁତ କରି ଦୁଇମାସରେ ଅତ୍ୟନ୍ତ ଥରେ ଗସ୍ତ କରି ଜିଲ୍ଲା ମୁଖ୍ୟାଳୟ ଅବା ସବଡିଭିଜନ ମୁଖ୍ୟାଳୟରେ ରାତି ବିତାଇବାକୁ ପରାମର୍ଶ ଦେଇଛନ୍ତି ।

Loka Seva Bhavan

ଲୋକସେବା ଭବନ

Ordigital Desk
  • Published: Tuesday, 04 February 2025
  • , Updated: 04 February 2025, 06:03 PM IST

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାପାଇଁ ନାନାଦି ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ସଚିବ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଆବଂଟିତ କରି ତୃଣମୂଳସ୍ତରରେ ବିକାଶମୂଳକ କାର୍ଯ୍ୟ, ଯୋଜନାର ସୁଫଳ ଓ ଲୋକଙ୍କ ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ପ୍ରୋତ୍ସାହିତ କରୁଛନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ଏହା କେତେ ସଫଳ ହେଉଛି, ସଚିବମାନେ ଜିଲ୍ଲାରେ ରାତି ବିତାଉଛନ୍ତି କି ନାହିଁ, ଜିଲ୍ଲା ଆବଂଟିତ ଦ୍ୱାରା ପ୍ରଶାସନିକସ୍ତରରେ କ’ଣ ସୁଫଳ ମିଳିଛି, ସର୍ବୋପରି ଏସବୁର ମୂଲ୍ୟାୟନ କିଏ ଓ କେଉଁସ୍ତରରେ କରୁଛି ତାହା ଏବେବି ଅସ୍ପଷ୍ଟ । ଯଦିଓ ଏକ ସ୍ୱତନ୍ତ୍ର ୱେବପୋର୍ଟାଲ ଖୋଲି ସେଥିରେ ଏସବୁ ତଥ୍ୟକୁ ସାର୍ବଜନୀନ କରିବାକୁ ରାଜ୍ୟ ସରକାର ଗତ ୨୦୨୪ ଅଗଷ୍ଟ ମାସର ସଚିବସ୍ତରୀୟ ବୈଠକରେ ନୀତିଗତ ନିଷ୍ପତ୍ତି ନେଇଥିଲେ, ମାତ୍ର ତାହା ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି । ଇତିମଧ୍ୟରେ ରାଜ୍ୟ ସରକାର ୩ଥର ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଜିଲ୍ଲା ଦାୟିତ୍ୱ(ସେପ୍ଟେମ୍ବର, ଅକ୍ଟୋବର-ନଭେମ୍ବର, ଡିସେମ୍ବର-ଜାନୁୟାରୀ) ଆବଂଟନ କରାଯାଇ ସାରିଲାଣି । ଚତୁର୍ଥ ଥର ପାଇଁ ଆଇଏଏସ୍ ଅଫିସରଙ୍କୁ ସାନି ଜିଲ୍ଲା ଆବଂଟନ ତାଲିକା ଏବେ ଜାରି ହୋଇଛି ।

ସୂଚନା ଅନୁସାରେ, ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଜାନୁୟାରୀ ୩୧ତାରିଖରେ ବିଭିନ୍ନ ବିଭାଗର ସଚିବ ଓ କମିଶନର ପାହ୍ୟାର ମୋଟ ୩୦ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଚିଠି ଲେଖି ଆବଂଟିତ ଜିଲ୍ଲାକୁ ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨ଦିନର ଯୋଜନା ପ୍ରସ୍ତୁତ କରି ଦୁଇମାସରେ ଅତ୍ୟନ୍ତ ଥରେ ଗସ୍ତ କରି ଜିଲ୍ଲା ମୁଖ୍ୟାଳୟ ଅବା ସବଡିଭିଜନ ମୁଖ୍ୟାଳୟରେ ରାତି ବିତାଇବାକୁ ପରାମର୍ଶ ଦେଇଛନ୍ତି । ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ୩୦ଟି ଜିଲ୍ଲା ଦାୟିତ୍ୱ ଏହି ଅଫିସରମାନଙ୍କୁ ନ୍ୟସ୍ତ ହୋଇଛି ।

ଏହି ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାର ଯେକୌଣସି ସ୍ଥାନକୁ ନିଜ ଇଚ୍ଛା ଅନୁସାରେ ପରିଦର୍ଶନରେ ଯାଇପାରିବେ । ତେବେ ଏଥିରେ ଅପହଂଚ ଓ ଆଦିବାସୀ ବହୁଳ ଅଂଚଳକୁ ସାମିଲ କରିବାକୁ କୁହାଯାଇଛି । ଗସ୍ତ ସମୟରେ ସେମାନେ ଯେକୌଣସି ଗୋଟିଏ ପଂଚାୟତକୁ ପରିଦର୍ଶନ କରି ସେଠାରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡ଼ିକ କିଭଳି ଉପଲବ୍ଧ ହେଉଛି ତାହା ତଦାରଖ କରିବେ । ଏହାସହିତ ଦିନକୁ ଅତିକମରେ ଗୋଟିଏ ଥର ଧାର୍ଯ୍ୟ ମୂଲ୍ୟଦେଇ ଆହାର କେନ୍ଦ୍ର, ଆବାସିକ ଛାତ୍ରାବାସ, ସ୍କୁଲ ମଧ୍ୟାହ୍ନଭୋଜନ ଅବା ଅନାଥ ଆଶ୍ରମରେ ଭୋଜନ କରି ଖାଦ୍ୟର ଗୁଣବତ୍ତା ଓ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ । ଏହି ସମୟରେ ସେମାନେ ଛାତ୍ରଛାତ୍ରୀ ଓ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେଠାରେ ଉପଲବ୍ଧ ସୁରକ୍ଷା, ସୁବିଧାସୁଯୋଗ ଓ ସେମାନଙ୍କ ପ୍ରତି କରାଯାଉଥିବା ଆଚରଣ ପଚାରି ବୁଝିବେ । କେବଳ ସେତିକି ନୁହେଁ ଜିଲ୍ଲା ଗସ୍ତବେଳେ ବିଭିନ୍ନ ବର୍ଗର ଲୋକ, ହସ୍ପିଟାଲରେ ଚିକିତ୍ସିତ ରୋଗୀ, ଅଙ୍ଗନୱାଡ଼ି ହିତାଧିକାରୀ, ସ୍କୁଲ ଓ ହଷ୍ଟେଲର ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ମତାମତ ଜାଣିବାକୁ ପ୍ରୟାସ କରିବେ ।

ଜିଲ୍ଲାକୁ ଗସ୍ତବେଳେ ସମ୍ପୃକ୍ତ ବରିଷ୍ଠ ଅଫିସରମାନେ ସରକାରଙ୍କ ୧୬ଟି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ସେଗୁଡ଼ିକର ସମୀକ୍ଷା କରିବାକୁ ମଧ୍ୟ କୁହାଯାଇଛି । ଗୋପବନ୍ଧୁ ଜନଆରୋଗ୍ୟ, ଆୟୁଷ୍ମାନ ଭାରତ, ସୁଭଦ୍ରା, ଅନ୍ତ୍ୟୋଦୟ ଗୃହଯୋଜନା, ପାଇପ୍ ଯୋଗେ ପାନୀୟ ଜଳହେଯାଗାଣ, ସେତୁ ବନ୍ଧନ ଯୋଜନା, ପଂଚସଖା ଶିକ୍ଷା ସେତୁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ,ପିଏମଶ୍ରୀ, ସ୍କୁଲରେ ସାକ୍ଷରତା ଭିତ୍ତିଭୂମି ଓ ସଂଖ୍ୟା ଗଣନା, ପୋଷଣ ଅଭିଯାନ, ଆଇସିଡିଏସ୍‌, ଆଦିବାସୀ ହଷ୍ଟେଲ(ଅନ୍ତେବାସୀଙ୍କ ସହ ଆଲୋଚନା), ସ୍ୱତନ୍ତ୍ର ଯୁବ ଉଦ୍ୟମୀ, ଅମୃତ ପ୍ରକଳ୍ପ, ସାଧାରଣ ବଂଟନ ବ୍ୟବସ୍ଥା, ଜାତୀୟ ସାମଜିକ ସହାୟତା କାର୍ଯ୍ୟକ୍ରମ, ମଧୁବାବୁ ପେନସନ୍ ଯୋଜନା, ଚାଷୀଙ୍କୁ ସୁଧ ରିହାତି, ଗ୍ରାମାଂଚଳ ବିଦ୍ୟୁତିକରଣ,ଗ୍ରାମାଂଚଳ ଶିଳ୍ପାୟନ ଓ ନିବେଶ, ବନ୍ଦର, ଜନଶୁଣାଣି ପୋର୍ଟାଲରେ ଜିଲ୍ଲାରେ ପଡ଼ି ରହିଥିବା ଅଭିଯୋଗ ଆଦିର ସମୀକ୍ଷା ପାଇଁ ଏହି ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି ।

କ୍ଷେତ୍ର ପରିଦର୍ଶନ କରି ଫେରିବା ପରେ ଏହି ବରିଷ୍ଠ ଆଇଏଏସ୍ ଅଫିସରମାନେ ଅତିକମରେ ଅଧାଦିନ ସମ୍ପୃକ୍ତ ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଅଧିକାରୀମାନଙ୍କ ସହ ସମୀକ୍ଷା କରି ନିଜେ କ୍ଷେତ୍ରରେ ଅନୁଧ୍ୟାନ କରିଥିବା ବିଷୟକୁ ଅବଗତ କରାଇବେ ଓ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ୧୬ଟି ଯୋଜନାର ସମୀକ୍ଷା ମଧ୍ୟ କରିବେ । ଏହି ସମୀକ୍ଷା କେବଳ ନିର୍ଦ୍ଦିଷ୍ଟ ଭାବେ ବନ୍ଦର, ବିମାନ ବନ୍ଦର, ଶିଳ୍ପ ପାର୍କ ଓ କରିଡର, ମେଡିକାଲ କଲେଜ, ବୃହତ୍ ଜଳସେଚନ ଆଦି ପ୍ରକଳ୍ପ ମଧ୍ୟରେ ସୀମିତ ନରଖି ଜିଲ୍ଲାକୁ ନିବେଶ ଅପେକ୍ଷାରେ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକର ସ୍ଥିତି ମଧ୍ୟ ପରଖିବେ ।  ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଜୁନିୟର ଅଫିସର(ଟ୍ରେନି ଆଇଏଏସଙ୍କ ସମେତ)ଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିବେ ।

ଏସବୁ ବ୍ୟତୀତ ୮ଟି ପ୍ରମୁଖ ଡିଏମଏଫ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଓମବାଡ଼ସି ପାଣ୍ଠିର ବିନିଯୋଗ ସହ ଏସବୁ ପାଣ୍ଠିରେ ଅନୁମୋଦିତ ପ୍ରକଳ୍ପର ଅଗ୍ରଗତିର ଯାଂଚ ଏବଂ ୨୯ଟି ଆକାଂକ୍ଷୀ ବ୍ଲକଗୁଡ଼ିକରେ ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ।

ଜିଲ୍ଲା ଗସ୍ତରୁ ଫେରିବା ପରେ ଏହି ଅଫିସରମାନେ ଗସ୍ତର ସାରାଂଶ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କୁ ଅବଗତ ପାଇ ପଠାଇବା ସହ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ସୂଚିତ କରିବେ ।

ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂଙ୍କୁ ଜଗତସିଂହପୁର ଜିଲ୍ଲା ଆବଂଟିତ ହୋଇଥିବାବେଳେ ସୁରେନ୍ଦ୍ର କୁମାର-ଯାଜପୁର, ଜି.ମାଥିଭାଥାନନ-ବଲାଙ୍ଗୀର,ହେମନ୍ତ ଶର୍ମା-ସମ୍ବଲପୁର, ଚିତ୍ରା ଅରୁମୁଗମ-ଖୋର୍ଦ୍ଧା, ଅରବିନ୍ଦ କୁମାର ପାଢ଼ୀ- ପୁରୀ, ଶାଶ୍ୱତ ମିଶ୍ର- ଢ଼େଙ୍କାନାଳ, ବୀରବିକ୍ରମ ଯାଦବ- କେନ୍ଦ୍ରାପଡ଼ା, ବିଶାଳ ଦେବ-ବାଲେଶ୍ୱର, ଉଷା ପାଢ଼ୀ-ଭଦ୍ରକ, ସଞ୍ଜିବ କୁମାର ମିଶ୍ର- ଗଞ୍ଜାମ, ସଞ୍ଜୟ କୁମାର ସିଂ-ନୟାଗଡ଼, ସୁରେଶ କୁମାର ବଶିଷ୍ଠ-ମୟୂରଭଞ୍ଜ, ଶୁଭା ଶର୍ମା- ମାଲକାନଗିରି, ଭାସ୍କରଜ୍ୟୋତି ଶର୍ମା- ସୁନ୍ଦରଗଡ଼, ଶାଳିନୀ ପଣ୍ଡିତ- କଟକ, ଆର ସନ୍ଥଗୋପାଳନ-କନ୍ଧମାଳ, ଏସ.ଅଶ୍ୱଥି - ଗଜପତି, ରାଜେଶ ପ୍ରଭାକର ପାଟିଲ-କୋରାପୁଟ, ଅରବିନ୍ଦ ଅଗ୍ରୱାଲ- ରାୟଗଡ଼ା, ବଳବନ୍ତ ସିଂ-କେନ୍ଦୁଝର, ଭୂପେନ୍ଦ୍ର ଏସ ପୁନିଆ-ଅନୁଗୁଳ,ଯାମିନୀ ଷଡ଼ଙ୍ଗୀ- ବୌଦ୍ଧ, ଗୁହା ପୁନମ ତାପସ କୁମାର- ସୋନପୁର, ବିଜୟକେତନ ଉପାଧ୍ୟାୟ- ନବରଙ୍ଗପୁର, ପ୍ରଶାନ୍ତ କୁମାର ରେଡ୍ଡୀ- ନୂଆପଡ଼ା, ଏନ.ଥିରୁମାଳା ନାଏକ-ଦେବଗଡ଼଼, ସୁଧାଂଶୁ ମୋହନ ସାମଲ- ବରଗଡ଼ ଓ ରଶ୍ମୀତା ପଣ୍ଡାଙ୍କୁ ଝାରସୁୁଗୁଡ଼ା ଜିଲ୍ଲା ଆବଂଟିତ ହୋଇଛି ।

ସୂଚନାଯୋଗ୍ୟ, ମୋହନ ମାଝୀଙ୍କ ସରକାର ଗତ ଡିସେମ୍ବର ଶେଷ ସପ୍ତାହରେ ନିଜର ମନ୍ତ୍ରୀମାନଙ୍କୁ ୩୦ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଥିଲେ । ଜିଲ୍ଲାସ୍ତରରେ ଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏହି ମନ୍ତ୍ରୀମାନଙ୍କୁ ‘ ଜିଲ୍ଲାର ପ୍ରଭାରୀ’ ମନ୍ତ୍ରୀ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ଏହାପୂର୍ବରୁ ମଧ୍ୟ ମନ୍ତ୍ରୀମାନଙ୍କୁ ଧାନ ସଂଗ୍ରହ କାର୍ଯ୍ୟକ୍ରମର ତଦାରଖ ନିମନ୍ତେ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଥିଲା । କିନ୍ତୁ ସରକାରଙ୍କ ପ୍ରାୟ ୩୮ଟି ବିଭାଗ ଦାୟିତ୍ୱରେ ମାତ୍ର ୧୫ଜଣ ମନ୍ତ୍ରୀ ଥିବାରୁ କାର୍ଯ୍ୟଚାପରେ ସେମାନେ ଏହି ଦାୟିତ୍ୱକୁ ମଧ୍ୟ ଠିକ୍ ଭାବେ ତୁଲାଇବାରେ ସକ୍ଷମ ହେଉନଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ବିଜେଡି ସରକାର ଅମଳରେ ସଚିବମାନଙ୍କ ଜିଲ୍ଲା ଗସ୍ତକୁ ଅଘୋଷିତ ଭାବେ ବନ୍ଦ କରିଦିଆଯାଇଥିଲା । ଆଉ ମନ୍ତ୍ରୀମାନେ କେବଳ ନାମକୁ ମାତ୍ର ମନ୍ତ୍ରୀ ରହିଥିଲେ ଓ ତୃତୀୟ ମହଲା ସବୁକିଛି ନିୟନ୍ତ୍ରଣ ଓ କାର୍ଯ୍ୟ କରୁଥିଲା ।

Related story