Advertisment

ଅନୁପସ୍ଥିତ ଥାଇ ମଧ୍ୟ ଲୋକସଭାରୁ ନିଲମ୍ବିତ

୧୪ ନୁହେଁ ବରଂ ୧୩ ଜଣ ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସ୍ପଷ୍ଟ କରିଛନ୍ତି।

DMK

DMK

Advertisment

ଲୋକସଭାରେ ଆଜି ଅଜବ ଘଟଣା ଘଟିଛି। ଅନୁପସ୍ଥିତ ଥାଇ ମଧ୍ୟ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି ଡିଏମକେ ସାଂସଦ ଏସ୍‌ଆର ପ୍ରତିବନ। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଆଜି ଲୋକସଭାରୁ ମୋଟ ୧୪ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ୧୪ ଜଣଙ୍କ ମଧ୍ୟରେ ପ୍ରତିବନଙ୍କ ନାଁ ମଧ୍ୟ ରହିଥିଲା।

Advertisment

ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ସରକାରୀ କଳ ପକ୍ଷରୁ ତ୍ରୁଟିକୁ ସଂଶୋଧନ କରାଯାଇଛି। ଭୁଲ ବଶତଃ ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ତାଲିକାରେ ପ୍ରତିବନଙ୍କ ନାଁ ରହି ଯାଇଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ୧୪ ନୁହେଁ ବରଂ ୧୩ ଜଣ ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସ୍ପଷ୍ଟ କରିଛନ୍ତି।

ଆଜି ଅପରାହ୍ନରେ ୧୪ ଜଣ ସାଂସଦଙ୍କୁ ଶୀତ ଅଧିବେଶନର ବଳକା ଦିନ ଗୁଡ଼ିକରୁ ନିଲମ୍ବିତ କରାଯିବା ନେଇ ସୂଚନା ମିଳିବା ପରେ ଡିଏମକେ ଆକ୍ରମଣ ମୁଦ୍ରାକୁ ଚାଲି ଆସିଥିଲା।

Advertisment

ନିଲମ୍ବିତ ହୋଇଥିବା ସାଂସଦଙ୍କ ତାଲିକାରେ ପ୍ରତିବନଙ୍କ ନାଁ ଥିବାରୁ ଦଳ ଆପତ୍ତି ଉଠାଇଥିଲା। ସେ ଚେନ୍ନାଇରେ ଥିବା ବେଳେ କେମିତି ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବିତ ହେଲେ ବୋଲି ଦଳ ପ୍ରଶ୍ନ କରିଥିଲା।

ବିବାଦ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଶୀ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ଭୁଲ ବଶତଃ ସାଂସଦଙ୍କ ନାଁ ତାଲିକାରେ ରହି ଯାଇଥିଲା। ଭୁଲ ଚିହ୍ନଟ ପାଇଁ ଏପରି ହୋଇଥିଲା। ଏହାପରେ ବାଚସ୍ପତିଙ୍କୁ ଗୋଟିଏ ଅନୁରୋଧ ପଠାଯାଇ ନିର୍ଦ୍ଦିଷ୍ଟ ସାଂସଦଙ୍କ ନାଁ ନିଲମ୍ବିତ ତାଲିକାରୁ ବାଦ ଦିଆଯିବାକୁ କୁହାଯାଇଥିଲା। ଏହାକୁ ବାଚସ୍ପତି ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି।

ବୁଧବାର ସଂସଦର ସୁରକ୍ଷାରେ ସାଂଘାତିକ ତ୍ରୁଟି ହୋଇଥିଲା। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଆଜି ସରକାରଙ୍କୁ ବାରମ୍ବାର ଘେରି ଥିଲେ। ସରକାରଙ୍କ ଠାରୁ ଜବାବ ମାଗିଥିଲେ। ସେମାନେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ୧୩ ଜଣ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି। ଲୋକସଭାରୁ ନିଲମ୍ବିତ ହୋଇଥିବା ୧୩ ଜଣ ସାଂସଦଙ୍କ ମଧ୍ୟରେ ୯ ଜଣ କଂଗ୍ରେସର, ୨ ଜଣ ସିପିଏମ, ଜଣେ ସିପିଆଇ ଓ ଜଣେ ଡିଏମକେ ସଦସ୍ୟ ରହିଛନ୍ତି।

କଂଗ୍ରେସ ସାଂସଦ ମଣିକମ ଟାଗୋର, ମହମ୍ମଦ ଜାଭେଦ, ଭିକେ ଶ୍ରୀକାନନ୍ଦନ, ବେନୀ ବେହାନାନ, ଡିନ୍ କୁରିଆକୋସ୍, ହିବି ଇଡେନ୍, ଜୋଥିମଣି, ରମ୍ୟା ହରିଦାସ ଓ ଟିଏନ୍ ପ୍ରତାପନଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି। ଡିଏମକେର କେ କାନିମୋଝି, ସିପିଏମର ପିଆର ନଟରାଜନ, ଏସ ଭେଙ୍କଟେଶନ ଓ ସିପିଆଇଏମର କେ ସୌଭରାୟନଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାପୂର୍ବରୁ ଟିଏମସିର ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନଖଡ ଓବ୍ରେନଙ୍କୁ ଚଳିତ ଅଧିବେଶନର ସମସ୍ତ କାର୍ଯ୍ୟ ଦିବସରୁ ନିଲମ୍ବନ କରିଛନ୍ତି।

DMK Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe