Advertisment

ଇଣ୍ତିଆ ବୈଠକରେ ହଠାତ୍‌ ପହଞ୍ଚିଲେ କପିଲ ଶିବଲ, ବିରୋଧ କଲେ କଂଗ୍ରେସ ନେତା

ଶିବଲଙ୍କୁ ଇଣ୍ଡିଆ ବୈଠକକୁ ଡକା ଯାଇ ନଥିଲା। ତଥାପି ସେ ବୈଠକରେ ପହଞ୍ଚିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
INDIA

INDIA

ମୁମ୍ବାଇରେ ଅନୁଷ୍ଠିତ ବିରୋଧ ମେଣ୍ଟ ଇଣ୍ଡିଆର ବୈଠକରେ ହଠାତ୍‌ ରାଜ୍ୟସଭା ସାଂସଦ କପିଲ ଶିବଲ ପହଞ୍ଚିବା ସମସ୍ତଙ୍କୁ ଚକିତ କରିଛି। ସେ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି।

Advertisment

ତେଣୁ ଆଜି ବିରୋଧୀ ବୈଠକରେ ତାଙ୍କ ଉପସ୍ଥିତିକୁ କଂଗ୍ରେସ ଜୋରଦାର ବିରୋଧ କରିଥିଲା। ସେ କୌଣସି ପାର୍ଟିର ଲୋଗକୁ ନିଜ ବେକରେ ପକାଇ ବୁଲିବାକୁ ଚାହୁଁ ନଥିବାରୁ ଗତବର୍ଷ କଂଗ୍ରେସ ଛାଡ଼ିଥିଲେ। ତେଣୁ ତାଙ୍କୁ ଇଣ୍ଡିଆ ବୈଠକକୁ ଡକା ଯାଇ ନଥିଲା। ତଥାପି ସେ ବୈଠକରେ ପହଞ୍ଚିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ବରିଷ୍ଠ କଂଗ୍ରେସ ନେତା କେସି ଭେନୁଗୋପାଲ ସିଧାସଳଖ କପିଲ ଶିବଲଙ୍କ ଉପସ୍ଥିତି ବିରୋଧରେ ଅଭିଯୋଗ କରିଥିଲେ। ମୁମ୍ବାଇରେ ବିରୋଧୀଙ୍କ ମେଣ୍ଟର ଆୟୋଜନ କରୁଥିବା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ସେ ଫେରାଦ ହୋଇଥିଲେ। ବିରୋଧୀ ମେଣ୍ଟର ଫଟୋରେ ଯେମିତି କପିଲ ଶିବଲ ନ ରହିବେ, ତା’ର ବ୍ୟବସ୍ଥା କରିବାକୁ ଭେନୁଗୋପାଲ କହିଥିଲେ।

Advertisment

ତେବେ ଫାରୁକ ଅବଦୁଲ୍ଲା ଓ ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ ତାଙ୍କୁ ବୁଝାଇବା ସହ ଭେନୁଗୋପାଲ ସବୁ କିଛି ଭୁଲି ଶିବଲଙ୍କ ଉପସ୍ଥିତିକୁ ଗ୍ରହଣ କରନ୍ତୁ ବୋଲି କହିଥିଲେ। ତଥାପି ସେ କିଛି ଶୁଣି ନଥିଲେ। କିନ୍ତୁ ରାହୁଲ ଗାନ୍ଧି ବୈଠକରେ ଶିବଲଙ୍କ ଉପସ୍ଥିତିରେ କୌଣସି ଅସୁବିଧା ନାହିଁ ବୋଲି କହିବାରୁ ସବୁ କିଛି ଶାନ୍ତ ପଡ଼ିଥିଲା। ଶିବଲ ମଧ୍ୟ ବିରୋଧୀ ମେଣ୍ଟର ଫଟୋ ଶୁଟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସାମ୍ନାକୁ ଆସିଥିବା ଭିଡିଓରେ ଏନସିପିର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ବେଶ ଉତ୍ସାହର ସହ କପିଲ ଶିବଲଙ୍କୁ ସ୍ୱାଗତ କରିଥିଲେ। କିଛି ଦୂରତାରେ ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ ମିଳିତ ଭାବେ ଭେନୁଗୋପାଲଙ୍କ ଭଳି ଲାଗୁଥିବା ଜଣେ ନେତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।

ସଞ୍ଜୟ ରାଉତ ବେଶ କିଛି ସମୟ ବୁଝାସୁଝା କରିବା ସହ ଶିବଲଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ କିଛି କହୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଆଉ ଗୋଟିଏ ଭିଡିଓରେ ଶିବଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ଭଗୱନ୍ତ ମାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।

India Opposition Nda Kapil Sibal