ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡିଏସ୍ କୁଟ୍ଟେଙ୍କୁ ରାଜ୍ୟ ବାହାରକୁ ତୁରନ୍ତ ବଦଳି ହେଉ: ବିଜେପି

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ।

ବିଜେପି ନେତା

  • Published: Monday, 08 April 2024
  • , Updated: 08 April 2024, 07:53 PM IST

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ୯ବର୍ଷରୁ ଅଧିକ ଦିନ ଧରି ଅବସ୍ଥାପିତ ଆଇପିଏସ୍ ଡିଏସ୍ କୁଟ୍ଟେ ରାଜନୀତିକ ବ୍ୟକ୍ତି ଭଳି କାର୍ଯ୍ୟ କରୁଛନ୍ତି ।  ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଶ୍ରୀ କୁଟ୍ଟେ ବିଜେଡି ପାଇଁ ଅସତ୍ ଉପାୟରେ ବ୍ୟାପକ ଟଙ୍କା ବଂଟନ କରିବାକୁ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଜିଲ୍ଲା ପୁଲିସ ଏସପି ଓ ଥାନା ଆଇଆଇସିମାନଙ୍କ ସମେତ ବିଭିନ୍ନ ରାଜନୀତିକ ଦଳର ନେତା ଓ କର୍ମୀଙ୍କୁ ଧମକ ଦେଇ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ନିମନ୍ତେ ସେ କହୁଛନ୍ତି । ଆଜି ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଶ୍ରୀ କୁଟ୍ଟେଙ୍କୁ ତୁରନ୍ତ ରାଜ୍ୟ ବାହାରକୁ ବଦଳି କରିବା ନିମନ୍ତେ ବିଜେପି ଦାବି କରିଛି । ଆଉ ବିଜେପିର ଏହି ଅଭିଯୋଗ ପରେ ବିଜେଡିର ଅକଲଗୁଡ଼ୁମ ହୋଇଯାଇଛି ଓ ଦଳ ତରବରିଆ ଭାବେ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ସବୁ ନିର୍ବାଚନରେ ଏଭଳି ସରକାରୀ ଅଫିସରଙ୍କୁ ଟାର୍ଗେଟ୍ କରେ ବୋଲି ଅଭିଯୋଗ ବାଢ଼ିଛି ।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ହୀନଚକ୍ରାନ୍ତ କରୁଛି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଡିଏସ୍ କୁଟ୍ଟେ ନିର୍ବାଚନ ସମୟରେ ବିଜେଡି ପାଇଁ ଅସତ୍ ଉପାୟରେ ବ୍ୟାପକ ଟଙ୍କା ବଂଟନ କରିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । କୁଟ୍ଟେ ଉପଯୋଗ କରୁଥିବା ସମସ୍ତ ଫୋନ୍ ନମ୍ବର ଓ ସିଡିଆରକୁ ଯାଂଚ କରିବାକୁ ବିଜେପି ଦାବି କରିଛି । କୁଟ୍ଟେ କାହାକୁ ନିଜର ଗୁମାସ୍ତା ନିୟୋଜିତ କରିଥିବା ସମସ୍ତେ ଜାଣନ୍ତି । ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର କୁଟ୍ଟେ ଏସବୁ କାର୍ଯ୍ୟରେ ଲିପ୍ତ ଅଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡି ପ୍ରଶାସନିକ ଅଧିକାରୀମାନଙ୍କୁ କାର୍ଯ୍ୟରେ ଲଗାଉଛନ୍ତି । ସନ୍ଦେହପୂର୍ଣ୍ଣ ଏବଂ ପକ୍ଷପାତିତା କାର୍ଯ୍ୟକଳାପ କାରଣରୁ ରାଜ୍ୟର ୮ ଜଣ ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କୁ ଚଳିତ ସାଧାରଣ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ବାଦ୍ ଦେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।

ସେହି ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ୯ ବର୍ଷ ଧରି କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ଶ୍ରୀ କୁଟ୍ଟେ  ନିଜ କ୍ଷମତାର ଦୁରୂପଯୋଗ କରି ନିୟମିତ ଭାବେ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ଏସପି, ଆଇଆଇସିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କୁ ଧମକ ଦେଇ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ପାଇଁ କହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏପରିକି ତାଙ୍କରି ପ୍ରରୋଚନାରେ ବିଜେପି ସମେତ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ଏଫଆଇଆରକୁ ପୁଲିସ ରୁଜୁ କରୁନି, ଆଉ ଶାସକ ବିଜେଡିର ସ୍ୱାର୍ଥଭିତ୍ତିକି ଅଭିଯୋଗ ଆଧାରରେ ପୋଲିସ ପ୍ରଶାସନକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି । ଅନ୍ୟ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଶାସକ ବିଜୁ ଜନତା ଦଳ ସପକ୍ଷରେ ଭୋଟ କରାଇବା କାର୍ଯ୍ୟ ପାଇଁ ଧମକ ମଧ୍ୟ ଦେଉଛନ୍ତି । ଏହା ଦ୍ୱାରା ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୯ର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଧମକ ଓ ଭୟଭୀତ କରାଇ ଶ୍ରୀ କୁଟ୍ଟେ ନିର୍ବାଚନକୁ ଶାସକ ବିଜେଡି ସପକ୍ଷରେ କରାଇବା କାର୍ଯ୍ୟରେ ପ୍ରଭାବିତ କରୁଛନ୍ତି, ତାହା ତାଙ୍କ ଫୋନ କଲ୍ ବିବରଣୀକୁ ଅନୁଧ୍ୟାନ ଓ ଯାଂଚ କଲେ ସ୍ପଷ୍ଟ ପ୍ରମାଣିତ ହୋଇପାରିବ । ଏଭଳି ସମ୍ବେଦନଶୀଳ ଘଟଣା ପ୍ରସଙ୍ଗରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ତେଣୁ ରାଜ୍ୟରେ ଚଳିତ ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ କରିବା ପାଇଁ ଶ୍ରୀ କୁଟ୍ଟେଙ୍କ ସମେତ ପକ୍ଷପାତିତା କରୁଥିବା ସମସ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରାଯିବା ଓ ଅନ୍ୟ ରାଜ୍ୟକୁ ବଦଳି କରାଯିବାକୁ ବିଜେପି ଦାବି କରିଛି । ସେହିପରି ଆଚରଣ ବିଧି ଲାଗୁ ସତ୍ତ୍ୱେ "ଜୁଏଲ୍ସ ଅଫ୍ ଓଡିଶା’ ନାମକ ଏକ ଅନାମଧେୟ ସଂସ୍ଥା ଦ୍ୱାରା ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ପ୍ରଶାସନିକ ସଫଳତା କିଭଳି ପ୍ରକାଶ କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି । ଏହା ସଂପୂର୍ଣ୍ଣ ଭାବେ ଉଦ୍ଦେଶ୍ୟପ୍ରଣୋଦିତ ଓ ଏକ ‘ପେଡ୍ ନ୍ୟୁଜ' । ଏଭଳି ଭ୍ରମାତ୍ମକ ସମ୍ବାଦ ପ୍ରକାଶ କରାଯାଇ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଘଂନ କରାଯାଇଛି । ତେଣୁ ଭାରତୀୟ ଦଣ୍ଡ ସଂହିତା ଧାରା ୧୭୧(ଜି) ଏବଂ ଜନପ୍ରତିନିଧି ଆଇନ-୧୯୫୧ ଧାରା ୧୨୬(ଏ) ଅନୁଯାୟୀ ବେଆଇନ ଭାବେ ସର୍ଭେ କରିଥିବା ସଂସ୍ଥା ଓ ସମ୍ବାଦ ପରିବେଷଣକାରୀ ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି ।

ଏହି ପ୍ରତିନିଧି ଦଳରେ ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରାୟ, ସତ୍ୟବ୍ରତ ପଣ୍ଡା, ଦିଲ୍ଲୀପ ମଲ୍ଲିକ, ସୁଜିତ କୁମାର ଦାସ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

Related story