Advertisment

ନଭେମ୍ବର ୨ରେ ଗିରଫ ହେବେ ଅରବିନ୍ଦ କେଜ୍ରିୱାଲ!

ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି। ଆସନ୍ତା ନଭେମ୍ବର ୨ ତାରିଖ ଦିନ ୧୧ଟା ବେଳେ ତାଙ୍କୁ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି।

author-image
Jitendra Garnayak
Arvind Kejriwal

Arvind Kejriwal

ଆପ୍‌ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ନଭେମ୍ବର ୨ ତାରିଖରେ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍‌ ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶୀ। ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଗତକାଲି ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିବା ପରେ ଅତିଶୀ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି।

Advertisment

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନଭେମ୍ବର ୨ ତାରିଖରେ ହାଜର ହେବା ପାଇଁ ସମନ ଜାରି କରିଛି। ପଚରା ଉଚରା ପରେ ତାଙ୍କୁ ସେହି ଦିନ ଇଡି ଗିରଫ କରିପାରେ ବୋଲି କିଛି ରିପୋର୍ଟ ଆସିଛି। ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ, ତା’ହେଲେ ତାହା ଦୁର୍ନୀତି ଯୋଗୁ ନୁହେଁ, ବରଂ ବିଜେପି ବିରୋଧରେ କହିଥିବା ଯୋଗୁ।

ଅତିଶୀ ଦାବି କରିଛନ୍ତି ଯେ ଏସବୁ ପଛରେ ବିଜେପିର ହାତ ରହିଛି। ଆପ୍‌କୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛି ବିଜେପି। ସେଥିପାଇଁ ଦଳର ସମସ୍ତ ପ୍ରମୁଖ ନେତାଙ୍କୁ ବିଜେପି ଜେଲ୍‌ ପଠାଇବାକୁ ଉଦ୍ୟମ କରୁଛି। ଯେହେତୁ ନିର୍ବାଚନରେ ବିଜେପି କେଜ୍ରିୱାଲଙ୍କୁ ପରାସ୍ତ କରି ପାରିଲା ନାହିଁ, ସେଥିପାଇଁ ଏବେ ଏଭଳି କୌଶଳ ଆପଣାଉଛି।

Advertisment

ସେ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଆପ୍ ଦୁଇ ଥର ପରାସ୍ତ କରିଛି। ସେହିଭଳି ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ ମଧ୍ୟ ବିଜେପିକୁ ପରାସ୍ତ କରିଛି ଆପ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଡରୁଛନ୍ତି। ବିଜେପି ଭଲ ଭାବେ ଜାଣିଛି ଯେ ଏହା କେବେ ହେଲେ ନିର୍ବାଚନରେ ଆପ୍‌କୁ ହରାଇ ପାରିବ ନାହିଁ।

ଅତିଶୀ ଆହୁରି କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ବିଜେପି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ୍ କରିପାରେ। କାରଣ ତାଙ୍କୁ ବି ବିଜେପି ହରାଇ ପାରୁନି। ଏହା ପରେ ପାଳି ପଡ଼ିବ ତେଜସ୍ୱୀ ଯାଦବଙ୍କର। କାରଣ ସେମାନେ ବିହାରରେ ମେଣ୍ଟ ସରକାରଙ୍କୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ସେହିପରି ପରବର୍ତ୍ତୀ ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କୁ ଟାର୍ଗେଟ କରିବେ।  

ଗତକାଲି ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି। ଆସନ୍ତା ନଭେମ୍ବର ୨ ତାରିଖ ଦିନ ୧୧ଟା ବେଳେ ତାଙ୍କୁ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି। ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ପ୍ରଥମ ଥର ପାଇଁ ଇଡି ତାଙ୍କୁ ସମନ ଜାରି କରିଛି। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ସିବିଆଇ ତାଙ୍କୁ ଏହି ମାମଲାରେ ଡାକି ପଚରା ଉଚରା କରିଥିଲା।    

Arvind Kejriwal AAP Atishi