ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ରାଜନେତାଙ୍କ ଉପକୁ ଅଣ୍ଡାମାଡ଼’ ଏବେ ପ୍ରତି ଦିନ ଖବରର ଶୀର୍ଷକ ସାଜିଛି। ବହୁ ଚର୍ଚ୍ଚିତ କଳାହାଣ୍ଡି ସନସାଇନ୍ କଲେଜ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ସବୁଠି ଉଠୁଛି ପ୍ରତିବାଦର ସ୍ଵର। ଯେଉଁଥିପାଇଁ ସରକାରଙ୍କ ଯେ କୌଣସି ମନ୍ତ୍ରୀ କି ବିଧାୟକ, ଯୁଆଡ଼େ ଯାଉଛନ୍ତି ବିରୋଧୀଙ୍କ ଅଣ୍ଡାମାଡ଼ର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ଅଣ୍ଡା ଫିଙ୍ଗାର ଉଦ୍ଭଟ ଫଣ୍ଡା ଆସିଲା କେଉଁଠୁ?
୧୯ ଫେବୃୟାରୀ ୨୦୧୫। ନବୀନ ନିବାସରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଅଭିମୁଖେ ବାହାରିଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍। କିନ୍ତୁ କେଶରୀ ଟକିଜ ଛକ ନିଜଟରେ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରୁ ହୋଇଥିଲା ଅଣ୍ଡା ମାଡ଼। ସେହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ୧୮ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ। କୁହାଯାଏ ଏହାର ପୂରା ପ୍ରଚ୍ଛଦପଟରେ ପ୍ଲଟ୍ କ୍ରିଏଟର ଥିଲେ କଂଗ୍ରେସର ତତ୍କାଳୀନ ଟାଣୁଆ ନେତା ସ୍ଵର୍ଗତ ଲଲୁ ମହାପାତ୍ର। ଏହା ପରେ ମଧ୍ୟ ମୟୂରଭଞ୍ଜ ଓ ବାଲେଶ୍ଵର ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟେଜ ଉପରେ ହିଁ ଅଣ୍ଡା ମାଡ଼ କରିଥିଲେ ବିରୋଧୀ।
ଅଣ୍ଡାମାଡ଼ର ସମ୍ମୁଖୀନ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳର କିଛି ଫ୍ରଣ୍ଟ ଲାଇନ୍ ନେତା ହୋଇଥିଲେ। ପିପିଲି ଗଣଦୁଷ୍କର୍ମ ପୀଡ଼ିତା ମାମଲାରେ ଦୁଇ ଅଭିଯୁକ୍ତ ଜେଲରୁ ମୁକୁଳିବା ନେଇ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ ରାଜ୍ୟରେ ଆହୁରି ନିଆଁ ଜଳାଇଥିଲା। ଯାହାର ପ୍ରତିବାଦରେ ଉଭୟ ବାଲେଶ୍ଵର ଓ ବଲାଙ୍ଗୀରରେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିଥିଲେ ବିଜେପି କର୍ମୀ। ଅଣ୍ଡା ମାଡ଼ ରାଜନୀତି ସେଇଠି ସରିନଥିଲା। ଏହା ପରେ ପରେ କ୍ରମାଗତ ଭାବେ ରାଜ୍ୟବ୍ୟାପି ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ଦୁଇ ଦୁଇ ଅଣ୍ଡାମାଡ଼ର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ତତ୍କାଳୀନ ଯୋଗାଣମନ୍ତ୍ରୀ ସଂଜୟ ଦାସବର୍ମା, ସ୍ଵାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ଗାଡ଼ି ଉପରକୁ ମଧ୍ୟ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଥିଲେ। ଏପରିକି କୁହାଳିଆ ନେତା ଦାମ ରାଉତ ମଧ୍ୟ ଅଣ୍ଡାମାଡ଼ରୁ ବର୍ତ୍ତି ପାରିନଥିଲେ। ତାଙ୍କ ନିଜ ଅଂଚଳରେ ତାଙ୍କ ଉପରକୁ ବିରୋଧୀ ଅଣ୍ଡା ମାଡ଼ କରି ପ୍ରତିବାଦ ଜଣାଇଥିଲେ।
କେବଳ ରାଜ୍ୟ ସରକାରଙ୍କ ମନ୍ତ୍ରୀ ନୁହଁନ୍ତି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଅଣ୍ଡାମାଡ଼ରେ ପ୍ରତିବାଦ କରାଯାଇଥିଲା। ୨୦୧୬ ଜୁନ ୨୪ରେ ବରଗଡ଼ରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରି ୧୬ ଜଣ ଗିରଫ ହୋଇଥିଲେ। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ିକୁ ଅଣ୍ଡା ଫିଙ୍ଗି ୧୩ ଜଣଙ୍କୁ ଜେଲ ଯିବାକୁ ପଡ଼ିଥିଲା। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଅଣ୍ଡାମାଡ଼ର ସମ୍ମୁଖୀନ ହୋଇଛନ୍ତି। ..
ଅଣ୍ଡାମାଡ଼ ରାଜନୀତି କେବଳ ବିରେଧୀ ଦଳ ଭିତରେ ସୀମିତ ନଥିଲା। ୨୦୧୭ ମେ ୩୦ରେ ଏକ ପାଣି ଟାଙ୍କି ଉଦଘାଟନ ପାଇଁ ମାହାଙ୍ଗା ଯାଇଥିବା ତତ୍କାଳୀନ କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ବିଜେଡିର ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଅଣ୍ଡାମାଡ଼ ହୋଇଥିଲା। ସେତେବେଳେ ସାଂସଦ ବିଜେଡିର ଜଣେ ବରିଷ୍ଠ ନେତା ଥିଲେ। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ ଏକ କମିଟି ମଧ୍ୟ ଗଠନ କରିଥିଲେ।
୨୦୧୭ରେ ପୂର୍ବତନ ବିଧାୟକ ଦୀଲ୍ଲିପ ରାୟଙ୍କ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଅଣ୍ଡା ମାଡ଼ କରି ୮୬ ଜଣ ଗିରଫ ହୋଇଥିଲେ।
ଏବେ ପୁଣି ଡେଇଁଛି ସେହି ପୁରୁଣା ରୋଗ। ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିଲେ କଂଗ୍ରେସ କର୍ମୀ। ଉତ୍ତରପ୍ରଦେଶ ଲଖୀମପୁର ଚାଷୀ ଦୁର୍ଘଟଣାରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅକୁ ଗିରଫ କରାଯାଇଛି। ସେହିପରି ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଟୁଙ୍କୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଅଣ୍ଡାମାଡ଼ର ସମ୍ମୁଖୀନ ହେବାକୁ ପଡ଼ିଛି। ସେହିପରି ଲଗାତାର ଭାବେ ନବୀନଙ୍କ ମନ୍ତ୍ରୀମାନଙ୍କ ଉପରେ ବଢୁଛି ଅସନ୍ତୋଷର ଅଣ୍ଡାମାଡ଼।
ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପ୍ରଥମେ ନଭେମ୍ବର ୭ ତାରିଖରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ କଳାହାଣ୍ଡିରେ କଂଗ୍ରେସ କର୍ମୀ ଅଣ୍ଡା ମାଡ଼ କରିଥିଲେ। ଏହା ପରେ ବିଜେପି ପକ୍ଷରୁ ମଧ୍ୟ କେନ୍ଦୁଝରରେ ହୋଇଥିଲା ଅଣ୍ଡାମାଡ଼। ଏହାର ପରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ଗୋଟିଏ ଷ୍ଟେଜରେ ବସିବା ପରେ ବଢ଼ିଛି ବିରୋଧୀଙ୍କ ଆକ୍ରୋଶ। ତେଣୁ ଲଗାତାର ଭାବେ ସମସ୍ତ ନେତା ଓ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହେଉଛି। ବରଗଡ଼ରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ସହ ମହିଳା ବିଜେଡି ନେତ୍ରୀ ସେହ୍ନାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରେ ଅଣଣ୍ଡାମାଡ଼ ହୋଇଥିଲା। ସ୍ଵାସ୍ଥ୍ୟମନ୍ତ୍ରୀ ନବଦାସ, ଓ କେନ୍ଦ୍ରାପଡ଼ାରେ ଆଡ଼ନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଅଣ୍ଡା ଫୋଫଡ଼ା ଯାଇଥିଲା।
ଅଣ୍ଡାମାଡ଼ରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରଥମେ କଡ଼ାକଡ଼ି କରାଯାଇଥିଲା। ଶକ୍ତ ବାରିକେଡ଼ିଂ ସହ Z ପ୍ଲସ ସିକ୍ୟୁରିଟିରେ ନବୀନ ନିବାସରୁ ବାହାରୁଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଛାତ୍ର କଂଗ୍ରେସର କର୍ମୀଙ୍କ ଉପରେ ୩୦୭ ଭଳି ସଂଗୀନ ଦଫା ମଧ୍ୟ ଲାଗିଥିଲା। କିନ୍ତୁ ଏହା ମଧ୍ୟରେ ଥମିଲାନି ବିରୋଧ। ଆଉ ଅଣ୍ଡାମାଡ଼ ସାଜିଗଲା ବିରୋଧୀଙ୍କ ପାଇଁ ଏକ ବଡ଼ ରାଜନୀତିକ ଆୟୁଧ।