Advertisment

ସେନା ବନାମ ସେନା: ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା, ସିନ୍ଦେ ସରକାରର ବିଜୟ

ମହାରାଷ୍ଟ୍ରର ପ୍ରାୟ ୫୫ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାବି ହୋଇଥିଲା। ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା। ବାଚସ୍ପତି ସମୟ ଗଡ଼ାଇ ଚାଲିଥିବାରୁ ନିକଟରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ।

ଅଦ୍ୟତନ ହୋଇଛି
SS

SS

Advertisment

ସୁପ୍ରିମକୋର୍ଟଙ୍କ ଛାଟ ପରେ ଶିବସେନା ବନାମ ଶିବସେନା ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର ବିଧାନସଭା ବାଚସ୍ପତି ରାହୁଲ ନାରୱେକର। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସହ ଥିବା ବିଧାୟକଙ୍କ ପଦ କାଏମ ରଖିଛନ୍ତି। ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ସେ କହିଛନ୍ତି। ଏଥିସହ ଉଦ୍ଧବ ଠାକରେଙ୍କ ସହ ଥିବା ବିଧାୟକମାନଙ୍କୁ ସେ ପ୍ରକୃତ ଶିବସେନାର ମାନ୍ୟତା ଦେଇ ନାହାନ୍ତି।

Advertisment

ମହାରାଷ୍ଟ୍ରର ପ୍ରାୟ ୫୫ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାବି ହୋଇଥିଲା। ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା। ବାଚସ୍ପତି ସମୟ ଗଡ଼ାଇ ଚାଲିଥିବାରୁ ନିକଟରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ।

ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପ୍ରାୟ ୮ ମାସରୁ ଅଧିକ ଦିନ ହେଲା ଦାବି ହୋଇ ଆସୁଥିଲା। ତଥାପି ବାଚସ୍ପତି ରାହୁଲ ଚୁପ ରହିଥିଲେ। ତେଣୁ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ କହିଥିଲେ।

Advertisment

ଆଜି ବାଚସ୍ପତି ରାହୁଲ ଉଭୟ ପକ୍ଷରୁ ଆବେଦନକୁ ତର୍ଜମା କରିବା ପରେ ସିନ୍ଦେ ଆଣ୍ଡ କୋର ସଭ୍ୟ ପଦକୁ କାଏମ ରଖିଛନ୍ତି। ଭାରତୀୟ ନିର୍ବାଚନ କମିଶନ ମଧ୍ୟ ସିନ୍ଦେ ଗୋଷ୍ଠୀ ପାଖରେ ଶିବସେନାର ଅଧିକ ସଂଖ୍ୟକ ବିଧାୟକ ଓ ସାଂସଦ ରହିଥିବା ହୃଦୟଙ୍ଗମ କରିଥିଲେ।

ଏଥିପାଇଁ ସିନ୍ଦେ ଗୋଷ୍ଠୀଙ୍କୁ କମିଶନ ପ୍ରକୃତ ଶିବସେନାର ମାନ୍ୟତା ଦେଇଥିଲେ। ଦଳର ପାରମ୍ପରିକ ଧନୁ ତୀର ଚିହ୍ନ ମଧ୍ୟ ସିନ୍ଦେଙ୍କ ପାଖରେ ରହିଛି। ଇସିଆଇ ସିନ୍ଦେ ଗୋଷ୍ଠୀଙ୍କୁ ମାନ୍ୟତା ଦେଇଥିବାରୁ ବାଚସ୍ପତି ମଧ୍ୟ ସେହି ଆଧାରରେ ନିଷ୍ପତ୍ତି ନେଇଛନ୍ତି।

ବାଚସ୍ପତି ସିନ୍ଦେ ଗୋଷ୍ଠୀ ଦେଇଥିବା ଶିବସେନାର ଦଳୀୟ ସମ୍ବିଧାନ ୧୯୯୯କୁ ଗ୍ରହଣ କରିଛନ୍ତି। ସେହିପରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ୨୦୧୮ରେ ଶିବସେନା ପ୍ରସ୍ତୁତ କରିଥିବା ସମ୍ବିଧାନ କଥା କହିଥିଲେ ହେଁ ଏହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି। ଶିବସେନା ଦୁଇ ଫାଳ ହୋଇଥିବା ୨୦୨୨ ଜୁନ ୨୧ରେ ଜଣାପଡ଼ିଥିଲା। ଏକଥା ୨୨ ତାରିଖରେ ବିଧାନସଭା ରେକର୍ଡକୁ ଆସିଥିଲା। 

ରାହୁଲ ନରୱେକର କହିଛନ୍ତି, ଶିବସେନାର ୧୯୯୯ ମସିହା ସମ୍ବିଧାନ ଇସିଆଇଙ୍କ ପାଖରେ ବହୁ ଆଗରେ ଦାଖଲ କରାଯାଇଛି। ଏପରି କି ଦାଖଲ ସମୟରେ ପ୍ରତିପକ୍ଷ ଗୋଷ୍ଠୀଙ୍କ ଜନ୍ମ ମଧ୍ୟ ହୋଇ ନଥିଲା। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶିବସେନାର ପ୍ରମୁଖ କୌଣସି ନେତାଙ୍କୁ ଦଳରୁ ବିଦା କରିବାର କ୍ଷମତା ରଖି ନାହାନ୍ତି। ତେଣୁ ଏକନାଥ ସିନ୍ଦେଙ୍କୁ ଶିବସେନାର ବିଧାୟକ ଦଳ ନେତା ପଦରୁ ବିଦା କରିବାର ଅଧିକାର ଉଦ୍ଧବ ଠାକରେଙ୍କ ପାଖରେ ନାହିଁ। 

୨୦୧୮ ସମ୍ବିଧାନରେ ନେତୃତ୍ୱ ଗଠନ ସମ୍ପର୍କରେ କୁହାଯାଇଛି ଶିବସେନା ପକ୍ଷ ପ୍ରମୁଖ ସର୍ବୋଚ୍ଚ ନେତା। କିନ୍ତୁ ଶିବସେନାର ପୂର୍ବ ସମ୍ବିଧାନରେ ଦଳ ପ୍ରମୁଖ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ହେଉଛି ସବୁଠାରୁ ବଡ଼। ଶିବସେନା(ୟୁବିଟି) କରିଥିବା ଆବେଦନରେ ବିବାସ ସମୟରେ ପକ୍ଷ ପ୍ରମୁଖ ସର୍ବୋଚ୍ଚ ବୋଲି କହୁଛି। କିନ୍ତୁ ଏହା ପୂର୍ବ ନିୟମକୁ ଉଲ୍ଲଙ୍ଘନ କରୁଛି। 

ସିନ୍ଦେ ଗୋଷ୍ଠୀଙ୍କ ପାଖରେ ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ୩୭ ଜଣ ବିଧାୟକ ରହିଛନ୍ତି। ୨୦୨୨ ଜୁନ ୨୧ରେ ବିଦ୍ରୋହୀ ବାହାରିବା ପୂର୍ବରୁ ସିନ୍ଦେଙ୍କ ଗୋଷ୍ଠୀଙ୍କ ଶିବସେନା ରାଜନୀତିକ ଦଳ ଭାବେ କାମ କରୁଥିଲା। ତେଣୁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନେତୃତ୍ୱଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ବାଚସ୍ପତି କହିଛନ୍ତି। 

ଏଥିସହ ୨୦୨୨ ଜୁନ ୨୧ରେ ଉଦ୍ଧବ ଠାକରେ ଡାକିଥିବା ବୈଠକରେ ଯୋଗ ଦେଇ ନଥିବା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ଆବେଦନକୁ ବାଚସ୍ପତି ଖାରଜ କରି ଦେଇଛନ୍ତି। 

୨୦୨୨ ଜୁନ ମାସରେ ମହା ବିକାଶ ଅଘାଡ଼ି ସରକାର ବିରୋଧୀ ଏକନାଥ ସିନ୍ଦେ ଓ ପ୍ରାୟ ୩୪ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିଥିଲେ। ଫଳରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭୁଶୁଡ଼ି ପଡ଼ିଥିଲା।

ବିଦ୍ରୋହ ପରେ ଶିବସେନା ଦୁଇ ଫାଳ ହୋଇ ଯାଇଥିଲା। ଉଭୟ ଗୋଷ୍ଠୀ ନିଜକୁ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରି ଶିବସେନା ଉପରେ ନିଜର ହକ ଜାହିର କରିଥିଲେ। ଏଥିପାଇଁ ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆବେଦନ କରାଯାଇଛି। ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହେବା ପରେ ସିନ୍ଦେ ଓ ତାଙ୍କ ସହ ଥିବା ଶିବସେନାର ବିଧାୟକମାନେ ବିଜେପି ସହ ହାତ ମିଳାଇ ସରକାର ଗଠନ କରିଛନ୍ତି।

Maharashtra Govt Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe