ଆକ୍ସନମୋଡରେ ନିର୍ବାଚନ କମିଶନ: ଓଡ଼ିଶାରେ ଜବତ ହେଲାଣି ୧୬୫.୭୧କୋଟି ଟଙ୍କା ଓ ସାମଗ୍ରୀ

ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମତଦାନ ମେ’ ୧୩ତାରିଖରୁ ହେବ

ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶା

  • Published: Wednesday, 01 May 2024
  • , Updated: 01 May 2024, 10:49 PM IST

ରାଜ୍ୟରେ ଚଳିତଥରର ନିର୍ବାଚନ ପୂର୍ବର ସମସ୍ତ ରେକର୍ଡକୁ ଭଙ୍ଗ କରିଛି । ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ଆଜିସୁଦ୍ଧା ଓଡ଼ିଶାରେ ମୋଟ ୧୬୫ କୋଟି ୭୧ଲକ୍ଷ ଟଙ୍କା ଓ ସାମଗ୍ରୀକୁ ଏନଫୋର୍ସମେଂଟ ଏଜେନ୍ସୀଗୁଡ଼ିକ ଜବତ କରିବାରେ ସକ୍ଷମ ହୋଇଛନ୍ତି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମତଦାନ ମେ’ ୧୩ତାରିଖରୁ ହେବ । ତା’ପୂର୍ବରୁ ଏତେ ପରିମାଣର ଅର୍ଥ ଓ ସାମଗ୍ରୀ ଜବତ ହେବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।

ରାଜ୍ୟ ମୁଖ୍ୟ ନର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ଏନଫୋର୍ସମେଂଟ ଏଜେନ୍ସୀଙ୍କ ସମନ୍ୱୟରେ ମାର୍ଚ୍ଚ ୧ରୁ ଏପ୍ରିଲ ୩୦ତାରିଖ ମଧ୍ୟରେ ମୋଟ ୧୬୫କୋଟି ୭୧ଲକ୍ଷ ୮୮ହଜାର ଟଙ୍କାର ଅର୍ଥ ଓ ସାମଗ୍ରୀ ଜବତ କରାଯାଇଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଉପରେ ତୀକ୍ଷ୍‌ଣ ନଜର ରଖାଯାଇ ଚଢ଼ାଉକୁ ତ୍ୱରାନ୍ୱିତ କରାଯାଉଛି । ଏହି ଜବତ ହୋଇଥିବା ଅର୍ଥ ଓ ସାମଗ୍ରୀ ମଧ୍ୟରେ ୪କୋଟି ୮୭ଲକ୍ଷ ୬୫ହଜାର ନଗଦ ଟଙ୍କା, ୨୪.୭୧କୋଟି ଟଙ୍କାର ମାଦକ ଦ୍ରବ୍ୟ, ୬୪.୦୮କୋଟି ଟଙ୍କାର ଡ୍ରଗ୍ସ, ୯.୪୩କୋଟି ଟଙ୍କାର ସୁନା ସମେତ ମୂଲ୍ୟବାନ ଧାତୁ , ୨୬.୩୫ଲକ୍ଷ ଟଙ୍କାର ଲୋଭନୀୟ ଉପହାର ଓ ୬୨.୩୪କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏସବୁର ମୋଟ ପରିମାଣ ହେଉଛନ୍ତି ୧୬୭.୭୧କୋଟି ଟଙ୍କା ଟଙ୍କା । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଅନିୟମିତ ଅର୍ଥ ଓ ସାମଗ୍ରୀ ଚାଲାଣ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସବୁ ଏନଫୋର୍ସମେଂଟ ଏଜେନ୍ସୀର ସହଯୋଗରେ ଚଢ଼ାଉକୁ ତ୍ୱରାନ୍ୱିତ କରାଯାଉଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧ରୁ ଏପ୍ରିଲ ୧୩ତାରିଖ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଏଜେନ୍ସୀ ଧରପଗଡ଼ କରି ୧.୪୭କୋଟି ଟଙ୍କାର ନଗଦ ଅର୍ଥ ସହ ୧୬.୨୧ କୋଟି ଟଙ୍କାର ମଦ(ପ୍ରାୟ ୧୩.୨୪କୋଟି ଲିଟର) ୩୯.୦୧କୋଟି ଟଙ୍କାର ନିଶା ସାମଗ୍ରୀ, ୬.୪୬କୋଟି ଟଙ୍କାର ମୂଲ୍ୟବାନ ଧାତୁ(ସୁନା ଓ ଅନ୍ୟାନ୍ୟ ଅଳଙ୍କାର) ଓ ୪୩.୯୬କୋଟି ଟଙ୍କାର ମାଗଣା ସାମଗ୍ରୀ ବଂଟନକୁ ଜବତ କରାଯାଇଥିଲା । ଏହି ସମସ୍ତ ପରିମାଣର ମୂଲ୍ୟ ୧୦୭ କୋଟି ୧୩ଲକ୍ଷ ଟଙ୍କା ।

Related story