Advertisment

ମୁଖ୍ୟମନ୍ତ୍ରୀଙ୍କ କନଭୟରେ ଥିବା କାର୍‌ରୁ ମିଳିଲା ୧.୨୫ କୋଟି ଟଙ୍କା

ସାଙ୍ଗମା ଅରୁଣାଚଳ ପ୍ରଦେଶର ଲଙ୍ଗଡିଙ୍ଗରେ ପ୍ରଚାର ପାଇଁ ଯାଉଥିବା ବେଳେ ଅଧା ବାଟରୁ ତାଙ୍କ କନଭୟରେ ଥିବା କାରରୁ ଏତେ ପରିମାଣର ଟଙ୍କା ମିଳିଛି।

Cash

Cash

Advertisment

ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ। ଏହପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ନିର୍ବାଚନ କମିଶନଙ୍କ ଫ୍ଲା଼ଇଙ୍ଗ ସ୍କ୍ୱାଡ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ କାରକେଡ୍‌ରେ ଥିବା ଗୋଟିଏ କାର୍‌ରୁ ୧.୨୫ କୋଟି ଟଙ୍କା ଜବତ କରିଛି।

Advertisment

ନ୍ୟାଶନାଲ ପିପୁଲ୍ସ ପାର୍ଟିର ସାଙ୍ଗମା ଅରୁଣାଚଳ ପ୍ରଦେଶର ଲଙ୍ଗଡିଙ୍ଗରେ ପ୍ରଚାର ପାଇଁ ଯାଉଥିବା ବେଳେ ଅଧା ବାଟରୁ ତାଙ୍କ କନଭୟରେ ଥିବା କାରରୁ ଏତେ ପରିମାଣର ଟଙ୍କା ମିଳିଛି। ଫ୍ଲାଇଙ୍ଗ ସ୍କ୍ୱାଡ ଗୋଟିଏ ଚେକପୋଷ୍ଟରେ ଯାଞ୍ଚ କରି ଟଙ୍କା ଜବତ କରିବା ପରେ ଆୟକର ବିଭାଗକୁ ଖବର ଦେଇଥିଲା।

ଏବେ ଆୟକର ବିଭାଗ ଏହାର ଯାଞ୍ଚ କରିବା ସହ ଆଇନ ଅନୁଯାୟୀ ପଦକ୍ଷେପ ନେବ ବୋଲି ଲଙ୍ଗଡିଙ୍ଗ ଏସ୍‌ପି ଦେକିଓ ଗୁମଜାମ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇସି ଟିମ ଗୁରୁବାର ରାତିରେ କାନୁବାରୀ ଚେକ ଗେଟ୍‌ରେ ଛାନଭିନ କରୁଥିଲା। ଏହି ସମୟରେ ଗୋଟିଏ କାର୍‌ରୁ ୧.୨୫ କୋଟି ଟଙ୍କା ମିଳିଛି।

Advertisment

ମେଘାଳୟ ମୁଖ୍ୟମନ୍ତ୍ରୀ ସାଙ୍ଗମା ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ପାଇଁ ଲଙ୍ଗଡିଙ୍ଗ ଯାଉଥିଲେ। ଏହି ସମୟରେ ତାଙ୍କ କନଭୟରେ ହଠାତ୍‌ ଗୋଟିଏ କାର ସାମିଲ ହୋଇଥିଲା। ଉକ୍ତ କାରଟି ଗୋଟିଏ ଘରୋଇ ନିର୍ମାଣ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହର୍ଷବର୍ଦ୍ଧନ ସିଂହଙ୍କର ଥିଲା। ଉକ୍ତ ଗାଡ଼ିଟି ମୁଖ୍ୟମନ୍ତ୍ରୀ କନଭୟର ଅଂଶବିଶେଷ ନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ଗାଡ଼ିର ପଛେପଛେ ଏହା ଯାଉଥିଲା ବୋଲି ଏସପି କହିଛନ୍ତି।

ଉକ୍ତ କମ୍ପାନୀ ଆସାମର ସୋନାରି ମେଡିକାଲ କଲେଜ, ଅରୁଣାଚଳର ତିରାପ ଜିଲ୍ଲାର ଖୋନସାରେ ବ୍ରିଗେଡ ମୁଖ୍ୟାଳୟ ଓ ଶିବସାଗରରେ ଆସାମ ପୁଲିସ ବାଟାଲିୟନ ନିର୍ମାଣ କରୁଛି। ସଂସ୍ଥା କହିଛି ଯେ ଉକ୍ତ ଟଙ୍କା ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନଙ୍କୁ ଦେବା ପାଇଁ ନିଆଯାଉଥିଲା।

ମେଘାଳୟରେ ମଧ୍ୟ ଉକ୍ତ କମ୍ପାନୀ ଅନେକ ସରକାରୀ ସଂସ୍ଥାର ନିର୍ମାଣ କରିଛି। ଏହା ମଧ୍ୟରେ ରାଜ୍ୟ ବିଧାନସଭାର ବିଲଡିଂ ମଧ୍ୟ ରହିଛି।

Meghalaya Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe