ନିର୍ବାଚନ ପରାଜୟ: ସମୀକ୍ଷା ବଦଳରେ ସର୍ଭେ କରିଛି ବିଜେଡି, ନାଁ ପରିବର୍ତ୍ତନ କରିଛନ୍ତି ପାଣ୍ଡିଆନ

ନିର୍ବାଚନ କମିଶନଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଥିବା ବିଜେଡିର ନିର୍ବାଚନୀ ଖର୍ଚ୍ଚ ତାଲିକାରୁ ଜଣାପଡ଼ିଛି ଯେ, ନିର୍ବାଚନୀ ଫଳାଫଳ ଜୁନ୍ ୪ତାରିଖରେ ପ୍ରକାଶ ପାଇବା ପରେ ଦଳର ଶୋଚନୀୟ ପରାଜୟକୁ ବିଜେଡି ନେତୃତ୍ୱ ହଜମ କରିପାରିନଥିଲେ ।

ବିଜେଡି ନେତା ଭି.କେ ପାଣ୍ଡିଆନ୍‌(ଫାଇଲ ଫଟୋ)

  • Published: Saturday, 26 October 2024
  • , Updated: 26 October 2024, 10:07 PM IST

ସାଧାରଣ ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିବା ବିଜେଡି ନିଜର ପରାଜୟର ସମୀକ୍ଷା କରୁନି ସତ, କିନ୍ତୁ କେଉଁ କାରଣରୁ ଦଳ ପରାଜିତ ହେଲା ତା’ର ସର୍ଭେ କରିଛି । ତା’ପୁଣି ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୨ଦିନ ପରେ । ୨.୨୫କୋଟି ଟଙ୍କା ଖର୍ଚ୍ଚ କରି ୧୫ଦିନ ଧରି ସର୍ଭେ କରି କାହିଁକି ଧରାଶାୟୀ ହେଲା ତା’ର କାରଣ ଖୋଜି ପାଇଛି । ଯଦିଓ ଏହି ପରାଜୟର କାରଣକୁ ଦଳ ଏପର୍ଯ୍ୟନ୍ତ ସାର୍ବଜନୀନ କରିନି କିନ୍ତୁ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚର ବିବରଣୀ ହିଁ ଏକଥା ପଦାରେ ପକାଇ ଦେଇଛି । ଏହାସହିତ ବିଜେଡି ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚ ହିସାବରେ ଦଳର ଅଘୋଷିତ ସର୍ବେସର୍ବା ‘ଭୈରବ.କାର୍ତ୍ତିକେୟନ ପାଣ୍ଡିଆନ’ ନିଜର ନାଁକୁ ‘କାର୍ତ୍ତିକ ପାଣ୍ଡିଆନ’କୁ ପରିବର୍ତ୍ତନ କରିଥିବାର ସନ୍ଦେଶ ମଧ୍ୟ ଦେଇଛି । ସାଧାରଣ ନିର୍ବାଚନରେ ୨୭୭.୦୧କୋଟି ଟଙ୍କା ଖର୍ଚ୍ଚ ପରେ ଦଳ ପାଖରେ ୬୨୫.୦୭କୋଟି ଟଙ୍କା ବଳକା ଥିବା ବିଜେଡି ତା’ର ଦସ୍ତାବିଜରେ ଦର୍ଶାଇଛି ।

ନିର୍ବାଚନ କମିଶନଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଥିବା ବିଜେଡିର ନିର୍ବାଚନୀ ଖର୍ଚ୍ଚ ତାଲିକାରୁ ଜଣାପଡ଼ିଛି ଯେ, ନିର୍ବାଚନୀ ଫଳାଫଳ ଜୁନ୍ ୪ତାରିଖରେ ପ୍ରକାଶ ପାଇବା ପରେ ଦଳର ଶୋଚନୀୟ ପରାଜୟକୁ ବିଜେଡି ନେତୃତ୍ୱ ହଜମ କରିପାରିନଥିଲେ । ଏହି ପରାଜୟର ଖୋଜିବା ପାଇଁ ଦଳ ଜୁନ୍ ୬ରୁ ୨୦ତାରିଖ ପର୍ଯ୍ୟନ୍ତ ଏକ ସର୍ଭେ କରିଥିଲେ, ଯାହାବାବଦରେ ଦଳ ପ୍ରାୟ ୨.୨୫କୋଟି ଟଙ୍କା ଖର୍ଚ୍ଚ କରିଛି । ବିଜେଡିର ନିର୍ବାଚନୀ ପରାଜୟ ପାଇଁ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରି ଦଳରେ ତୀବ୍ର ଅସନ୍ତୋଷକୁ ଦେଖି ଏହି ସର୍ଭେ ହୋଇଥିବା ଜଣାପଡ଼ିଛି । ଅବଶ୍ୟ ଏହି ସର୍ଭେ ରିପୋର୍ଟକୁ ଦଳ ଏପର୍ଯ୍ୟନ୍ତ ସାର୍ବଜନୀନ କରିନି । କିମ୍ବା ପରାଜୟର ସମୀକ୍ଷା ମଧ୍ୟ ଦଳୀୟସ୍ତରରେ କରିବାକୁ ଆଗଭର ହୋଇନାହିଁ । ଏହି ସର୍ଭେ କେବଳ ପାଣ୍ଡିଆନ ଓ ତାଙ୍କ ଟିମର ଦୋଷ ଛଡ଼ାଇବା ପାଇଁ ଓ ନବୀନଙ୍କ ଆଗରେ ସେମାନଙ୍କୁ କ୍ଲିନ୍ ସାର୍ଟିଫିକେଟ୍ ଦେବାକୁ ଉଦ୍ଦିଷ୍ଟ ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ସେହିପରି ଏହି ତଥ୍ୟରୁ ଜଣାପଡ଼ିଛି ଯେ, ନିଜର ଷ୍ଟାର କ୍ୟାମ୍ପେନରଙ୍କ ୨୩୨ଥର ବିମାନ ଯାତ୍ରା ପାଇଁ ୨୫.୪୬କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ସେଥିରୁ କାର୍ତ୍ତିକ ପାଣ୍ଡିଆନ ଏକା କେବଳ ୧୫୭ଥର ବିମାନ ଧରି ପ୍ରଚାରକୁ ଯାଇଛନ୍ତି । ଆଉ ସବୁଠୁ ବଡ଼କଥା ହେଲା ଦଳ ପକ୍ଷରୁ ଦାଖଲ ଦସ୍ତାବିଜରେ ପାଣ୍ଡିଆନଙ୍କ ନାଁ କେବଳ ‘କାର୍ତ୍ତିକ ପାଣ୍ଡିଆନ’ ଉଲ୍ଲେଖ ରହିଛି । ଅର୍ଥାତ୍ ପାଣ୍ଡିଆନ ଇତିମଧ୍ୟରେ ନିଜର ପିତୃଦତ୍ତ ନାଁକୁ ପରିବର୍ତ୍ତନ କରିଥିବା ବିଜେଡି ପକ୍ଷରୁ ପରୋକ୍ଷରେ ସନ୍ଦେଶ ଦିଆଯାଇଛି । ନଚେତ୍ ନିର୍ବାଚନ କମିଶନଙ୍କଙ୍କ ପାଖରେ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ରଖିବାକୁ ବିଜେଡି ସାହାସ କରିନଥାନ୍ତା ।

ସେହିପରି ଦଳ ପକ୍ଷରୁ ଗଣମାଧ୍ୟମ(ଉଭୟ ପ୍ରିଣ୍ଟ ଓ ଟିଭି ଚ୍ୟାନେଲ)ରେ ବିଜ୍ଞାପନ ବାବଦରେ ଦଳ ୪୭.୧୪କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ସୋସିଆଲ ମିଡିଆରେ ପ୍ରଚାରରେ ୮୩.୦୩କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି ଯେଉଁ ୩ଟି କମ୍ପାନୀକୁ ଏହି ସୋସିଆଲ ମିଡିଆ ପ୍ରଚାର ଦାୟିତ୍ୱ ଦେଇଥିଲା ସେଥିରେ ହରିୟାଣାର ଦୁଇଟି କମ୍ପାନୀ ଏକ୍ସପ୍ଲସଡ୍ ଇଭେଂଟ ପ୍ରାଃ ଲିଃ ଓ ଏକ୍ସପେରିଏନ୍ସ ପ୍ଲାଟଫର୍ମ ପ୍ରାଃ ଲିଃ ହେଉଛି ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା କମ୍ପାନୀ । ଆଉ ଦୁଇ ଏହି କମ୍ପାନୀକୁ ୮୧.୮୫କୋଟି ଟଙ୍କା (ଫେସବୁକ ପାଇଁ ପ୍ରାୟ ୭୫କୋଟି ଟଙ୍କା, ଇନଷ୍ଟାଗ୍ରାମ ପାଇଁ ୩.୪୦କୋଟି ଓ ଗୁଗଲ ବାବଦରେ ୩.୪୨କୋଟି) ଦିଆଯାଇଛି । ଆଉ ୧.୧୮କୋଟି ଟଙ୍କା ପାଟନାର ଏକ କମ୍ପାନୀକୁ ଭାବମୂର୍ତ୍ତି ସୁଧାରିବା ପାଇଁ ଦିଆଯାଇଥିବା ଦର୍ଶାଯାଇଛି ।

ବିଜେଡି ଦେଇଥିବା ତଥ୍ୟ ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନରେ ଦଳ ମୋଟ ୨୭୭ କୋଟି ୧ଲକ୍ଷ ୯୨ହଜାର ୪୪୩ଟଙ୍କା ଖର୍ଚ୍ଚ କରିଛି ଓ ସେଥିରୁ ୨୩.୩୮କୋଟି ଟଙ୍କା ଏବେବି ବାକି ପରିଶୋଧ କରିବାର ଅଛି । ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ପରେ ଦଳ ପାଖରେ ୬୨୫କୋଟି ୭ଲକ୍ଷ ୪୮ହଜାର ୫୩୨ଟଙ୍କା ବଳକା ରହିଥିବା ଦର୍ଶାଇଛି । ନିର୍ବାଚନ ଘୋଷଣା ହେବାବେଳେ ଦଳ ପାଖରେ ମୋଟ ୮୦୯.୬୪କୋଟି ଟଙ୍କାର ପାଣ୍ଠି ଥିଲା ଓ ନିର୍ବାଚନୀ ଘୋଷଣା ପରେ ଦଳକୁ ୬୦କୋଟି ଟଙ୍କା ଚାନ୍ଦା ମିଳିଛି । ସେଥିରେ  ବେଦାନ୍ତ ୨୫କୋଟି, ଏବି ଜେନେରାଲ ଇଲୋକ୍ଟ୍ରୋରାଲ ଟ୍ରଷ୍ଟ ୨୦କୋଟି, ପ୍ରୋଗ୍ରେସିଭ୍ ଇଲୋକ୍ଟ୍ରୋରାଲ ଟ୍ରଷ୍ଟ ୧୦କୋଟି ଓ ପ୍ର‌୍ୟୁଡେଣ୍ଟ ଇଲେକ୍ଟ୍ରୋରାଲ ଟ୍ରଷ୍ଟର ୫କୋଟି ଟଙ୍କା ଚାନ୍ଦା ରହିଛି ।

ସେହିପରି ନିର୍ବାଚନରେ ଭୋଟରଙ୍କ ମୁଡ୍ ପରଖିବାକୁ ବିଜେଡି ୨୦୨୪ ଏପ୍ରିଲ ୧୭ରୁ ଜୁନ୍ ୧ତାରିଖ ମଧ୍ୟରେ ବିଭିନ୍ନ ଦଫାରେ ସର୍ଭେ କରିଛି ଓ ସେବାବଦରେ ୬.୦୨କୋଟି ଟଙ୍କା ବ୍ୟୟ କରିଛି । ଦଳ ରୋଡ୍ ଶୋ’ ଓ ଅଟୋ-ବସ୍ ବ୍ରାଣ୍ଡିଂ ପାଇଁ ୧୦.୯୬କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଦଳ ନିଜର ବିଧାନସଭା ପ୍ରାର୍ଥୀଙ୍କୁ ୩୦ଲକ୍ଷ ଓ ଲୋକସଭା ପ୍ରାର୍ଥୀଙ୍କୁ ୫୦ଲକ୍ଷ ଟଙ୍କା ଦେଇଥିବା ଦର୍ଶାଇଛି ।

Related story