Advertisment

ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କ ଘରୁ ୧୦ ଲକ୍ଷ ଜବତ କଲା ଇଡି, କାର୍‌ ବି ସିଜ୍‌ ହେଲା

ବରପଦା ଇଞ୍ଜିନିୟରିଂ କଲେଜ ନାମରେ ପ୍ରଫୁଲ୍ଲ ସାମଲଙ୍କ ପୁଅ ଜମି ଆଣି ପରବର୍ତ୍ତୀ ସମୟରେ ତ୍ରିଷ୍ଣା ସ୍କାଏ ସ୍କ୍ରାପର ଲିମିଟେଡ ନାମକ ବିଲଡରଙ୍କୁ ସେଲଡିଡ୍ ମାଧ୍ୟମରେ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Vehicle Seized

Vehicle Seized

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ତଥା ତାଙ୍କ ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ସକାଳେ ଇଡି ପ୍ରଫୁଲ୍ଲ ସାମଲ ଙ୍କ ଭଦ୍ରକସ୍ଥିତ ଘରେ ଚଢ଼ାଉ କରିଥିବା ବେଳେ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ପଶିଛି ଇଡି। ଇଡି ଟିମ୍‌ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଛି। 

Advertisment

ବରପଦା ଇଞ୍ଜିନିୟରିଂ କଲେଜରେ ପ୍ରାୟ ୨୦କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ଇଡି ଟିମ୍‌ ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ୍‌ କରିଥିଲେ। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।

ପ୍ରୟାସକାନ୍ତି ସାମଲଙ୍କ ଘରୁ ଇଡି ଟିମ୍‌ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର ଗାଡ଼ି ଜବତ କରିଛି। ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତ୍ରିଷ୍ଣା ସ୍କାଏ ସ୍କାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ଜଣାଯାଇଛି। ବରପଦା ଇଞ୍ଜିନିୟରିଂ କଲେଜ ନାଁରେ କିଣାଯାଇଥିବା ଜମିକୁ ଏହି ସଂସ୍ଥାକୁ ଦିଆଯାଇଥିଲା। ପ୍ରୟାସକାନ୍ତି ସାମଲଙ୍କର ଏହି ସଂସ୍ଥା ସହ ବେଶ୍‌ ଘନିଷ୍ଠ ସମ୍ପର୍କ ଥିଲା।  ଗତକାଲି ରେଡ ସମୟରେ ପ୍ରୟାସକାନ୍ତି ଉପସ୍ଥିତ ନ ଥିଲେ। ତେଣୁ ଆଜି ପୁଣି ଥରେ ଇଡି ସେଠାକୁ ଯାଇପାରେ ବୋଲି ଅନୁମାନ କରାଯାଉଛି। 

Advertisment

ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା। କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ତ୍ରିଷ୍ଣା ସ୍କାଏ ସ୍କ୍ରାପର ନାଁ ଉଠୁଥିବାରୁ  ଇଡି ଟିମ୍‌ ଉକ୍ତ ବିଲଡର ସଂସ୍ଥାର ନିର୍ଦ୍ଦେଶକ ଦେବବ୍ରତ ଧୀରଙ୍କ ଘରେ ବି ଗତକାଲି ରେଡ କରିଥିଲା। ରେଡ ବେଳେ ସେଠାରୁ କିଛି ଜମି କିଣାବିକା କାଗଜପତ୍ର ଜବତ ହୋଇଛି।

ଉକ୍ତ କାଗଜପତ୍ର ଅନୁଯାୟୀ ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଭୁବନେଶ୍ୱରର କଣ୍ଟାବାଡ ଅଞ୍ଚଳରେ ୩୨ ଏକର ଜାଗା କିଣା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଉକ୍ତ ବିଲଡର ସଂସ୍ଥା ହାତକୁ ଟେକି ଦିଆଯାଇଛି। ତେବେ ଏହି ହସ୍ତାନ୍ତର ପ୍ରକ୍ରିୟା ଆଇନଗତ ଭାବେ ହୋଇଛି ନା ନାହିଁ ତାହାର ତଦନ୍ତ ଆରମ୍ଭ କରୁଛି ଇଡି ।

ଗତକାଲି ଇଡି ଟିମ୍‌ ଭଦ୍ରକ ସହରସ୍ଥିତ ପ୍ରଫୁଲ୍ଲ ସାମଲଙ୍କ ଘର ସମେତ ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ୍‌ କରିଥିଲେ। କେନ୍ଦ୍ରୀୟ ସୁରକ୍ଷା କର୍ମୀମାନେ ବିଜେଡି ବିଧାୟକ ଘର ଚାରିପଟେ ଜଗି ରହିଥିବା ବେଳେ କାହାକୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନ ଥିଲା। ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଅପର୍ତ୍ତିବିନ୍ଧାସ୍ଥିତ ଘରେ ମଧ୍ୟ ରେଡ୍‌ କରାଯାଇଥିଲା।

ତେବେ ଆମ ମହକିଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ପ୍ରଫୁଲ୍ଲ ସାମଲ ବହୁବିଧ ରୋଗରେ ଆକ୍ରାନ୍ତ, ତାଙ୍କୁ ଚିକିତ୍ସା ଦରକାର। ପ୍ରଫୁଲ୍ଲଙ୍କୁ ହଇରାଣ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ତାଙ୍କ ଓକିଲମାନେ ଗଣମାଧ୍ୟମକୁ କହିଥିଲେ।

BjD ED Raid