Advertisment

ବହିଷ୍କୃତ ପରେ ଗର୍ଜିଲେ ମହୁଆ: କହିଲେ- ମୋତେ ୪୯, ଆଉ ୩୦ ବର୍ଷ ବିଜେପି ସହ ଲଢ଼େଇ କରିବି

ବାହାରକୁ ଆସିବା ପରେ ମହୁଆ ଗଣମାଧ୍ୟମ ଆଗରେ ବିଜେପି ଉପରେ ବର୍ଷିଛନ୍ତି। କୌଣସି ପ୍ରମାଣ ନଥାଇ ଏଥିକ୍ସ କମିଟି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲେ ମୋତେ ୪୯ ବର୍ଷ। ଆଉ ୩୦ ବର୍ଷ ମୁଁ ବିଜେପି ସହ ସଂସଦ ଭିତରେ ଓ ବାହାରେ ଜୋରଦାର ଲଢ଼େଇ କରିବି ବୋଲି ସେ କହିଛନ୍ତି।

author-image
Hemant Lenka
Mahua

Mahua

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଆଜି ଲୋକସଭାରୁ ବହିଷ୍କୃତ କରାଯାଇଛି। ଏଥିକ୍ସ କମିଟିର ସୁପାରିସ ଆଧାରରେ ତାଙ୍କ ବିରୋଧରେ ବାଚସ୍ପତି ଓମ ବିର୍ଲା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Advertisment

ଏଥିକ୍ସ କମିଟି ରିପୋର୍ଟ ଉପରେ ମହୁଆଙ୍କୁ ପକ୍ଷ ରଖିବାକୁ ମଧ୍ୟ ଦିଆଯାଇନାହିଁ। ଏହାକୁ ବିରୋଧ କରି ମହୁଆଙ୍କ ସମର୍ଥନରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ସହ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି।

ବାହାରକୁ ଆସିବା ପରେ ମହୁଆ ଗଣମାଧ୍ୟମ ଆଗରେ ବିଜେପି ଉପରେ ବର୍ଷିଛନ୍ତି। କୌଣସି ପ୍ରମାଣ ନଥାଇ ଏଥିକ୍ସ କମିଟି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲେ ମୋତେ ୪୯ ବର୍ଷ। ଆଉ ୩୦ ବର୍ଷ ମୁଁ ବିଜେପି ସହ ସଂସଦ ଭିତରେ ଓ ବାହାରେ ଜୋରଦାର ଲଢ଼େଇ କରିବି ବୋଲି ସେ କହିଛନ୍ତି।

Advertisment

ମହୁଆ କହିଛନ୍ତି, “ଏଥିକ୍ସ ପ୍ୟାନେଲ ବିନା ପ୍ରମାଣରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା। ମୋତେ ୪୯ ବର୍ଷ। ଆଉ ୩୦ ବର୍ଷ ମୁଁ ଆପଣଙ୍କ ସହ ( ବିଜେପି) ସଂସଦ ଭିତରେ ଓ ବାହାରେ ଜୋରଦାର ଲଢ଼େଇ କରିବି। ବହିଷ୍କୃତ କରିବା ପାଇଁ ଏଥିକ୍ସ କମିଟି ପାଖରେ କୌଣସି କ୍ଷମତା ନାହିଁ। ଏହା ଆପଣମାନଙ୍କର (ବିଜେପି) ଶେଷ ସମୟର ଆରମ୍ଭ।

ଲୋକସଭା ଏଥିକ୍ସ ପ୍ୟାନେଲ ଓ ଏହାର ରିପୋର୍ଟ ସବୁ ନିୟମକୁ ଉଲ୍ଲଙ୍ଘନ କରିଛି। ଆମ ମାନଙ୍କୁ ଚୁପ କରିବା ପାଇଁ ଏହାକୁ ଏବେ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ସଦସ୍ୟମାନଙ୍କ ସୁରକ୍ଷା ପାଇଁ ଏଥିକ୍ସ କମିଟି ଗଠନ କରାଯାଏ। କିନ୍ତୁ ବିରୋଧୀ ଦଳର ନେତାଙ୍କୁ ଚୁପ କରିବା ପାଇଁ ଏହାକୁ ବ୍ୟବହାର କରାଯାଉଛି।

ଏଥିକ୍ସ କମିଟିର ନିୟମକୁ ମୁଁ ଉଲ୍ଲଙ୍ଘନ କରିଛି ବୋଲି ଭାବି ନିଆଯାଇଛି। ବାସ୍ତବରେ ଏହାର କୌଣସି ପ୍ରମାଣ ନାହିଁ। ଲୋକସଭାରେ ଯାହା ସବୁ ନିୟମିତ, ଯାହାର ଅଭ୍ୟାସ କରାଯାଏ ଓ ଯାହାକୁ ଆଗକୁ ନେବା ପାଇଁ ଉତ୍ସାହିତ କରାଯାଏ, ସେହି କାମ ପାଇଁ ଏଥିକ୍ସ ପ୍ୟାନେଲ ମୋତେ ଦଣ୍ଡିତ କରିଛି।

୨ ଜଣଙ୍କ ଲିଖିତ ଅଭିଯୋଗରେ ଏଥିକ୍ସ କମିଟି ଏକତରଫା ଭାବେ ନିଷ୍ପତ୍ତି ନେଇଛି। କିନ୍ତୁ ସେମାନଙ୍କ ଅଭିଯୋଗ ପରସ୍ପରର ବିରୋଧାଚରଣ କରୁଛି। ୨ ଅଭିଯୋଗ ମଧ୍ୟରୁ ଜଣେ ହେଉଛନ୍ତି ମୋର ପୂର୍ବତନ ପାର୍ଟନର। ସେ ଖରାପ ଉଦ୍ଦେଶ୍ୟ ରଖି ନିଜକୁ ଦେଶର ସାଧାରଣ ଲୋକ ଭାବେ କମିଟି ଆଗରେ ଉପସ୍ଥାପନ କରିଛନ୍ତି।

ନିର୍ଦ୍ଦିଷ୍ଟ ବ୍ୟବସାୟୀ ଗୋଟିଏ କଥା ସତ୍ୟପାଠରେ କହିଥିବା ବେଳେ ଅଭିଯୋଗକାରୀ ଆଉ ଗୋଟିଏ କଥା କହୁଛନ୍ତି। ଜଣେ କହୁଛନ୍ତି ମୁଁ ଟଙ୍କା ନେଇ ପ୍ରଶ୍ନ କରୁଥିଲି। ହେଲେ ଆଉ ଜଣେ କହୁଛନ୍ତି ଯେ ସେ ମୋ ପାଇଁ ପ୍ରଶ୍ନ ତିଆରି କରୁଥିଲେ। ପ୍ରଶ୍ନ ପଚାରିବା ପାଇଁ ଟଙ୍କା ଓ ଉପହାର ପାଇଥିବା କଥା କୁହାଯାଉଛି। ହେଲେ ଏହାର ମଧ୍ୟ କୌଣସି ପ୍ରମାଣ ନାହିଁ। କିଛି ବି ପ୍ରମାଣ ନଥାଇ ଏଥିକ୍ସ କମିଟି କାର୍ଯ୍ୟାନୁଷ୍ଠାନ ନେଇଛି।”

କେବଳ ମହୁଆ ନୁହନ୍ତି, ବିରୋଧୀ ଦଳର ଅନେକ ସାଂସଦ ଏପରି କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଆଦାନୀ ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରି ବିରୋଧୀଙ୍କୁ ଚୁପ କରିବା ପାଇଁ ଏହା ଏକ ଉଦ୍ୟମ ବୋଲି ବିରୋଧୀ ଦଳର ସାଂସଦମାନେ କହିଛନ୍ତି।

TMC Mahua Moitra