ପ୍ରତି ସୋମବାର ରାଜ୍ୟ ବିଜେପି ଅଫିସରେ ୨ ମନ୍ତ୍ରୀ ଶୁଣିବେ ଅଭିଯୋଗ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିକୁ ସ୍ୱାଗତ କରିଛନ୍ତି । ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜନତାଙ୍କ ସମସ୍ୟାର ସମାଧାନ ହେଉଛି ଆମର ପ୍ରାଥମିକତା।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

  • Published: Monday, 15 July 2024
  • , Updated: 15 July 2024, 10:31 PM IST

ଏଣିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ୨ଜଣ ମନ୍ତ୍ରୀ ଶୁଣିବେ ଅଭିଯୋଗ । ଦଳୀୟ କର୍ମୀ, କର୍ମକର୍ତ୍ତାଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଏଠାରେ ନିଜର ଆପତ୍ତି-ଅଭିଯୋଗ କରିପାରିବେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର କ୍ୟାବିନେଟ୍ ସହଯୋଗୀଙ୍କ ସହ ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଜାରି ରଖିଛନ୍ତି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିକୁ ସ୍ୱାଗତ କରିଛନ୍ତି । ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜନତାଙ୍କ ସମସ୍ୟାର ସମାଧାନ ହେଉଛି ଆମର ପ୍ରାଥମିକତା । ପ୍ରତ୍ୟେକ ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇଜଣ ମନ୍ତ୍ରୀ ଉପସ୍ଥିତ ରହିବେ ସାଧାରଣ ଲୋକ, ଦଳୀୟ କର୍ମକର୍ତ୍ତା ଓ ସାଧାରଣ କର୍ମୀଙ୍କଠୁ ଆପତ୍ତି-ଅଭିଯୋଗ ଶୁଣିବେ ।  ଲୋକଙ୍କ ସୁଖ ଦୁଃଖରେ ଭାଗୀ ହେବା ପାଇଁ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ଏହାଦ୍ୱାରା ବିଜେପି ଅଧିକ ଭାବେ ସାଧାରଣ ଲୋକଙ୍କ ନିକଟତର ହୋଇପାରିବ । ଆଜିଠାରୁ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ମୁକେଶ ମହାଲିଙ୍ଗ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଦୁଇ ମନ୍ତ୍ରୀ ଏସବୁ ଅଭିଯୋଗର ତ୍ୱରିତ ସମାଧନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ସାମଲ କହିଛନ୍ତି, ଅଭିଯୋଗ ଶୁଣାଣି କାର୍ଯ୍ୟକମ ପ୍ରଥମେ ବିଜେପି ଆରମ୍ଭ କରିଥିଲା । ଲୋକଙ୍କ ସମସ୍ୟା ଶୁଣିବା, ସେମାନଙ୍କ ସମସ୍ୟା ସହ ନିଜକୁ ଜଡିତ କରି ସମାଧାନ ରାସ୍ତା ବାହାର କରିବା ହେଉଛି ଜନସଂଘରୁ ବିଜେପି ପର୍ଯ୍ୟନ୍ତ ଯାତ୍ରାର ଏକ ପ୍ରମୁଖ କାର୍ଯ୍ୟକ୍ରମ । ପରବର୍ତୀ ସମୟରେ ଅନ୍ୟମାନେ ଏହି ପ୍ରକ୍ରିୟାକୁ ଅନୁସରଣ କରିଛନ୍ତି ।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ପାର୍ଟିରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ଲୋକଙ୍କ ସମସ୍ୟା ହେଉଛି ସରକାରଙ୍କ ସମସ୍ୟା । ଏହାର ସମାଧାନ କରିବା ହେଉଛି ବିଜେପି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଅଭିଯୋଗ ଶୁଣାଣି ଶିବିରରେ ହୋଇଥିବା ଅଭିଯୋଗଗୁଡ଼ିକର କିପରି ତ୍ୱରିତ ସମାଧାନ ହେବ ସେଥିପାଇଁ ବିଶେଷ ଭାବେ ଦୃଷ୍ଟି ଦିଆଯିବ । ଅଭିଯୋଗଗୁଡ଼ିକୁ ସେହି ବିଭାଗକୁ ପଠାଯାଇ ତୁରନ୍ତ ସମାଧାନ କରିବାକୁ ଜୋର ଦିଆଯିବ । ଏହି ଅଭିଯୋଗ ଶୁଣାଣିରେ ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ ।

Related story