Advertisment

ଇଭିଏମ୍ ଭଙ୍ଗା ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ସିଇଓ, ସନ୍ଦେହଘେରରେ ପୁଲିସର ବିଶ୍ୱସନୀୟତା

ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଜଗଦେବ ଭୋଟ୍ ଦେଉଥିବା ବେଳର ସିସିଟିଭି ଫୁଟେଜ୍ ସାର୍ବଜନୀନ କରିବା ପରେ ରାଜ୍ୟ ପୁଲିସ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅସଲ ଚରିତ୍ର ପଦାରେ ପଡ଼ିଛି।

ଅଦ୍ୟତନ ହୋଇଛି
CEO Office

CEO Office

Advertisment

ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଅଭିଯୋଗରେ ଗିରଫ କରାଯିବାକୁ ନେଇ ଏବେ ରାଜ୍ୟ ପୁଲିସ୍ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଜଗଦେବ ଭୋଟ୍ ଦେଉଥିବା ବେଳର ସିସିଟିଭି ଫୁଟେଜ୍ ସାର୍ବଜନୀନ କରିବା ପରେ ରାଜ୍ୟ ପୁଲିସ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅସଲ ଚରିତ୍ର ପଦାରେ ପଡ଼ିଛି।

Advertisment

ଏପଟେ ଇଭିଏମ୍ ମେସିନ୍ ଭଙ୍ଗା ଓ ଶ୍ରୀ ଜଗଦେବଙ୍କ ଗିରଫ ପ୍ରସଙ୍ଗକୁ ନେଇ ୩ଦିନ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଅଚାନକ ତତ୍ପରତା ଦେଖାଇ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ସିସିଟିଭି ଫୁଟେଜର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବଳବତ୍ତର ରହିଥିବା ସତ୍ତ୍ୱେ ପୁଲିସ୍ କିଭଳି ସତ୍ୟାସତ୍ୟ ଯାଂଚ ନକରି ଜଣେ ସିଟିଂ ବିଧାୟକଙ୍କୁ ଗିରଫ କଲା ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ କାହିଁକି ଏହି ଘଟଣାରେ ହସ୍ତକ୍ଷେପ କଲେନି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଅବଶ୍ୟ ଶ୍ରୀଜଗଦେବଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦିଆଯାଇଛି ବୋଲି ଦାବି କରି ବିଜେପି ଗତକାଲି ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ଏକାଧିକ ବାର ସାମ୍ବାଦିକ ସମ୍ମିଳନୀ କରି ଏହା ପଛରେ ତୃତୀୟ ମହଲାର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଆସୁଛି । ଏହି ଘଟଣାରେ ବିଜେପି ସିଧାସଳଖ ରାଜ୍ୟ ପୁଲିସକୁ ଦାୟୀ କରୁଥିବା ଏବଂ ଦୁଇଜଣ ବରିଷ୍ଠ ପୁଲିସ୍ ଅଧିକାରୀ ସନ୍ଦେହଜନକ ଭୂମିକା  ପରୋକ୍ଷରେ ରାଜ୍ୟ ପୁଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଆଜି ସକାଳେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି । ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଶ୍ରୀଜଗଦେବ ସମ୍ପୃକ୍ତ ନଥାଇ ମଧ୍ୟ ଶାସକ ପୁଲିସ ଷଡ଼ଯନ୍ତ୍ର କରି ବିନା ପ୍ରମାଣରେ ଜଣେ ସିଟିଂ ବିଧାୟକଙ୍କୁ ଗିରଫ କରିଛି ବୋଲି ସେ କହିଛନ୍ତି । ଏହାସହିତ ଅପରାଜିତାଙ୍କ ଟିମ୍ ପକ୍ଷରୁ ଉକ୍ତଦିନର ସିସିଟିଭି ଫୁଟେଜକୁ ମଧ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି ।

Advertisment

ସେହି ସିସିଟିଭି ଫୁଟେଜ୍ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ବିଜେଡିର ପ୍ରାୟୋଜିତ ଷଡ଼ଯନ୍ତ୍ରକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଛି । ଏପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ପରତା ଦେଖାଇଛନ୍ତି । ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କହିଛନ୍ତି ଯେ, ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀର ଏକ ମତଦାନ କେନ୍ଦ୍ରର ଭିଡିଓ କେତେକ ଇଲେକ୍ଟ୍ରୋନିକ ଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଆମ ଦୃଷ୍ଟିକୁ ଆସିଛି । ଉକ୍ତ ମତଦାନ ସଂଗ୍ରହ ଦିନ ୬୦ ପ୍ରତିଶତ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ ବ୍ୟବସ୍ଥା ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରଙ୍କ କଂଟ୍ରୋଲ ରୁମରେ ଏହି ଲାଇଭ୍ ୱେବକାଷ୍ଟିଂକୁ ଦେଖି ହେଉଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ହେଉଛନ୍ତି ୱେବକାଷ୍ଟିଂ ରେକର୍ଡର ରକ୍ଷକ । ତେଣୁ ଏହାର ତୁରନ୍ତ ତଦନ୍ତ କରି ଓ ଘଟଣା ଉପରେ ସ୍ପଷ୍ଟୀକରଣ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଇଓ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଏହି ସିସିଟିଭି ଭିଡ଼ିଓ ଫୁଟେଜ୍ କିଭଳି ପଦାକୁ ଆସିଲା ତା’ର ତଦନ୍ତ ହେବ ନା ଶ୍ରୀଜଗଦେବ ଇଭିଏମ୍ ମେସିନ୍ ଭାଙ୍ଗିଛନ୍ତି କି ନାହିଁ ତା’ର ସତ୍ୟାସତ୍ୟ ଯାଂଚ ହେବ, ତାହା ଜଣାପଡ଼ିନି ।

Bjp Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe