Advertisment

ନିଜ ଅଞ୍ଚଳରେ ହଟହଟା ହେଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା

ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ନିଜର ସମର୍ଥକଙ୍କ ସହ ଗୃହରାଷ୍ଟ୍ର ମନ୍ତ୍ରୀ ପହଞ୍ଚିଥିଲେ। ମନ୍ତ୍ରୀ ଆସିଲା ବେଳକୁ ସଭା କାର୍ଯ୍ୟ ହୋଇଯାଇଥିବାରୁ ମଞ୍ଚ ଉପରକୁ ଚଢ଼ିନଥିଲେ। ମଞ୍ଚ ତଳେ ବସିଥିଲେ।

BJD

BJD

Advertisment

ନିଜ ନିର୍ବାଚନମଣ୍ଡଳୀରେ ହଟହଟା ହେଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ମୁଖ୍ୟ ଅତିଥି ହୋଇ ଯାଇଥିଲେ। ହେଲେ ମଞ୍ଚରେ ପହଞ୍ଚିଲା ବେଳକୁ ସଭା କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ଯାହାକୁ ନେଇ ମନ୍ତ୍ରୀଙ୍କ ସମର୍ଥକ ଓ ପୂର୍ବତନ ବିଧାୟକଙ୍କ ସମର୍ଥକଙ୍କ ଭିତରେ ଠେଲାପେଲା ହୋଇଥିଲା। ସବୁଠାରୁ ମଜାଦାର କଥା ହେଉଛି ମଞ୍ଚ ଉପରେ ମନ୍ତ୍ରୀଙ୍କ ଆଗରେ ବିଡିଓ ଓ ବ୍ଲକ ଅଧ୍ୟକ୍ଷା ମାଇକ୍ରୋଫୋନ୍‌ ଛଡ଼ାଛଡ଼ି ହୋଇଥିଲେ।

Advertisment

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଅସ୍ତରଙ୍ଗ ଜାଗୁଳାଇ ପଡ଼ିଆରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ କରିଥିଲା ବ୍ଲକ୍‌ ପ୍ରଶାସନ। ସେପଟେ ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ମୁଖ୍ୟ ଅତିଥି ପାଇଁ ନିମନ୍ତ୍ରଣ କରିଥିଲେ ଅସ୍ତରଙ୍ଗ ବ୍ଲକ୍‌ ଅଧ୍ୟକ୍ଷ ଆରତୀ ନାୟକ ଓ ସରପଞ୍ଚ ରାମଚନ୍ଦ୍ର କାଣ୍ଡି।

ଆଜି ନିର୍ଦ୍ଧାରିତ ସମୟରେ ସଭା ସ୍ଥଳକୁ କର୍ମୀ ଓ ନେତାମାନେ ଆସିଥିଲେ। ହେଲେ ମୁଖ୍ୟଅତିଥି ଭାବେ ନିମନ୍ତ୍ରିତ ହୋଇଥିବା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆସିବାରେ ବିଳମ୍ୱ କରିଥିଲେ। ଏହାର ସୁଯୋଗ ନେଇ ବ୍ଲକ୍‌ ଅଧ୍ୟକ୍ଷା ଓ ସରପଞ୍ଚ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ଦ୍ୱାରା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଦେଇଥିଲେ। ତା’ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥିମାନେ ଭାଷଣ ମଧ୍ୟ ଦେଇଥିଲେ।

Advertisment

ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ନିଜର ସମର୍ଥକଙ୍କ ସହ ଗୃହରାଷ୍ଟ୍ର ମନ୍ତ୍ରୀ ପହଞ୍ଚିଥିଲେ। ମନ୍ତ୍ରୀ ଆସିଲା ବେଳକୁ ସଭା କାର୍ଯ୍ୟ ହୋଇଯାଇଥିବାରୁ ମଞ୍ଚ ଉପରକୁ ଚଢ଼ିନଥିଲେ। ମଞ୍ଚ ତଳେ ବସିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଖଣ୍ଡ ଯୁଦ୍ଧ। ପୂର୍ବତନ ବିଧାୟକଙ୍କ ସମର୍ଥକ ଓ ମନ୍ତ୍ରୀଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ପୁଲିସ୍‌ ନାକେଦମ୍‌ ହୋଇଥିଲା। ସେପଟେ ବ୍ଲକ୍‌ ଅଧ୍ୟକ୍ଷା ଓ ବିଡିଓଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବିଡିଓଙ୍କ ହାତରୁ ବ୍ଲକ୍‌ ଅଧ୍ୟକ୍ଷା ମାଇକ୍ରୋଫୋନ୍‌ ଛଡ଼ାଇବାକୁ ଉଦ୍ୟମ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ଭିତରେ ଟଣା ଓଟରା ହୋଇଥିଲା। ଜଣେ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ଟଣାଓଟରାକୁ ମଞ୍ଚ ତଳେ ବସିଥିବା ଲୋକମାନେ ଟାହି ଟାପରା କରିଥିଲେ।

ହୋ-ହଲ୍ଲା ଭିତରେ ବିଡିଓଙ୍କ ଅନୁରୋଧ କ୍ରମେ ମଞ୍ଚକୁ ଯାଇଥିଲେ ଗୃହରାଷ୍ଟ୍ରମନ୍ତ୍ରୀ। ମଞ୍ଚରେ ସୁରେନ୍ଦ୍ର ସେଠୀଙ୍କ ପାଖରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବସିଥିଲେ। ତା’ପରେ ଆଉ ଥରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଷଣ ଦେଲା ବେଳେ ସୁରେନ୍ଦ୍ର ସେଠୀ ମନ୍ତ୍ରୀଙ୍କୁ କଟାକ୍ଷ ମଧ୍ୟ କରିଥିଲେ। ସେପଟେ ମୁଖ୍ୟଅତିଥି ମଞ୍ଚ ଉପରେ ଅସହାୟତା ପ୍ରକାଶ କରିଥିଲା ପରି ଲାଗୁଥିଲେ।

ସୂଚନାରୁ ପ୍ରକାଶ, ୨୦୧୪ ସାଧାରଣ ନିର୍ବାଚନରେ କାକଟପୁର ନିର୍ବାଚନମଣ୍ଡଳୀରୁ ସୁରେନ୍ଦ୍ର ସେଠୀ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ତାଙ୍କୁ ଟିକଟ ମିଳିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିଲେ ବିଜେଡି। ଆଉ ନିର୍ବାଚନରେ ବିଜୟୀ ହୋଇଥିଲେ ତୁଷାରକାନ୍ତି। ତା’ପରେ ଦୁଇ ପକ୍ଷ ଭିତରେ ଆରମ୍ଭ ହୋଇଥିଲା ଛକାପଞ୍ଝା ରାଜନୀତି। ଗତ ପଞ୍ଚାୟତ ନିର୍ବାଚନରେ ତୁଷାରକାନ୍ତିଙ୍କୁ ଚକ୍‌ମା ଦେଇ ସୁରେନ୍ଦ୍ର ସେଠୀଙ୍କ ସମର୍ଥକ ଦୁଇଟି ବ୍ଲକରେ ଅଧ୍ୟକ୍ଷ ପଦବୀ ଅକ୍ତିଆର କରିଥିଲେ। ତା’ପରଠାରୁ ଆରମ୍ଭ ଠେଲାପେଲା ରାଜନୀତି। ଦୁଇ ବ୍ଲକରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ତୁଷାରକାନ୍ତିଙ୍କୁ ଅତିଥି କରି ଡାକୁନାହାନ୍ତି ସୁରେନ୍ଦ୍ର ସେଠୀଙ୍କ ସମର୍ଥକ। ଯେଉଁଥିପାଇଁ ହଟ୍ଟହଟା ହେଉଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

ତେବେ ଏନେଇ ତୁଷାରକାନ୍ତି ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- କୋରାର୍କରୁ ସଞ୍ଜୟ ପତି

BjD Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe