କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ବଳଭଦ୍ର ମାଝୀ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇ ଥର ମନ୍ତ୍ରୀ ହୋଇଥିଲେ।

ବଳଭଦ୍ର ମାଝୀ (ଫାଇଲ ଫଟୋ)

  • Published: Wednesday, 24 January 2024
  • , Updated: 24 January 2024, 02:56 PM IST

ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସମାବେଶରେ ସେ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ମିଶି ଥିଲେ।  

ବଳଭଦ୍ର ମାଝୀ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇ ଥର ମନ୍ତ୍ରୀ (ନବୀନ ପଟ୍ଟନାୟକଙ୍କ ପ୍ରଥମ ଓ ଦ୍ୱିତୀୟ ପାଳିରେ) ମଧ୍ୟ ହୋଇଥିଲେ। ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ୪ ଥର ନିର୍ବାଚିତ ହୋଇଥିବା ବେଳେ ଲାଞ୍ଜିଗଡ଼ ଆସନରୁ ଥରେ ବିଜୟୀ ହୋଇଥିଲେ।

୧୯୯୦ ଓ ୧୯୯୫ରେ ବଳଭଦ୍ର ମାଝୀ ଜନତା ଦଳ ଟିକେଟରେ ନର୍ଲାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ଗଠନ ହେବା ପରେ ସେ ସେଥିରେ ମିଶିଥିଲେ। ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ନର୍ଲା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୯ରେ ସେ ବିଜେଡି ଟିକେଟରେ ଲାଞ୍ଜିଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ତେବେ ୨୦୧୪ ବିଜେଡି ପୁଣି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଦଳ ଲାଞ୍ଜିଗଡ଼ରେ ପ୍ରଦୀପ କୁମାର ଦିଶାରୀଙ୍କୁ ପ୍ରାର୍ଥୀ କରିଥିଲା।

ଜାନୁଆରୀ ୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର ମାଝୀ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ବଳଭଦ୍ର ମାଝୀ ଲେଖିଥିଲେ, ୧୯୯୭ରେ ଦଳ ଗଠନ ହେବା ପରଠାରୁ ଆପଣଙ୍କ ସହିତ କାମ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।

ବଳଭଦ୍ର ମାଝୀ ଇସ୍ତଫା ପତ୍ରରେ ତାଙ୍କର ଏହି ପଦକ୍ଷେପର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନଥିଲେ। ତେବେ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି। କିନ୍ତୁ ଭେଟିବାକୁ ଦିଆଗଲାନି। ଜଣେ କର୍ମଚାରୀଙ୍କ ମାଧ୍ୟମରେ ଭେଟିବାକୁ କୁହାଗଲା। ଉଦ୍ୟମ କରି ବି ଭେଟିପାରିଲି ନାହିଁ। ତେଣୁ ଇସ୍ତଫା ଦେଲି।

ବଳଭଦ୍ର କହିଥିଲେ, ବିଜୁ ଜନତା ଦଳରେ କୋଟେରୀ ଗ୍ରୁପ୍‌ ସକ୍ରିୟ ଅଛନ୍ତି। ପ୍ୟାରୀଙ୍କ ପାଖରେ ଯେଉଁ କୋଟେରୀ ଥିଲେ, ଏବେ ପାଣ୍ଡିଆନଙ୍କ ପାଖରେ ଅଛି। ସେହି କୋଟେରୀ ଥିବା ପର୍ଯ୍ୟନ୍ତ ମୋତେ କେବେ ବି ସୁଯୋଗ ମିଳିବନି।

Related story