Advertisment

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

କମଳା ଦାସଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
kamala das

kamala das

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ ହୋଇଛି। ଗତକାଲି ରାତି ୧୨ଟା ୧୫ ମିନିଟରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ହୋଇଥିଲା। 

Advertisment

କମଳା ଦାସଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ସେ ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି।  

କମଳା ଦାସ ଜନତା ଦଳରେ ଥିଲେ। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ପରେ ସେଥିରେ ଯୋଗ ଦେଇଥିଲେ। ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେଇଥିଲେ। 

Advertisment

କମଳା ଦାସ ଜନତା ଦଳ ଟିକେଟରେ ୧୯୯୦ ମସିହାରେ ଭୋଗରାଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ସେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ସେ ରାଜ୍ୟ ଶିକ୍ଷା ଓ ଯୁବ ସେବା ବିଭାଗର ମନ୍ତ୍ରୀ ଭାବେ ୨୪ ଜୁଲାଇ ୧୯୯୦ରୁ ୪ ଜାନୁଆରୀ ୧୯୯୩ ଯାଏଁ କାର୍ଯ୍ୟ କରିଥିଲେ। ଏହାପରେ ସେ ୧୫ ମାର୍ଚ୍ଚ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

୧୯୯୫ ମସିହାରେ କମଳା ଦାସ ପୁଣି ଥରେ ଜନତା ଦଳ ଟିକେଟରେ ଭୋଗରାଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ ହୋଇଥିଲା ଏବଂ କମଳା ସେଥିରେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ସେ ବିଜୁ ଜନତା ଦଳରୁ ଭୋଗରାଇ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ସାମିଲ ହୋଇଥିଲେ। କମଳା ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ ୬ ମାର୍ଚ୍ଚ ୨୦୦୦ରୁ ୯ ଜୁଲାଇ ୨୦୦୧ ଯାଏଁ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ୨୦୧୪ ମସିହାରେ ସେ ପୁଣିଥରେ ବିଜେଡିକୁ ଫେରିଥିଲେ।  

କମଳା ଦାସ ୧୯୪୫ ମସିହାର ଅଗଷ୍ଟ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲେ ଗୟା ପ୍ରସାଦ ପାତ୍ର। ସେ ଜଣେ ଡାକ୍ତର ଥିଲେ।  ଏମ୍.ବି.ବି.ଏସ୍ ପରେ ଏମ୍‌.ଏସ୍ କରିଥିଲେ। ସେ କାଳୀ କୁମାର ଦାସଙ୍କୁ ବିବାହ କରିଥିଲେ।

Cuttack