Advertisment

ସ୍ୱାଧୀନ ପ୍ରାର୍ଥୀ ହେବେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ!

ପ୍ରେମାନନ୍ଦ ନାୟକ ସ୍ୱାଧୀନ ଭାବେ ଏଥର ନିର୍ବାଚନ ଲଢ଼ିଲେ ଉଭୟ ବିଜେଡି ଓ ବିଜେପିର ଅଙ୍କ ଭୁଲ୍ ହୋଇଯିବ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Premananda Naik

Premananda Naik

ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ମିଳିଲାନି ତଥା ଦଳରେ ଅଣଦେଖା କରି ରଖାଗଲା ଆଦି ଅଭିଯୋଗ କରି ବିଜେଡି ଛାଡ଼ି ୨ ମାସ ତଳେ ବିଜେପିରେ ଯୋଗ ଦେଇଥିବା ପ୍ରେମାନନ୍ଦ ନାୟକ ତେଲକୋଇ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି। ଏ ସଂପର୍କିତ ଆଲୋଚନାକୁ ସେ ଖଣ୍ଡନ କରି ନଥିବା ବେଳେ ନାମାଙ୍କନ ପତ୍ର ମଧ୍ୟ କିଣିସାରିଛନ୍ତି। 

Advertisment

ଗତ ଫେବ୍ରୁଆରୀ ମାସ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭରେ ବିଜେଡିରୁ ଇସ୍ତଫା ଦେଇଥିଲେ ତେଲକୋଇରୁ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରେମାନନ୍ଦ ନାୟକ। ଗତ ମାର୍ଚ୍ଚ ୪ ତାରିଖରେ ସେ ବିଜେପିରେ ମିଶିଥିଲେ। ଆଶା ରଖିଥିଲେ ବିଜେପି ତାଙ୍କୁ ତେଲକୋଇରୁ ଟିକେଟ ଦେବ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ତେଲକୋଇରୁ ବିଜେପି ଡାକ୍ତର ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି। ଫକୀର ମୋହନ ନାୟକ ଆନନ୍ଦପୁର ଅଞ୍ଚଳର ଲୋକ। ସେହିପରି ବିଜେଡି ତେଲକୋଇରୁ ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଛି। ସେ ବି ବାହାର ଅଞ୍ଚଳର ଲୋକ। ସେଥିପାଇଁ ପ୍ରେମାନନ୍ଦଙ୍କୁ ତାଙ୍କ ସମର୍ଥକମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏଥର ତେଲକୋଇରୁ ନିର୍ବାଚନ ଲଢ଼ିବାକୁ ପ୍ରବର୍ତ୍ତାଉଥିବା ଜଣାପଡ଼ିଛି। ଏମିତିକି ଦୁଇ ଦିନ ତଳେ ପ୍ରେମାନନ୍ଦ ନାୟକ କେନ୍ଦୁଝର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର କିଣିଛନ୍ତି। ନାମାଙ୍କନ ପତ୍ର କିଣିଥିବା କଥାକୁ ସ୍ୱୀକାର କରିଛନ୍ତି ପ୍ରେମାନନ୍ଦ।  ତେବେ କେବେ ନାମାଙ୍କନ ପତ୍ର ଦାଖଲ କରିବେ, ସେ ନେଇ କିଛି କହି ନାହାନ୍ତି।

Advertisment

ପ୍ରେମାନନ୍ଦ ନାୟକ କହିଛନ୍ତି, ଦୁଇ ତିନି ଦିନ ହେଲା ମୋର ଶୁଭାକାଂକ୍ଷୀ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା ହୋଇଛି। ବିଜେପି ଓ ବିଜେଡି ତେଲକୋଇ ନିର୍ବାଚନ ମଣ୍ଡଳୀ ବାହାରୁ ଲୋକଙ୍କୁ ଆଣି ପ୍ରାର୍ଥୀ କରିଛନ୍ତି। ମୁଁ ଏହି ମାଟିର ସନ୍ତାନ। ତା’ସହିତ ମୁଁ ବିଧାୟକ ଥିବା ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଅନ୍ୟାନ୍ୟ ଦିଗକୁ ବିଚାରି କରି ମୋ ଶୁଭାକାଂକ୍ଷୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ମୋତେ ନିର୍ବାଚନ ପ୍ରକ୍ରିୟାକୁ ସାମିଲ ହେବାକୁ କହୁଛନ୍ତି। ଆମର (ବିଜେପିର) ଟିକେଟ ଘୋଷଣା ହେଲା ପରେ ମୋତେ କେହି (ଦଳୀୟ ନେତୃତ୍ୱ) ଯୋଗାଯୋଗ କରି ନାହାନ୍ତି। ସେମାନଙ୍କ (ବିଜେପି ନେତୃତ୍ୱ) ଆଭିମୁଖ୍ୟ କ’ଣ ରହିବ, ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ମା’, ମାଟି କଥା ଚିନ୍ତା କରିବାକୁ ପଡୁଛି।

ପ୍ରେମାନନ୍ଦଙ୍କ ସମର୍ଥକମାନେ ଦାବି କରିଛନ୍ତି ଯେ ସେ ଏହି ଅଞ୍ଚଳରେ ଅନେକ କାମ କରିଛନ୍ତି। ତେଲକୋଇର ୪୦ବର୍ଷର ସମସ୍ୟା ଚକଧର ନଦୀବନ୍ଧ ଯୋଜନା କିପରି ବନ୍ଦ ହେବ ତାକୁ ନେଇ ସେ ଯୋଜନା କରିଥିଲେ। ସମାକୋଇ ନଦୀର ଉପରମୁଣ୍ଡରେ ଦୁଇଟି ବଡ଼ ଚେକ୍ ଡ୍ୟାମ୍ ତାଙ୍କରି ପ୍ରଚେଷ୍ଟାରେ ଏବେ ନିର୍ମାଣାଧୀନ ରହିଛି। ତେଣୁ ପ୍ରେମାନନ୍ଦ ନାୟକ ସ୍ୱାଧୀନ ଭାବେ ଏଥର ନିର୍ବାଚନ ଲଢ଼ିଲେ ଉଭୟ ବିଜେଡି ଓ ବିଜେପିର ଅଙ୍କ ଭୁଲ୍ ହୋଇଯିବ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି।

ସୂଚନାଯୋଗ୍ୟ, ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଦସ୍ୟ ପଦକୁ ରଦ୍ଦ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ୨୦୦୯ ଓ ୨୦୧୯ରେ ତେଲକୋଇରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ। ୨୦୧୪ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା।

ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ

BjD Bjp Odisha Assembly Election 2024