Advertisment

ଶ୍ରୀକାନ୍ତ ଜେନାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ

୧୯୯୦ରେ ସ୍ୱାଧୀନ ଭାବେ ନୀଳଗିରି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ।

author-image
Jitendra Garnayak
Chittaranjan Sarangi

Chittaranjan Sarangi

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ଦଳର ବାଲେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଦୁର୍ବ୍ୟବହାର ଓ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ଏହା ସହିତ ସ୍ୱାଧୀନ ଭାବେ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଶ୍ରୀକାନ୍ତ ଜେନାଙ୍କୁ ଚ୍ୟାଲେଞ୍ଜ ଦେଇ ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ମୋ ରାଜନୀତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ ହୋଇଥିଲା। ମୁଁ କଂଗ୍ରେସକୁ ଭଲ ପାଏ। କିନ୍ତୁ ଏବେ ଯେଉଁ କାର୍ଯ୍ୟକଳାପ ଚାଲିଛି, ସେଥିରେ ଅସନ୍ତୋଷ ପ୍ରକାଶ କରି ଅତ୍ୟନ୍ତ ଦୁଃଖିତ ହୋଇ ଦଳରୁ ଇସ୍ତଫା ଦେଇଛି। ସେ (ଶ୍ରୀକାନ୍ତ ଜେନା) ଯେଉଁ ଭାଷା କହନ୍ତି, ତାହା ଆମକୁ ଭଲ ଲାଗେ ନାହିଁ। ଖାଲି ଗୁରୁଜନ ବୋଲି କିଛି କହି ହୁଏ ନାହିଁ। ତୋ ହାତରେ ଭୋଟ୍ ନାହିଁ, ତା’ ହାତରେ ଭୋଟ୍ ନାହିଁ ବୋଲି ସେ କହନ୍ତି। ଆମ ହାତରେ ଭୋଟ୍ ଅଛି କି ନାହିଁ, ତାଙ୍କୁ ଦେଖାଇବାକୁ ପଡ଼ିବ। ମୁଁ ଥରେ ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନ ଲଢ଼ି ଜିତି ସାରିଛି। ଏଥର ଲୋକସଭା ନିର୍ବାଚନ ଲଢ଼ିବି। ମୋ ହାତରେ ଭୋଟ୍ ଅଛି କି ନାହିଁ, ତାଙ୍କୁ ଦେଖାଇବି। ନୀଳଗିରିରେ ମୁଁ ନିଶ୍ଚିତ ତାଙ୍କଠାରୁ ଅଧିକ ଭୋଟ୍ ପାଇବି। ମୁଁ ବିଭିନ୍ନ ସଂଗଠନ ସହିତ ଆଲୋଚନା କରୁଛି।

Advertisment

ଚିତ୍ତରଂଜନ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ ଶ୍ରୀକାନ୍ତ ଜେନାଙ୍କ ଦୁର୍ବ୍ୟବହାର କଥା ଲେଖିଛନ୍ତି। ତେବେ ତାଙ୍କ ଅଭିଯୋଗ ନେଇ ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

୧୯୯୦ରେ ସ୍ୱାଧୀନ ଭାବେ ନୀଳଗିରି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ପରବର୍ତ୍ତୀ ସମୟରେ ଜନତା ଦଳ ଓ ବିଜୁ ଜନତା ଦଳ ସହିତ ଥିଲେ। ତେବେ ୨୦୧୫ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।

Congress Chittaranjan Sarangi