Advertisment

ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଆଜି ସକାଳେ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
BJP Leaders

BJP Leaders

ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟାହ୍ନରେ ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରିୟଦର୍ଶୀ ମିଶ୍ର ଦଳରେ ଯୋଗ ଦେଇଥିଲେ। 

Advertisment

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ହେଉଛନ୍ତି ପ୍ରିୟଦର୍ଶୀ ମିଶ୍ର। ସେ ୨୦୧୪ରେ ଉତ୍ତର ଭୁବନେଶ୍ୱର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା।   

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରିୟଦର୍ଶୀ ମିଶ୍ର କହିଥିଲେ, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ତା’ର ପ୍ରତିବାଦରେ ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। 

Advertisment

ସେ ଆହୁରି କହିଥିଲେ, ଦଳ ଲଗାତାର ମୋତେ ଅଣଦେଖା କରିଛି। ଦଳ ମୋତେ ଲଗାତାର ଧୋକା ଦେଇ ଚାଲିଛି। ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା। ମୋତେ ଦଳ ପାଇଁ କାମ କରିବାକୁ କୁହାଯାଇଥିଲା। ୨୦୨୪ରେ ଟିକେଟ୍ କଥା ଦେଖାଯିବ ବୋଲି କୁହାଯାଇଥିଲା। ପରେ ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା। ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା। ପାର୍ଟି ପାଇଁ କାମ କରିବାକୁ କୁହାଯାଇଥିଲା। ତା’ସହିତ ୨୦୨୪ରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଥିଲା। ମୁଁ ସେହି ନିର୍ଦ୍ଦେଶ ମାନିଥିଲି। କିନ୍ତୁ ପରେ ଯେମିତି ଦାୟିତ୍ୱ ଦିଆଯିବା କଥା ତାହା ଦିଆଯାଇ ନଥିଲା। ଯେତେବେଳେ ଦେଖିଲି ମୁଁ ଦଳ ପାଇଁ ଅଲୋଡ଼ା ହୋଇଯାଉଛି, ତେଣୁ ବାଧ୍ୟ ହେଲି ଇସ୍ତଫା ଦେବାକୁ। ସେହିପରି ଦଳ ମୋତେ ପୁଣି ଥରେ ଧୋକା ଦେବ ବୋଲି ମୋର ହୃଦ୍‌ବୋଧ ହୋଇଥିଲା। ତେଣୁ ତା’ ପୂର୍ବରୁ ଦଳରୁ ବାହାରିଯିବାକୁ ଉଚିତ୍ ମଣିଲି। 

Bjp Odisha Assembly Election 2024