Advertisment

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

୨୦୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏନ୍‌. ଭାସ୍କର ରାଓ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhaskar Rao

Bhaskar Rao

ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ତାଙ୍କ ସହିତ ରାୟଗଡ଼ାରୁ ଦଳର ଆଉ ଦୁଇ ଜଣ ବଡ଼ ନେତା ମଧ୍ୟ ଇସ୍ତଫା ଦେଇଛନ୍ତି। ସେମାନେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା।

Advertisment

ବିଜେଡିରୁ ଇସ୍ତଫା ଦେବାର ଠୋସ୍ କାରଣ ଏନ୍‌. ଭାସ୍କର ରାଓ ତାଙ୍କ ଇସ୍ତଫାପତ୍ରରେ ଲେଖି ନଥିଲେ ହେଁ ରାୟଗଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ ବୋଲି ଜଣାପଡ଼ିଛି। ଇସ୍ତଫାପତ୍ରରେ ସେ ଲେଖିଥିବା ଗୋଟିଏ ଦୁଇଟି ଧାଡ଼ିରେ ସେ ପରୋକ୍ଷରେ ତାଙ୍କର କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ୁଛି।

ଇସ୍ତଫାପତ୍ରରେ ସେ ଲେଖିଛନ୍ତି, ମୁଁ ଅନୁଭବ କରୁଛି ଯେ ଆମ ଦଳର ଆବଶ୍ୟକତାକୁ ମୁଁ ସନ୍ତୋଷଜନକ ଭାବେ ପୂରଣ କରିବା ଦିଗରେ ନ୍ୟାୟ ପ୍ରଦାନ କରିପାରି ନାହିଁ।

Advertisment

ସେହିପରି ସେ ଲେଖିଛନ୍ତି, ମୁଁ ଭାବୁନାହିଁ ବ୍ୟକ୍ତିଗତ ଭାବେ ମୁଁ କ’ଣ ହରାଇଲି ଓ କ’ଣ ପାଇଲି, ତାହା ବର୍ଣ୍ଣନା କରିବାର କିଛି ଆବଶ୍ୟକତା ରହିଛି। ତାହା ଆପଣକୁ ବି ଭଲ ଭାବେ ଜଣାଅଛି।

ତେବେ ଅନ୍ୟ ଏକ ଧାଡ଼ିରେ ଏନ୍. ଭାସ୍କର ରାଓ ଲେଖିଛନ୍ତି ଯେ କୌଣସି କାରଣ ପାଇଁ କାହାରି ବିରୋଧରେ ତାଙ୍କର କୌଣସି ପ୍ରକାର ଅଭିଯୋଗ ନାହିଁ।

ଇସ୍ତଫାପତ୍ରରେ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନିମନ୍ତ୍ରଣକ୍ରମେ ସେ ବିଜୁ ପରିବାରରେ ସାମିଲ ହୋଇଥିଲେ। ୧୯୭୪ରେ ସେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ସେହିଦିନଠାରୁ ସେ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ। ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ସେ ତାଙ୍କ ଦକ୍ଷତା ଅନୁସାରେ କାର୍ଯ୍ୟ କରିଛନ୍ତି। ଯେତେବେଳେ ଦଳ ଯାହା କାର୍ଯ୍ୟ ଦେଇଛି, ତାହା ସେ କରିଛନ୍ତି।

ଏନ୍‌. ଭାସ୍କର ରାଓ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ତାଙ୍କ ଜିଲ୍ଲାର ଲୋକଙ୍କ ପାଇଁ ସେ ସମାଜସେବାରେ ନିଜକୁ ନିୟୋଜିତ କରିବେ। କାରଣ ତାଙ୍କର ୫୧ ବର୍ଷର ରାଜନୀତିକ କ୍ୟାରିୟରରେ ସେ ତାଙ୍କ ଜିଲ୍ଲାର ଜନସାଧାରଣ ଓ ସମର୍ଥକଙ୍କଠାରୁ ଅକୁଣ୍ଠିତ ଭଲ ପାଇବା ପାଇଛନ୍ତି। ବର୍ତ୍ତମାନ ସମୟ ଆସିଛି ଯେ ସେ ତାଙ୍କ ଜିଲ୍ଲାର ଲୋକଙ୍କୁ ସମାନ ଭଲ ପାଇବା ଫେରସ୍ତ କରିବେ। 

ବିଜେଡି ଛାଡ଼ିବା ସହିତ ଏନ୍. ଭାସ୍କର ରାଓ ବିଜୁ ସ୍ୱାଭିମାନ ମଞ୍ଚର ଗଠନ ନେଇ ସୂଚନା ଦେଇଛନ୍ତି। ଏହାର ସେ ଆବାହାକ ରହିଛନ୍ତି। ଏହାର ବ୍ୟାନରରେ ଲେଖାଯାଇଛି ସ୍ୱାଭିମାନ ସହ ସାଲିସ ନାହିଁ।

ସୂଚନାଯୋଗ୍ୟ, ୨୦୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏନ୍‌. ଭାସ୍କର ରାଓ।