Advertisment

‘ଭୋଟର ସଂଖ୍ୟା ବୃଦ୍ଧି’ ପୋଷ୍ଟକୁ କାହିଁକି ଡିଲିଟ କଲେ ନିର୍ବାଚନ ବିଶ୍ଳେଷକ? ତ୍ରୁଟି ନା ଭୟ?

ହଠାତ୍‌ ୟୁ-ଟର୍ଣ୍ଣର କାରଣକୁ ନେଇ ଚର୍ଚ୍ଚା ଲାଗି ରହିଛି। କୌଣସି ଅଦୃଶ୍ୟ ଶକ୍ତିର ଚାପରେ କୁମାର ଏପରି କରିଛନ୍ତି ନା ସତରେ ତଥ୍ୟଗତ ତ୍ରୁଟି ଥିଲା, ତା’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

author-image
Hemant Lenka
Vote

Vote

ଦେଶର ପ୍ରସିଦ୍ଧ ନିର୍ବାଚନ ବିଶ୍ଳେଷକ ତଥା ଲୋକନୀତି-ସିଏସ୍‌ଡିଏସ୍‌ର ସହ ନିର୍ଦ୍ଦେଶକ ସଞ୍ଜୟ କୁମାରଙ୍କ ପାଇଁ ଏବେ ରାଜନୀତିକ ବିବାଦ ତୀବ୍ର ହୋଇଛି। ତାଙ୍କ ସଂସ୍ଥା ନିର୍ବାଚନ ଉପରେ ବିଶ୍ଲେଷଣ କରିବା ସହ ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ପ୍ରକାଶ କରିଥାଏ।

Advertisment

ନିକଟରେ ସଞ୍ଜୟ କୁମାର ନିଜର ଏକ୍ସ ଆକାଉଣ୍ଟରେ ମହାରାଷ୍ଟ୍ରର ୨ଟି ବିଧାନସଭା ଆସନ ନାଶିକ ୱେଷ୍ଟ ଓ ହିଙ୍ଗାନାରେ ଭୋଟରଙ୍କ ସଂଖ୍ୟା ୨୦୨୪ ଲୋକସଭା ନିର୍ବାଚନ ତୁଳନାରେ ବିଧାନସଭା ନିର୍ବାଚନ ବେଳକୁ କେମିତି ଅହେତୁକ ବୃଦ୍ଧି ପାଇଥିଲା, ସେକଥା କହିଥିଲେ। ଏନେଇ ସେ କିଛି ତଥ୍ୟ ମଧ୍ୟ ଉପସ୍ଥାପନ କରିଥିଲେ। ପୂର୍ବରୁ ଭୋଟ ଚୋରିର ଅଭିଯୋଗ କରୁଥିବା କଂଗ୍ରେସକୁ ଏହା ଆହୁରି ସୁହାଇଥିଲା। ଦଳ ପକ୍ଷରୁ କ୍ଷମତାସୀନ ବିଜେପି ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରାଯାଇଥିଲା।

ଅଗଷ୍ଟ ୧୭ରେ କୁମାର ନିଜର ବିଶ୍ଳେଷଣକୁ ଏକ୍ସରେ ପୋଷ୍ଟ କରିଥିଲେ। ନାଶିକ ୱେଷ୍ଟରେ ୪୭.୩୮% ଓ ହିଙ୍ଗନାରେ ୪୩.୦୮% ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସେ ଦାବି କରିଥିଲେ। କିନ୍ତୁ ଏହାକୁ ନେଇ ବିବାଦ ତେଜିବାରୁ ହଠାତ ନିଜ ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି କୁମାର। ଏଥିସହ ସେ କ୍ଷମା ମାଗିବାକୁ ମଧ୍ୟ ପଛାଇ ନାହାନ୍ତି।

Advertisment

ଏପରି ହଠାତ୍‌ ୟୁ-ଟର୍ଣ୍ଣର କାରଣକୁ ନେଇ ଚର୍ଚ୍ଚା ଲାଗି ରହିଛି। କୌଣସି ଅଦୃଶ୍ୟ ଶକ୍ତିର ଚାପରେ କୁମାର ଏପରି କରିଛନ୍ତି ନା ସତରେ ତଥ୍ୟଗତ ତ୍ରୁଟି ଥିଲା, ତା’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକ୍ସରେ କୁମାର ନିଜ ପୋଷ୍ଟକୁ ଡିଲିଟ କରି କହିଛନ୍ତି ଯେ “ମୁଁ ମହାରାଷ୍ଟ୍ର ନିର୍ବାଚନକୁ ନେଇ ମୁଁ କରିଥିବା ଟ୍ୱିଟ ପାଇଁ କ୍ଷମା ମାଗୁଛି। ୨୦୨୪ ଲୋକସଭା ଓ ୨୦୨୪ ବିଧାନସଭାର ତଥ୍ୟକୁ ତୁଳନା କରିବା ବେଳେ ତ୍ରୁଟି ହୋଇଥିଲା। ଆମର ଡାଟା ଟିମ ଧାଡ଼ିରେ ଥିବା ତଥ୍ୟକୁ ଭୁଲ ଭାବେ ଆକଳନ କରିଛନ୍ତି। ସେବେଠାରୁ ଟ୍ୱିଟକୁ ହଟାଇ ଦିଆଯାଇଛି। ଭୁଲ ତଥ୍ୟ ପ୍ରଚାର କରିବାର କୌଣସି ଉଦ୍ଦେଶ୍ୟ ମୋର ନଥିଲା।”

କୁମାରଙ୍କ କ୍ଷମା ପ୍ରାର୍ଥନା ପରେ ବିଜେପି ପକ୍ଷରୁ କଂଗ୍ରେସକୁ ତୀବ୍ର ସମାଲୋଚନା କରାଯାଇଛି। ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କଂଗ୍ରେସ ସମେତ କୁମାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

ସେ କହିଛନ୍ତି, “ଯେଉଁ ସଂସ୍ଥାର ତଥ୍ୟକୁ ଆଧାର ଓ ଭରସା କରି ରାହୁଲ ଗାନ୍ଧି ମହାରାଷ୍ଟ୍ର ମତଦାତାମାନଙ୍କୁ ବଦନାମ କରିଥିଲେ, ଏବେ ସେମାନେ ନିଜ ମାନିଛନ୍ତି ଯେ ତଥ୍ୟ ଭୁଲ ଥିଲା। କେବଳ ମହାରାଷ୍ଟ୍ର ନୁହେଁ ବରଂ ଏସଆଇଆରରେ ମଧ୍ୟ। ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିବା ଓ ଅସଲି ଭୋଟରଙ୍କୁ ମଧ୍ୟ ନକଲି ଦର୍ଶାଇଥିବା ରାହୁଲ ଗାନ୍ଧି ଏବଂ କଂଗ୍ରେସ ଏବେ କ’ଣ କରିବେ? ଅତ୍ୟନ୍ତ ଲଜ୍ଜାଜନକ। ଏବେ ରାହୁଲ ଗାନ୍ଧି ବିହାରରେ ତୁରନ୍ତ ନିଜର ଅନୁପ୍ରବେଶ ବଚାଓ ଯାତ୍ରାକୁ ଛାଡ଼ି ଭାରତର ଲୋକଙ୍କୁ ନିଜର ଭୁଲ ପାଇଁ କ୍ଷମା ମାଗନ୍ତୁ।”

ଡିଲିଟ ହୋଇଥିବା ପୋଷ୍ଟରେ କ’ଣ ଦାବି କରିଥିଲେ କୁମାର?

ଅଗଷ୍ଟ ୧୭ରେ ସଞ୍ଜୟ କୁମାର ଏକ୍ସରେ ଦାବି କରିଥିଲେ ଯେ ନାଶିକ ୱେଷ୍ଟରେ ଭୋଟରଙ୍କ ସଂଖ୍ୟା ୨୦୨୪ ଲୋକସଭା ନିର୍ବାଚନ ବେଳେ ୩,୨୮,୦୫୩ ଥିବା ବେଳେ ବିଧାନସଭା ନିର୍ବାଚନ ବେଳକୁ ଏହା ୪,୮୩,୪୫୯ରେ ପହଞ୍ଚିଥିଲା। ଏହାର ଅର୍ଥ ଭୋଟରଙ୍କ ସଂଖ୍ୟା ୪୭.୩୮% ବଢ଼ିଥିଲା। ହିଙ୍ଗନାରେ ଭୋଟରଙ୍କ ସଂଖ୍ୟା ୩,୧୪,୬୦୫ରୁ ୪,୫୦,୪୧୪କୁ ଅର୍ଥାତ ୪୩.୦୮% ବୃଦ୍ଧି ପାଇଥିଲା।

ଲୋକନୀତି ସିଏସଡିଏସ ଓ ସିଏସଡିଏସ ଦିଲ୍ଲୀକୁ ଟ୍ୟାଗ ହୋଇଥିବା ଏହି ପୋଷ୍ଟ ନିଆଁ ଭଳି ବ୍ୟାପିଥିଲା। ବିରୋଧୀ ଦାବି କରୁଥିବା ଭୋଟ ଚୋରିକୁ ଏହା ସୁହାଇଥିଲା। ଏହାକୁ ନେଇ ବିଜେପି ବ୍ୟାକଫୁଟରେ ଥିବା ବେଳେ ମଙ୍ଗଳବାର କୁମାର ପୋଷ୍ଟକୁ ହଟାଇ କ୍ଷମା ମାଗିଛନ୍ତି। ଏହାପରେ ବିଜେପି ଆକ୍ରମଣ ମୁଦ୍ରାକୁ ଆସିଛି।

Maharashtra Vote Target