Advertisment

ସୁରଙ୍କ ବହିଷ୍କାର,ପୃଥ୍ୱୀବଲ୍ଲଭ ଓ ୟାସିରଙ୍କ ଏଣ୍ଟ୍ରି ପାଇଁ ବିଗିଡ଼ିଲା ବିଜେଡିର ଗଣିତ: ବେଗୁନିଆ ବି ହାତରୁ ଖସିବ

କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କାର ହୋଇଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
Sankha bhawan BJD

Sankha bhawan BJD

କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଦଳରେ ସାମିଲ କରାଇ ମାତ୍ର ୨ଘଣ୍ଟା ଭିତରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିବା ଏବେ ବିଜେଡିକୁ ମହଙ୍ଗା ପଡ଼ିଲାଣି । ବିଜେଡି ରଣନୀତିକାରଙ୍କ ଗଣିତକୁ କଂଗ୍ରେସ ଏବେ ଓଲଟପାଲଟ କରିଦେଇଛି । ସୁର ରାଉତରାୟଙ୍କୁ ବହିଷ୍କାର ସହ ନିଜର ଯୁବଚେହେରା ପ୍ରଦେଶ ଛାତ୍ର ସଭାପତି ୟାସିର ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ଓ ଦିବଂଗତ ଜାନକୀବଲ୍ଲଭ ପଟ୍ଟନାୟକ ପୁଅ ପୃଥ୍ୱୀବଲ୍ଲଭଙ୍କୁ ବେଗୁନିଆରୁ ପ୍ରାର୍ଥୀ କରି କଂଗ୍ରେସ ନିଜର ଗଡ଼ ରକ୍ଷା ପାଇଁ ଉଦ୍ୟମ କରିବା ପରେ ବିଜେଡି ହରଡ଼ଘଣାରେ ପଡ଼ିଛି । ସୁରଙ୍କୁ ଆଖିରେ ରଖି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଯେଉଁ ଅଙ୍କ କଷିଥିଲା ତାହା ବିଜେଡିକୁ ନିର୍ବାଚନ ଲଢ଼ିବା ପୂର୍ବରୁ ନିଶ୍ଚିତ ପରାଜୟ ଆଡ଼କୁ ଟାଣି ନେଇଯାଇଛି । ବିଜେଡି କେବଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ନୁହେଁ ବରଂ ବେଗୁନିଆ ଓ ଜଟଣୀ ବିଧାନସଭା ଆସନକୁ ବି ହାତଛଡ଼ା କରିବାର ଆଶଙ୍କା ଜଳଜଳ ହୋଇ ଦିଶିଲାଣି।

Advertisment

ସୂଚନା ଅନୁସାରେ, କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କାର ହୋଇଛନ୍ତି । ସୁରଙ୍କ ସାନପୁଅ ମନ୍ମଥ ବିଜେଡିରେ ସାମିଲ ହେବାଦିନଠୁ ସୁରଙ୍କ ପରିବାରରେ ଚାଲିଥିବା ଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡ଼ିନଥିବାବେଳେ ଏବେ ସୁରଙ୍କ ବହିଷ୍କାର ବିଜେଡିର ଚିନ୍ତା ବଢ଼ାଇ ଦେଇଛି । ଏପଟେ ବିଜେଡି ନିଜର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ବୋଲି କହି ୬ମାସ ବୁଲାଇବା ପରେ ଅଚାନକ ମନ୍ମଥଙ୍କୁ ଦଳରେ ସାମିଲ କରି ଲୋକସଭା ପ୍ରାର୍ଥୀ କରିବାକୁ ନେଇ ଦଳ ଭିତରେ ଅସନ୍ତୋଷ ଏବେବି ଲାଗି ରହିଛି । ବିଜେପିର ହେଭିୱେଟ୍ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବା ପାଇଁ ଯେଉଁ ସମୀକରଣକୁ ଆଖିରେ ରଖି ଦଳ ଶ୍ରୀମୟୀଙ୍କ ପରିବର୍ତ୍ତେ ମନ୍ମଥଙ୍କୁ ଟିକେଟ୍ ଦେଲା, ତାହା ଏବେ ବୁମେରାଂ ହେଲାଣି । କାରଣ କଂଗ୍ରେସକୁ ବାଦ୍ ଦେଲେ ସୁରଙ୍କ ଅସ୍ତିତ୍ୱ ନାହିଁ ବୋଲି ବିଜେଡି ଭଲଭାବେ ଜାଣେ । ଏବେ କଂଗ୍ରେସ ନିଜର ସାଂସଦ ପ୍ରାର୍ଥୀ ଭାବେ ସଂଖ୍ୟାଲଘୁ ଚେହେରା ୟାସିର ନୱାଜଙ୍କୁ ମଇଦାନକୁ ଓହ୍ଲାଇ ଦଳୀୟ ଭୋଟକୁ ସୁରକ୍ଷିତ ରଖିବାକୁ ପ୍ରୟାସ ଆରମ୍ଭ କରିଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରାୟ ୪.୯% ହେଉଛନ୍ତି ମୁସଲିମ୍ ଭୋଟର । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସର୍ବାଧିକ ୩୦ହଜାର ମୁସଲିମ୍ ଲୋକ ରହୁଛନ୍ତି । ଜଟଣୀ ନିର୍ବାଚନମଣ୍ଡଳୀରେ ପ୍ରାୟ ୧୬ହଜାର ଓ ଜୟଦେବରେ ୧୧ହଜାର ମୁସଲିମ ଲୋକ ରହୁଛନ୍ତି । ଜଣେ ଯୁବ ସଂଗଠକ ଭାବେ ୟାସିରଙ୍କ ପ୍ରଭାବ ରହିଛି । ତେଣୁ ଉଭୟ ଯୁବ ଓ ମୁସଲିମ୍ ଭୋଟ ସମେତ କଂଗ୍ରେସର ନିଜସ୍ୱ ଭୋଟକୁ ସୁରକ୍ଷିତ ରଖିବାରେ ୟାସିର ସକ୍ଷମ ହେବେ ବୋଲି ଆକଳନ କରାଯାଉଛି।

ସୁରଙ୍କୁ କଂଗ୍ରେସ ବହିଷ୍କାର କରିସାରିଥିବାରୁ କଂଗ୍ରେସର ନିଜସ୍ୱ ଭୋଟକୁ ନିଜ ସପକ୍ଷକୁ ନେବା ତାଙ୍କ ପକ୍ଷରେ ସମ୍ଭବପର ହେବନି । ଯଦିଓ ସୁର ଦଳୀୟ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ପୂର୍ବରୁ କଂଗ୍ରେସର ଅନେକ କର୍ମୀ ଓ ନେତାଙ୍କୁ ବିଜେଡିକୁ ସ୍ଥାନାନ୍ତର କରିସାରିଛନ୍ତି । ତେଣୁ ସୁରଙ୍କୁ ନେଇ ବିଜେଡି ଯେଉଁ ଅଙ୍କ କଷି ତାଙ୍କ ପୁଅକୁ ଟିକେଟ୍ ଧରାଇଥିଲା ତାହା ଏବେ ବିଜେଡିର ଫ୍ଲପ୍ ଶୋ’ ସାବ୍ୟସ୍ତ ହେବାରେ ଲାଗିଛି । ୨୦୧୯ରେ ଜଟଣୀରେ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ୬୧୩୧୯ଖଣ୍ଡ ଓ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୭୨୮୪୮ଖଣ୍ଡ ଭୋଟ୍ ମିଳିଥିବାବେଳେ କଂଗ୍ରେସର ସୁରଙ୍କୁ ୬୮୮୪୧ଖଣ୍ଡ ଭୋଟ୍ ମିଳିଥିଲା । ତେବେ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ୭୩୬୯୯ଖଣ୍ଡ ଭୋଟ୍ ମିଳିଥିଲା । କଂଗ୍ରେସ ଭୁବନେଶ୍ୱରରେ ନିଜସ୍ୱ ସାଂସଦ ପ୍ରାର୍ଥୀ ଦେଇନଥିଲା । ତେଣୁ ଏଥର ଜଟଣୀରେ କଂଗ୍ରେସ ଭୋଟକୁ ବିଜେଡି କିମ୍ବା ବିଜେପିକୁ ସ୍ଥାନାନ୍ତର କରିବା ସୁରଙ୍କ ପାଇଁ କାଠିକର ପାଠ ହେବ । ଆଉ ଏହାର କ୍ଷତି ବିଜେଡି ପ୍ରାର୍ଥୀଙ୍କୁ ବି ଭୋଗିବାକୁ ପଡ଼ିବ । କାରଣ ବିଜେଡିରେ ଥିବା ସନ୍ତୋଷ ଜେନାଙ୍କୁ କଂଗ୍ରେସ ଟିକେଟ୍ ଦେଇଛି । ସେ ଉଭୟ ବିଜେଡି ଓ ବିଜେପିର ଭୋଟରେ ଛିଦ୍ର କରାଇବେ।

Advertisment

ଅନୁରୂପ ଅବସ୍ଥା, ବେଗୁନିଆ ନିର୍ବାଚନ ମଣ୍ଡଳୀରେ । ବିଜେଡି ଓ ବିଜେପି ଏପର୍ଯ୍ୟନ୍ତ ସେଠାରେ କାହାରିକୁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ମାତ୍ର ନିଜର ଦିବଂଗତ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ କଂଗ୍ରେସ ସେଠାରେ ପ୍ରାର୍ଥୀ କରି ନିଜର ଭୋଟକୁ ସୁରକ୍ଷିତ ରଖିବାରେ ସକ୍ଷମ ହେବ ବୋଲି କୁହାଯାଉଛି । କଂଗ୍ରେସ ଗତଥର ସେଠାରୁ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ଏବେ ବିଜେଡିରେ । ମାତ୍ର ଗତଥର ତାଙ୍କୁ ୨୦ହଜାରରୁ ଅଧିକ ଭୋଟରେ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ପରାଜିତ କରିଥିଲେ । ପ୍ରଦୀପ ବିଜେଡିରେ ମିଶିଥିଲେ ମଧ୍ୟ କଂଗ୍ରେସରୁ ତାଙ୍କ ସହ ବିଜେଡିକୁ ବିଶେଷ କେହି ଆସିନାହାନ୍ତି । ଯେଉଁମାନଙ୍କୁ ପ୍ରଦୀପ ଆଣିଥିଲେ, ସେମାନଙ୍କୁ ଧରି ସଂଗଠନ କରୁଥିବାରୁ ବେଗୁନିଆରେ ବିଜେଡିର ବୃହତ୍ ଗୋଷ୍ଠୀ(ପୁରୁଣା) ତାଙ୍କୁ ବିରୋଧ କରୁଛନ୍ତି । ଏପଟେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ବେଗୁନିଆରେ ନିଜସ୍ୱ ସଂଗଠନ ବି ରହିଛି । ତାଙ୍କ ପତ୍ନୀ ସ୍ୱାଗତିକାଙ୍କୁ ବିଜେପି ସେଠାରେ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ପ୍ରଦୀପଙ୍କୁ ସେଠାରେ ତୀବ୍ର ବିରୋଧ ହେଉଥିଲେ ମଧ୍ୟ ନିଜର ଗଡ଼ଫାଦର ସାଂସଦ ମାନସ ମଙ୍ଗରାଜଙ୍କୁ ଧରି ସେ ଦଳୀୟ ଟିକେଟ୍ ହାତେଇବେ ବୋଲି ଦୃଢ଼ ଆଶାବାଦୀ ଅଛନ୍ତି । ପ୍ରଦୀପଙ୍କୁ କଂଗ୍ରେସ ଭୋଟ୍ ମିଳିବନି ଜାଣି ମଧ୍ୟ ବ୍ୟବସାୟିକ କାରଣରୁ ତାଙ୍କୁ ବିଜେଡି ସେଠାରେ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଯଦି ଏଭଳି ହୁଏ ବିଜେଡି ନିଜର ଗଡ଼ ବେଗୁନିଆକୁ ହାତଛଡ଼ା କରିବାର ଆଶଙ୍କା ଦେଖାଦେଇଛି।

ଗତ ନିର୍ବାଚନରେ ବେଗୁନିଆରେ ବିଜେଡି ବିଧାୟକ ରାଜେନ୍ଦ୍ରଙ୍କୁ ୭୩୧୭୮ଖଣ୍ଡ, ସାଂସଦ ପ୍ରାର୍ଥୀ ଅରୂପଙ୍କୁ ୭୧୩୧୧ଖଣ୍ଡ ଭୋଟ୍ ମିଳିଥିବାବେଳେ କଂଗ୍ରେସର ପ୍ରଦୀପ ଓ ବିଜେପି ପ୍ରାର୍ଥୀ ରଷଭ ନନ୍ଦଙ୍କୁ ମୋଟ ୭୯୪୫୧ ଭୋଟ୍ ମିଳିଥିଲା । ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ସମସ୍ତଙ୍କଠୁ ଅଧିକ ୭୪୦୮୭ଖଣ୍ଡ ଭୋଟ୍ ପାଇଥିଲେ।

ତେଣୁ ବର୍ତ୍ତମାନର ରାଜନୀତିକ ସମୀକରଣ ଓ ଗଣିତକୁ ଦେଖିଲେ ବିଜେଡି ନିଜର ଭୁଲ୍ ନିଷ୍ପତ୍ତି ପାଇଁ ଭୁବନେଶ୍ୱର  ଲୋକସଭା ଆସନକୁ ସହଜରେ ଅପରାଜିତାଙ୍କୁ ଟେକି ଦେବାକୁ ଯାଉଛି । ଆଉ ଅନୁରୂପ ଭାବେ ବେଗୁନିଆ ଓ ଜଟଣୀ ଆସନକୁ ମଧ୍ୟ ହାତଛଡ଼ା କରିବ ବୋଲି ଜଳଜଳ ହୋଇ ଦିଶିଲାଣି।

Congress Political News