Naveen And Pandian
‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ ।’ ୨୪ ବର୍ଷର ଶାସନର ଅନ୍ତ ପରେ ତୀବ୍ର ଗୋଷ୍ଠୀକନ୍ଦଳରେ ଲିପ୍ତ ବିଜୁ ଜନତା ଦଳର ଅବସ୍ଥା ଏବେ ଏମିତି କିଛି ହୋଇଛି । ଦଳର ନେତ୍ରୀ ଶ୍ରୀମୟୀ ମିଶ୍ର ନିଜ ସୋସିଆଲ ମିଡିଆ ପୋଷ୍ଟରେ ‘ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ନ୍ୟାସୀ’ ଉପାଖ୍ୟାନ ରଖିବାକୁ ନେଇ ଗଣମାଧ୍ୟମ ନାନାଦି ଚର୍ଚ୍ଚା କରିବା ପରେ ଶେଷରେ ‘ହନୁମଲା ବେଳେ ସତ କହେ’ ନ୍ୟାୟରେ ବିଜେଡି ମଧ୍ୟ ଏହାକୁ ସ୍ୱୀକାର କରିନେଇଛି ।
ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ବିଜୁ ମହିଳା ଜନତା ଦଳର ଦୁଇଜଣ ନେତ୍ରୀ ଇଲା ସ୍ୱାଇଁ ଓ ଅଂଶୁ ତ୍ରିପାଠୀ ଏ ଧରଣର ଟ୍ୱିଟ୍ ନକରିବାକୁୁ ଶ୍ରୀମୟୀଙ୍କୁ ଚେତାବନୀ ଦେଇ ରାଜ୍ୟର ଗଣମାଧ୍ୟମରେ ହେଉଥିବା ଧୃତରାଷ୍ଟ୍ର-ଭଣ୍ଡ ସନ୍ନ୍ୟାସୀ ସହ ବିଜେଡିର ସମ୍ପୃକ୍ତି ଥିବାର ଚର୍ଚ୍ଚା ଉପରେ ମୋହର ମାରିଛନ୍ତି । ଶ୍ରୀମୟୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ମହାଭାରତର ‘ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ’ ଓ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଓଟିଟି ‘ଆଶ୍ରମ’ ୱେବସିରିଜ ସମ୍ପର୍କରେ ଉଲ୍ଲେଖ କରି କାହାରି ନାଁ ନେଇଥିଲେ ମଧ୍ୟ ବିଜେଡି ଆଜି ଆନୁଷ୍ଠାନିକ ଭାବେ ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ହିଁ ‘ଧୃତରାଷ୍ଟ୍ର’ ଓ ବିଜେଡିର ଅଘୋଷିତ ସର୍ବେସର୍ବ ଭିକେ ପାଣ୍ଡିଆନ ହିଁ ‘ଭଣ୍ଡ ସନ୍ନ୍ୟାସୀ’ ବୋଲି ସ୍ୱୀକାର କରିବା ରାଜ୍ୟ ରାଜନୀତିରେ ରୋଚକ ମୋଡ଼ ନେଇଛି ।
ନିଜ ଗାତରେ ନିଜେ ଫସିଗଲା ବିଜେଡି
୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବା ଶ୍ରୀମୟୀ ନିଜର ସୋସିଆଲ ମିଡିଆରେ କ’ଣ ପୋଷ୍ଟ କରିବେ ତାହା ତାଙ୍କ ଦଳ ବିଜେଡି ଏବେ ନିୟନ୍ତ୍ରିତ କରିବାକୁ ଚାହୁଁଥିବା ଜଣାପଡ଼ିଛି । ବିଜୁ ମହିଳା ଜନତା ଦଳର ଦୁଇଜଣ ନେତ୍ରୀ ଇଲା ସ୍ୱାଇଁ ଓ ଅଂଶୁ ତ୍ରିପାଠୀ ଆଜି ଶଙ୍ଖ ଭବନରେ ଗଣମାଧ୍ୟମ ଜରିଆରେ ଶ୍ରୀମୟୀଙ୍କୁ ଚେତାବନୀ ଦେବାକୁ ପ୍ରୟାସ କରିଛନ୍ତି । ଯଦିଓ ଶ୍ରୀମୟୀ ଏବେ ବିଜେଡିର ମୁଖପାତ୍ର, ସାଧାରଣ ସମ୍ପାଦକ ସହ ମହିଳା ବ୍ୟାପାରର ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି ।
ଇଲା କହିଛନ୍ତି ଯେ, ଶ୍ରୀମୟୀ ମିଶ୍ରଙ୍କ ବିବାଦୀୟ ଟ୍ୱିଟ୍ ଆସୁଛି । ଗଣମାଧ୍ୟମ ତାକୁ ଦଳବିରୋଧୀ ପରି ମଧ୍ୟ ଦେଖାଉଛି । ଏହା ଗ୍ରହଣୀୟ ନୁହେଁ । ଶ୍ରୀମୟୀ ଏତେ ଅସନ୍ତୁଷ୍ଟ କାହିଁକି ? ସେ ତ ଦଳକୁ ଉପରେ ରଖିଥିଲେ । ଏବେ ଦଳ ହାରିବା ପରେ ସେ କାହିଁକି ଏମିତି କହୁଛନ୍ତି । ବୋଧହୁଏ ସେ କୁରୁସଭାକୁ ଯାଉଛନ୍ତି । ଅନ୍ୟମାନେ ବିଭ୍ରାନ୍ତ ହେଉଛନ୍ତି । ମହିଳାମାନେ ତାଙ୍କ ଉପରେ ଅତିଷ୍ଠ । ସେ ଅନ୍ୟର କବିତା ଓ ଫଟୋ ଜରିଆରେ ଏଭଳି ପୋଷ୍ଟ କରିବା ବନ୍ଦ କରନ୍ତୁ । ନଚେତ୍ ଆଗକୁ ପରିସ୍ଥିତି ଭୟାବହ ହେବ ଓ ଦଳ ଜବାବ ଦେବ ।
ସେହିପରି ଅଂଶୁ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଶ୍ରୀମୟୀ ମିଶ୍ର ଟିପ୍ପଣୀ ଦେଉଛନ୍ତି ଦଳ ବିରୋଧରେ । ତାଙ୍କଠାରୁ ଭଣ୍ଡବାବା ଟିପ୍ପଣୀ ଆସିବା ଠିକ୍ ନୁହେଁ । ସେ ବୋଧହୁଏ ଭଣ୍ଡମାତା ପାଲଟିଛନ୍ତି । ବଳଙ୍ଗା ଓ ବାଲେଶ୍ୱର ଗଣଦୁଷ୍କର୍ମ ନେଇ ତ ଟ୍ୱିଟ୍ କଲେନି । ବିଜେଡିଠୁ ଅନେକ ସହଯୋଗ ପାଇଛନ୍ତି ସେ । ଏବେ ଚେତି ଯାଆନ୍ତୁ । ତାଙ୍କ ଲେଖା ନିନ୍ଦନୀୟ ବୋଲି ସେ କହିଛନ୍ତି ।
ତେବେ ଶ୍ରୀମୟୀ ତ କାହାରି ନାଁ ଲେଖିନାହାନ୍ତି ଆପଣମାନେ କାହିଁକି ପ୍ରତିକ୍ରିୟାଶୀଳ ହେଉଛନ୍ତି ବୋଲି ଗଣମାଧ୍ୟମର ପ୍ରଶ୍ନର ଜବାବ ରଖି ଅଂଶୁ କହିଥିଲେ ଯେ, “ଆମେ ମ୍ୟାଡ଼ାମ(ଶ୍ରୀମୟୀ)ଙ୍କୁ କିଛି କହୁନାହୁଁ । ଗଣମାଧ୍ୟମ ଯାହା ଦେଖାଉଛି ତାହା ଉପରେ କହୁଛୁ ।” ଶ୍ରୀମୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆବଶ୍ୟକ ମାହୋଲ ପ୍ରସ୍ତୁତ କରିବାକୁ ଯାଇ ବିଜେଡି ଏବେ ନିଜ ଖୋଳିଥିବା ଗାତରେ ଫସିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।
ଧୃତରାଷ୍ଟ୍ରଙ୍କ ପାଇଁ ଚୁପ୍, ଭଣ୍ଡ ସନ୍ନ୍ୟାସୀଙ୍କ ପାଇଁ ଦରଦ
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିଜେଡିରେ ଏବେ ଗତ କିଛିଦିନ ଧରି କମ୍ପନ ସୃଷ୍ଟି ହୋଇଛି । ଶ୍ରୀମୟୀ ସେପ୍ଟେମ୍ବର ୮ତାରିଖରେ ନିଜ ସୋସିଆଲ ମିଡିଆରେ ମହାଭାରତର ‘ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ’ ପ୍ରସଙ୍ଗରେ କିଛି ଉଲ୍ଲେଖ କରିଥିଲେ । ଏହାକୁ ନେଇ ଗଣମାଧ୍ୟମରେ ନାନାଦି ଚର୍ଚ୍ଚା ହୋଇଥିଲା । ସେତେବେଳେ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏହା ବିଜେଡି ସହ ନୁହେଁ ବରଂ କିଏ କ’ଣ ବ୍ୟକ୍ତିଗତ ଭାବେ ନିଜ ସୋସିଆଲ ମିଡିଆରେ ଲେଖିବ ତାକୁ ଗୁରୁତ୍ୱ ଦିଆଯିବା ଉଚିତ୍ ନୁହେଁ କହିଥିଲେ । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ଆଗକୁ ଆସି କହିଥିଲେ ଯେ, ସେ ବିଜେଡିକୁ ନୁହେଁ ବରଂ ବିଜେପିକୁ କହୁଛନ୍ତି । ରାଜ୍ୟ ସରକାରଙ୍କ ମହିଳାବିରୋଧୀ ନୀତିକୁ ଶ୍ରୀମୟୀ ତାଙ୍କ ପୋଷ୍ଟ ମାଧ୍ୟମରେ କଟାକ୍ଷ କରୁଛନ୍ତି ।
ସେହିପରି ସେପ୍ଟେମ୍ବର ୧୬ ତାରିଖରେ ଶ୍ରୀମୟୀ ସୋସିଆଲ ମିଡିଆରେ ପ୍ରକାଶ ଝା’ଙ୍କ ଓଟିଟି ‘ଆଶ୍ରମ’ ୱେବସିରିଜର ଉଲ୍ଲେଖ କରି ‘ଭଣ୍ଡ ସନ୍ନ୍ୟାସୀ’ କଥା ଉଲ୍ଲେଖ କରିଥିଲେ । ଗତକାଲି ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଏହା ବିଜେଡି ପାଇଁ ନୁହେଁ ବରଂ ଶ୍ରୀମୟୀ ବିଜେପି ଓ କଂଗ୍ରେସକୁ ଏଭଳି କହିଥିବା ସୂଚନା ଦେଇଥିଲେ । ଯଦି ଶ୍ରୀମୟୀ ଅସନ୍ତୁଷ୍ଟ ଥିବେ ତାହା ତାଙ୍କୁ ପଚାରିଲେ କହିବେ । ଦଳରେ ଯିଏ ବିଶୃଙ୍ଖଳା କରିବ ସେସମ୍ପର୍କରେ ସଭାପତି ନିଷ୍ପତ୍ତି ନେବେ ବୋଲି କହିଥିଲେ ।
ତେବେ ନବୀନଙ୍କୁ ‘ଧୃତରାଷ୍ଟ୍ର’ ସହ ତୁଳନା(ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା) ପ୍ରସଙ୍ଗରେ ନିରବ ରହିଥିବା ବିଜେଡି ଏବେ ପାଣ୍ଡିଆନକୁ ଆକ୍ଷେପମୂଳକ ‘ଭଣ୍ଡ ସନ୍ନ୍ୟାସୀ’ ପ୍ରସଙ୍ଗରେ ଚିହିଁକି ଉଠିଛି । ଦଳର ବରିଷ୍ଠ ନେତାମାନେ ନିରବ ରହି ଏହି ପ୍ରସଙ୍ଗକୁ ଏଡ଼ାଇ ଯାଉଥିବାବେଳେ ପ୍ରଥମଥର ପାଇଁ ସମ୍ପୃକ୍ତ ଦୁଇ ମହିଳାଙ୍କୁ ଗଣମାଧ୍ୟମ ସମ୍ମୁଖକୁ ଆଣି ଶ୍ରୀମୟୀଙ୍କୁ ଚେତାବନୀ ଦେବା ଆଳରେ ‘ପାଣ୍ଡିଆନ’ଙ୍କୁ ‘ଭଣ୍ଡ ସନ୍ନ୍ୟାସୀ’ କୁହାଯିବାକୁ ଦଳ ବରଦାସ୍ତ କରିପାରିବ ନାହିଁ ବୋଲି ମଧ୍ୟ ସୂଚାଇ ଦେଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1714821309.jpg)