Deras project
ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍ଆଇ) କେନାଲ ଜବରଦଖଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ସଫଳତା। ସାଂସଦଙ୍କ ବାରାମ୍ବାର ତାଗିଦ୍ ପରେ ଜବରଦଖଲରେ ଥିବା ଏହି କେନାଲକୁ ଖୋଳାଯାଇ ଚାଷୀଙ୍କ କ୍ଷେତକୁ ଜଳ ଛଡ଼ାଯାଇଛି। ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି,‘ସତ୍ୟମ ମେବ ଜୟତେ। ଶେଷରେ ଡେରାସ କେନାଲ ଖୋଳା ସରିଲା। କୃଷକଙ୍କ କ୍ଷେତକୁ ଜଳ ପ୍ରବାହିତ ହେଲା। ଏଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି। ଏହା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଛି। କିନ୍ତୁ ଏବବେବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିରୁଥିକା ପ୍ରଭାକରନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବ୍ୟଗ୍ରତା ପ୍ରକାଶ ପାଉଛି। ଏହା କେତେଦିନ ପର୍ଯ୍ୟନ୍ତ ଚାଲିବ ତାହା ଦେଖିବାକୁ ବାକି ରହିଲା।’
ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଥିବା ନେଇ ଅପରାଜିତାଙ୍କ ନିକଟରେ ବହୁ ପୂର୍ବରୁ ଅଭିଯୋଗ ହୋଇଥିଲା। ଏପରିକି ମାଟି ପକାଇ କେନାଲକୁ ପୋତା ଯାଇଥିବାରୁ ୪୦୦ ଏକର ଜମି ଜଳସେଚନରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ। ଖଣି ବ୍ୟବସାୟୀ ପ୍ରଭାକରନଙ୍କ ପତ୍ନୀ କିରୁଥିକା ପ୍ରଭାକରନ କେନାଲକୁ ଜବରଦଖଲ କରିବା ସହ ପ୍ରାୟ ୧୫୦ ଏକର ସରକାରୀ ଜମି, ଜଙ୍ଗଲ ଜମି ଓ ବିଭିନ୍ନ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିକୁ ବଳପୂର୍ବକ ଜବରଦଖଲ କରି ତାରବାଡ଼ ଘେରାଇଥିଲେ। ଏହାସହ ପାଣ୍ଡିଆନଙ୍କ ପ୍ରକଳ୍ପ କହି ଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ ହୋଇଥିଲା। ଫଳରେ ଚାଷୀମାନେ ନିଜ ଅଧିକାରରୁ ବଞ୍ଚିତ ହେଉଥିବା ସାଂସଦଙ୍କୁ ଜଣାଇଥିଲେ।
ଖୋଦ ସାଂସଦ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଦେଖିବା ପରେ ଉକ୍ତ କେନାଲକୁ ଜବରଦଖଲମୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ସମୟ ଦେଇଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କେନାଲ ଖନନ ଓ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ କହିଥିଲେ।
ହେଲେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନଥିଲେ। ଶେଷରେ ନିଜେ ସାଂସଦ ଯାଇ ହାତରେ କୋଦାଳ ଧରି କେନାଲ ଖୋଳିଥିଲେ। କିଛିଦିନ ପରେ ରାଜ୍ୟ ଜଳସେଚନ ବିଭାଗ ଏହାର ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେବା ସହ କାହିଁକି ୨ ବର୍ଷ ଧରି କେନାଲରୁ ବେଆଇନ ଜବରଦଖଲ ଉଚ୍ଛେଦ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା ସେ ନେଇ ସ୍ପଷ୍ଟୀକରଣ ରଖିବାକୁ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ କେନାଲ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଳ ସେଚନ ବିଭାଗ ପକ୍ଷରୁ ଏହି କେନାଲଟି ଖୋଳା ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1696578954.jpg)