Advertisment

ସେବେ ସୁଜାତା, ଏବେ ପାଣ୍ଡିଆନଙ୍କ ସ୍ତୁତିଗାନ କରୁଛନ୍ତି ବିଜେଡି ସାଂସଦ

ସାଂସଦ ଅମର ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ନବୀନ ଓ ପାଣ୍ଡିଆନଙ୍କ ଫଟୋକୁ ପୋଷ୍ଟ କରିବା ପରେ ବିଜେପି ଓ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି ।

undefined

VK Pandian

Advertisment

ରାଜ୍ୟ ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବେ ନିୟମିତ ବ୍ୟବଧାନରେ ନିଜର ସୋସିଆଲ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ରାଜନୀତିକ ବ୍ରାଣ୍ଡିଂ କରୁଥିବା ଜଣାପଡ଼ିଛି । ସାଂସଦ ପଦର ଗରିମାକୁ ଭୁଲି ଶ୍ରୀ ପଟ୍ଟନାୟକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ  ପାଣ୍ଡିଆନଙ୍କ ଫଟୋ ରଖି ୨୦୦୦ ମସିହା ଓ ୨୦୨୩ ମସିହାର ଓଡ଼ିଶାର ବିକାଶର ତୁଳନାତ୍ମକ ଚିତ୍ର ଦେବାକୁ ପ୍ରୟାସ କରିଛନ୍ତି । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି । ସାଂସଦ ଶ୍ରୀ ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆଉ ମାତ୍ର ୭ମାସ ପରେ ଶେଷ ହେଉଥିବାରୁ ସେ ନିଜର ସାଂସଦ ପଦ ବଜାୟ ରଖିବାକୁ ଏବେଠୁ ‘ପାଣ୍ଡିଆନ ଦମ୍ପତ୍ତି’ ସ୍ତୁତିଗାନ କରୁଥିବା ସାଧାରଣରେ ଚର୍ଚ୍ଚା ।

Advertisment

ସାଂସଦ ଅମର ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ନବୀନ ଓ ପାଣ୍ଡିଆନଙ୍କ ଫଟୋକୁ ପୋଷ୍ଟ କରିବା ପରେ ବିଜେପି ଓ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । କିଭଳି ଜଣେ ସାଂସଦ ନିଜ ପଦମର୍ଯ୍ୟାଦା ଓ ପ୍ରୋଟୋକଲ ଭୁଲି ପାଣ୍ଡିଆନଙ୍କ ଫଟୋ ନିଜ ସୋସିଆଲ ମିଡିଆରେ ଛାଡ଼ୁଛନ୍ତି ବୋଲି ଉଭୟ ଦଳ ପ୍ରଶ୍ନ କରିଛନ୍ତି । ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ତୃତୀୟ ମହଲାର ନିର୍ଦ୍ଦେଶରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋକୁ ବିଜେଡି ନେତାମାନେ ନିଜ ଆକାଉଣ୍ଟରେ ଅପଲୋଡ୍ କରୁଛନ୍ତି । ରାଜ୍ୟରେ ବାବୁତନ୍ତ୍ର ଓ ଅଣଓଡ଼ିଆ ବ୍ୟବସାୟୀତନ୍ତ୍ର ଚାଲିଛି । ଓଡ଼ିଶା ରାଜନୀତିରେ ଜଣେ ସଚିବଙ୍କ ପଲଟିକାଲ ବ୍ରାଣ୍ଡିଂ କରାଯାଉଛି । ନବୀନଙ୍କ ଦମ୍ ନାଁରେ ଯେଉଁ ପୋଷ୍ଟରକୁ ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ସେଥିରେ ପାଣ୍ଡିଆନଙ୍କ ଗୁଣଗାନ କରି ନିଜର ସ୍ଥିତି ରକ୍ଷା କରିବା ନିମନ୍ତେ ଚାହୁଁଥିବା ବିଜେପି କହିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ଏଭଳି ପୋଷ୍ଟରକୁ କଡ଼ା ସମାଲୋଚନା କରିଛନ୍ତି ।

ବିଜେପି ଓ କଂଗ୍ରେସର ଏଭଳି ସମାଲୋଚନା ପରେ ସାଂସଦ ଶ୍ରୀ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ,ଏଭଳି ଦୋମୁହାଁ ଓ ଛଳନାକାରୀ ବ୍ୟକ୍ତିମାନଙ୍କ ଦ୍ୱାରା ଯେଉଁ କାଦୁଅ ଫିଙ୍ଗା ଯାଉଛି ତା’ର ଜବାବ ଦେବା ନିଜର ସମ୍ମାନ ହାନି ବୋଲି ବିବେଚନା କରେ । ତୁମେ ପିନ୍ଧୁଥିବା ଚଷମାର କାଚ ଉପରେ ତୁମେ ଦୁନିଆଁକୁ କିଭଳି ଦେଖୁଛ ତାହା ନିର୍ଭର କରେ । ହତାଶା ଆତ୍ମା ପାଇଁ କଠୋର ସତ୍ୟକୁ ହଜମ କରିବା କଷ୍ଟକର କଥା । ସେମାନଙ୍କ ଉପରେ ଦୟା କରିପାରିବି ଓ ଆଶା କରିବି ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସଠିକ୍ ମାର୍ଗ ଦେଖାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଉଳ୍ଲେଖ କରିଛନ୍ତି ।

Advertisment

ତେବେ ସାଂସଦ ଶ୍ରୀ ପଟ୍ଟନାୟକ ବିଜେଡିର ସାଂସଦ ହୋଇଥିଲେ ମଧ୍ୟ ଗତ ପ୍ରାୟ ୪-୫ ମାସ ଧରି ନିୟମିତ ଭାବେ ପାଣ୍ଡିଆନ ଦମ୍ପତିଙ୍କ ‘ରାଜନୀତିକ ବ୍ରାଣ୍ଡିଂ’ ପାଇଁ ଉଦ୍ୟମ କରି ଆସୁଛନ୍ତି । ଚଳିତବର୍ଷ ମେ’ ୬ତାରିଖରେ ଶ୍ରୀ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ‘ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଯଦି ସରକାରୀ ଚାକିରି ଛାଡ଼ି ନିଜ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରୁ ବିଧାୟକ ପ୍ରାର୍ଥୀ ହୁଅନ୍ତି, ତା’ହେଲେ ଆପଣଙ୍କ ମତ କ’ଣ’ ବୋଲି ଉଲ୍ଲେଖ ଥିଲା । ଏହି ପୋଷ୍ଟ କରିବାର କିଛି ଘଣ୍ଟା ପରେ ତାଙ୍କ ଫେସବୁକ ଆକାଉଣ୍ଟକୁ କେହି ହ୍ୟାକ୍ କରି ଏଭଳି ପୋଷ୍ଟ କରିଛି ଓ ଏହା ଉପରେ ତାଙ୍କର ଅନୁସନ୍ଧାନ ଜାରି ରହିଛି ତଥା ଏହାକୁ ଗୁରୁତ୍ୱ ନଦେବାକୁ ସେ ଅନୁରୋଧ କରିଥିଲେ ।

ତେବେ ପ୍ରଶ୍ନ ଉଠୁଛି, ଜଣେ ରାଜ୍ୟସଭା ସାଂସଦ ତଥା ଶାସକ ବିଜେଡି ଆଇଟି ୱିଙ୍ଗ ମୁଖ୍ୟଙ୍କ ଫେସବୁକ ଆକାଉଣ୍ଟକୁ ଯଦି କେହି ହ୍ୟାକ୍ କରିଥିଲେ, ତା’ର ଅନୁସନ୍ଧାନ ଶ୍ରୀ ପଟ୍ଟନାୟକ କେଉଁସ୍ତରରେ କରିଥିଲେ । ଏହି ହ୍ୟାକ୍ କିଏ କରିଥିଲେ ସେ ନେଇ କାହିଁକି ସର୍ବସାଧାରଣଙ୍କୁ ଅବଗତ କଲେନି । ନା ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ରାଜନୀତିକ ବ୍ରାଣ୍ଡିଂ ପାଇଁ ଉଦ୍ୟମ କରି ପରେ ସେଥିରୁ ଓହରି ଯାଇଥିଲେ?

ସେହିପରି ଅଗଷ୍ଟ ୨୬ତାରିଖରେ ପାଣ୍ଡିଆନଙ୍କ ଏଭଳି ଭିଡିଓକୁ ନିଜ ଆକାଉଣ୍ଟ ମାଧ୍ୟମରେ ପୋଷ୍ଟିଂ କରିବାକୁ ଶ୍ରୀ ପଟ୍ଟନାୟକ ପଛାଇ ନଥିଲେ । ସେହିପରି ପୁରୀର ସତ୍ୟବାଦୀଠାରେ ପାଣ୍ଡିଆନଙ୍କୁ କାଳିମାଡ଼ ହେବା ଘଟଣାରେ ‘ପାଣ୍ଡିଆନ ଫ୍ୟାନକ୍ଲବ’ରେ ଏକ ଆଲୋଚନାଚକ୍ରରେ ଶ୍ରୀ ପଟ୍ଟନାୟକ ସାମିଲ ହୋଇ ଅଭିଯୁକ୍ତକୁ କଠୋର ଶାସ୍ତି ଦେବାକୁ ଯୁକ୍ତି ବାଢ଼ିଥିଲେ । ଗତକାଲି ପୁଣିଥରେ ‘ନବୀନଙ୍କ ଦମ’ ଶୀର୍ଷକ ଏକ ପୋଷ୍ଟରରେ ନବୀନ ଓ ପାଣ୍ଡିଆନଙ୍କ ଫଟୋ ରଖି ତାକୁ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ କଡ଼ା ଟିପ୍ପଣୀ ଦେବା ପରେ ବି ଶ୍ରୀ ପଟ୍ଟନାୟକ ନିଜେ କରିଥିବା କାର୍ଯ୍ୟକୁ ପରୋକ୍ଷରେ ଯଥାର୍ଥ ବୋଲି ଦର୍ଶାଇ ବିରୋଧୀ ଦଳକୁ  ସମାଲୋଚନା କରିବାକୁ ପଛାଇ ନାହାନ୍ତି ।

ଚର୍ଚ୍ଚା ହେଉଛି ସାଂସଦ ଶ୍ରୀ ପଟ୍ଟନାୟକଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେ ନିଜ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କରି ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ପ୍ରୟାସ କରୁଛନ୍ତି ।

BjD Bjp Congress Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe