Advertisment

Rajyasabha ୪ ଆସନରେ ୫ ପ୍ରାର୍ଥୀ: ବାଦ୍ ପଡ଼ିଯିବେ କି ସନ୍ତୃପ୍ତ , ସସପେନ୍ସ ବଢ଼ାଇଲେ ସୁବାସିନୀ ,ବଢ଼ିଲା ବିଜେଡି ଅଡ଼ୁଆ

ସନ୍ତୃପ୍ତଙ୍କୁ ଜିତାଇବା ପାଇଁ ବିଜେଡି ପାଖରେ ଯଥେଷ୍ଟ ଭୋଟ୍ ଥିବା ଉପରକୁ ଦିଶୁଥିଲେ ମଧ୍ୟ ରାଜ୍ୟସଭାର ‘ଏକକ ହସ୍ତାନ୍ତରଯୋଗ୍ୟ ଭୋଟ୍‌’ ବ୍ୟବସ୍ଥାରେ ଗୋଟିଏ ଗୋଟିଏ କ୍ରସ୍ ଭୋଟିଂ ପୁରା ଖେଳକୁ ଓଲଟପାଲଟ କରିଦେବାର ଆଶଙ୍କା ରହିଛି।

author-image
Prakaash Sethi
Subashini

ରାଜ୍ୟସଭା ନିର୍ବାଚନର ୪ଟି ଆସନ ପାଇଁ ୫ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଆଜି ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭା ନିର୍ବାଚନ ରୋଚକ ମୋଡ଼ ନେଇଛି। ବିଜେଡି ଶିବିରରେ ଚାଲିଥିବା ଅନ୍ତଃକନ୍ଦଳ ଓ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ଭଳି ନେତାଙ୍କ ‘ସସପେନ୍ସ’ଭରା ବୟାନ ଏବେ ଦଳୀୟ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ାଇଛି।  

Advertisment

ବିଧାନସଭାର ସଂଖ୍ୟା ଗଣିତରେ ବିଜେଡି ପାଖରେ ସନ୍ତୃପ୍ତଙ୍କୁ ଜିତାଇବା ପାଇଁ ଯଥେଷ୍ଟ ଭୋଟ୍ ଥିବା ଉପରକୁ ଦିଶୁଥିଲେ ମଧ୍ୟ ରାଜ୍ୟସଭାର ‘ଏକକ ହସ୍ତାନ୍ତରଯୋଗ୍ୟ ଭୋଟ୍‌’ ବ୍ୟବସ୍ଥାରେ ଗୋଟିଏ ଗୋଟିଏ କ୍ରସ୍ ଭୋଟିଂ ପୁରା ଖେଳକୁ ଓଲଟପାଲଟ କରିଦେବାର ଆଶଙ୍କା ରହିଛି।

ପ୍ରଥମ ପସନ୍ଦର ଭୋଟ ଭାବେ ୩୦ଜଣ (୨୯୪୧ପଏଂଟ)  ବିଧାୟକଙ୍କ ଭୋଟ ଜରୁରୀ ଥିବାରୁ ଯଦି ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନିଜର ଏହି କୋଟା ପୂରଣ କରିବାରେ ବିଫଳ ହୁଅନ୍ତି ଅବା ସବୁଠୁ କମ୍ ଭୋଟ୍ ପାଇବେ ସେ ହିଁ ବାଦ୍ ପଡ଼ିବେ। ଯଦି ବିଜେଡିର ଅନ୍ତଃକନ୍ଦଳ ଯୋଗୁ ସନ୍ତୃପ୍ତଙ୍କ ସପକ୍ଷରେ ଦଳର ୩୦ଜଣ ବିଧାୟକଙ୍କ ଭୋଟ୍ ନପଡ଼େ, ତେବେ ତାଙ୍କର ଭୋଟ୍ ଅନ୍ୟଙ୍କୁ ହସ୍ତାନ୍ତର ହୋଇଯିବ ଓ ସେ ପ୍ରଥମ ପର୍ଯ୍ୟାୟ ଏଲିମେନେସନ୍ ରାଉଣ୍ଡରେ ହିଁ ବାଦ୍ ପଡ଼ିଯିବାର ଆଶଙ୍କା ରହିଛି। 

Advertisment

୪ଟି ଆସନ ପାଇଁ ମଇଦାନରେ ୫ଜଣ ପ୍ରାର୍ଥୀ ଥିବାରୁ ନିର୍ବାଚନ ଏବେ ‘ବିନା ପ୍ରତିଦ୍ୱନ୍ଦ୍ୱିତା’ ହେବାର ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ‘ଭୋଟିଂ’କୁ ବାଧ୍ୟତାମୂଳକ କରାଇ ଦେଇଛି।

ସନ୍ତୃପ୍ତଙ୍କ ପାଇଁ ବଢ଼ିଲା ଅଡ଼ୁଆ: ସୁବାସିନୀ ବଢ଼ାଇଲେ ସସପେନ୍ସ

ବିଜେଡି ପାଖରେ ଏବେ ୪୮ଜଣ ବିଧାୟକ ଅଛନ୍ତି। ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ଆବଶ୍ୟକ। ଯଦି ଦଳ ଏକଜୁଟ ରୁହନ୍ତା ତେବେ ସନ୍ତୃପ୍ତଙ୍କ ବିଜୟ ନିଶ୍ଚିତ ହୋଇଥାନ୍ତା। କିନ୍ତୁ ବସ୍ତା ବିଧାୟିକା ଶ୍ରୀମତୀ ଜେନାଙ୍କ ମନ୍ତବ୍ୟ ବିଜେଡି ଓ ସନ୍ତୃପ୍ତଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। ସୁବାସିନୀ କହିଛନ୍ତି ଯେ, “ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବି। ଏବେ କିଛି କହିବାର ସମୟ ନୁହେଁ। ଓପନ୍ ବାଲାଟରେ ନିର୍ବାଚନ ହେବ, ତେଣୁ ଯାହା ହେବ ସମସ୍ତେ ଜାଣିପାରିବେ।”

ତାଙ୍କର ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ଯେ, ଦଳର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ସୁବାସିନୀ ଖୁସି ନାହାନ୍ତି। ଯଦି ତାଙ୍କ ଭଳି ଅନ୍ୟ କିଛି ବିଧାୟକ ଶେଷ ମୁହୂର୍ତ୍ତରେ ସନ୍ତୃପ୍ତଙ୍କୁ ଭୋଟ୍ ନଦିଅନ୍ତି କିମ୍ବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରନ୍ତି ତା’ହେଲେ ସନ୍ତୃପ୍ତଙ୍କ ପ୍ରଥମ ପସନ୍ଦ ଭୋଟ୍ ୩୦ରୁ ତଳକୁ ଖସିବାର ଆଶଙ୍କା ରହିଛି। ଆଉ ସେ ୩୦ଟି ଭୋଟ୍ ନପାଇଲେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚିତ ହୋଇପାରିବେ ନାହିଁ। 


ବିଜେଡିର ଅଙ୍କ ବିଗାଡ଼ିବ ‘ଦ୍ୱିତୀୟ ପସନ୍ଦ’ ଭୋଟ୍‌
 

ତଥ୍ୟାଭିଜ୍ଞ ମହଲରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭା ନିର୍ବାଚନରେ ଯଦି କୌଣସି ପ୍ରାର୍ଥୀ ଆବଶ୍ୟକ କୋଟା ପୂରଣ ନ କରନ୍ତି, ତେବେ ‘ଦ୍ୱିତୀୟ ପସନ୍ଦ' ଭୋଟ୍ ହିଁ ହାର-ଜିତ୍ ସ୍ଥିର କରିଥାଏ। ବିଜେଡି ପାଇଁ ବିପଦ ହେଉଛି, ଦଳ ନିଜର ବଳକା ୧୮ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଦେବାକୁ ଘୋଷଣା କରିଛି। ତା’ଛଡ଼ା କଂଗ୍ରେସର ୧୪ ଓ ସିପିଆଇଏମର ଜଣେ ବିଧାୟକଙ୍କ ଭୋଟ୍ ଡାକ୍ତର ହୋତାଙ୍କୁ ସପକ୍ଷରେ ଯିବ ବୋଲି ସେମାନେ ଘୋଷଣା କରିସାରିଛନ୍ତି।

 କିନ୍ତୁ ଯଦି ସନ୍ତୃପ୍ତ ମିଶ୍ର ନିଜେ ୩୦ଟି ଭୋଟ୍ ପାଇବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ପାଇଁ ଦ୍ୱିତୀୟ ପସନ୍ଦ ଭୋଟ୍ ଆବଶ୍ୟକ ହେବ। ଏଭଳି ସ୍ଥିତିରେ ଯଦି ଦ୍ୱିତୀୟ ପସନ୍ଦର ଭୋଟ ଗଣତି ପାଇଁ ବାଟ ଫିଟିଲେ ଦିଲ୍ଲୀପ ଅଧିକ ଫାଇଦାରେ ରହିବେ। ବିଜେପିର ମନମୋହନ ସାମଲ ଓ ସୁଜିତ କୁମାରଙ୍କ ସପକ୍ଷରେ ୬୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ଯିବାପରେ ବଳକା ୨୨ ଭୋଟ୍ ଏବଂ ଦୁଇ ନିଲମ୍ବିତ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଭୋଟ୍ ମିଶାଇଲେ ସଂଖ୍ୟା ୨୪ ହେଉଛି।

ଯଦି ବିଜେପିର ପ୍ରଥମ ଦୁଇ ପ୍ରାର୍ଥୀଙ୍କ ବଳକା ଭୋଟ୍ ଦିଲ୍ଲୀପଙ୍କ ଖାତାକୁ ଯାଏ ଓ ବିଜେଡିର କିଛି ବିଧାୟକ ତାଙ୍କୁ ଦ୍ୱିତୀୟ ପସନ୍ଦ ଭାବେ ବାଛନ୍ତି, ତେବେ ସେ ବିନା କୌଣସି ବାଧାରେ ଜିତିଯିବେ।ତା’ଛଡ଼ା ବିଜେପି କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାର ରାଜ୍ୟସଭା ନିର୍ବାଚନ(Odisha Rajya Sabha election) ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଭାବେ କେନ୍ଦ୍ରୀୟ ପ୍ରଭାରୀ ଭାବେ ମହାରାଷ୍ଟ୍ରର ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଲେଙ୍କୁ ନିଯୁକ୍ତି ଦେଇଛନ୍ତି। ଯାହାକି ଏହି ନିର୍ବାଚନକୁ ବିଜେପି କିଭଳି ଗୁରୁତ୍ୱର ସହ ନେଉଛି ତା’ର ପ୍ରମାଣ ଦେଉଛି।


ବିଜେଡିରେ ସଂଖ୍ୟା ବେଶୀ, ସମନ୍ୱୟ କମ୍ , କ୍ରସ୍ ଭୋଟିଂ ମାର୍ଗ ପ୍ରଶସ୍ତ

ରାଜ୍ୟସଭା ନିର୍ବାଚନରେ ‘ଓପନ୍ ବାଲାଟ୍‌' ବ୍ୟବସ୍ଥା ରହିଛି, ଯେଉଁଠାରେ ପ୍ରତ୍ୟେକ ବିଧାୟକ ନିଜ ଦଳର ଅଧିକୃତ ଏଜେଣ୍ଟଙ୍କୁ ବାଲାଟ୍ ପେପର ଦେଖାଇ ଭୋଟ୍ ଦେବାକୁ ବାଧ୍ୟ। ଯଦି କେହି ବିଧାୟକ ବାଲାଟ ପେପର ନିଜ ଦଳର ଏଜେଣ୍ଟଙ୍କୁ ନଦେଖାଇବେ ତାଙ୍କର ଭୋଟ୍ ନାକଚ ହୋଇଯିବ। ଏହାସତ୍ୱେ ବିଜେଡି ୭ରୁ ୮ ଓ କଂଗ୍ରେସର ୩-୪ଜଣ ବିଧାୟକ କ୍ରସ୍ ଭୋଟିଂ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। 

ତେବେ ଏହି ବିଧାୟକମାନେ କାହିଁକି କ୍ରସ୍ ଭୋଟିଂ ପାଇଁ ଆଗ୍ରହୀ, ତାହା ପଛରେ ଏକ ବଡ଼ ଆଇନଗତ କାରଣ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟସଭା ନିର୍ବାଚନରେ ଜଣେ ବିଧାୟକ ଯଦି ଦଳୀୟ ହୁଇପ୍ ଉଲ୍ଲଂଘନ କରି ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତି, ତେବେ ତାଙ୍କର ସଦସ୍ୟତା ରଦ୍ଦ ହୋଇପାରିବ ନାହିଁ। ଏହି ଆଇନଗତ ସୁରକ୍ଷା ବଳରେ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିବାକୁ ସୁଯୋଗ ପାଉଛନ୍ତି। 

ବସ୍ତା ବିଧାୟକ ଶ୍ରୀମତୀ ଜେନା ମଧ୍ୟ ଏହି ପ୍ରସଙ୍ଗର ସଙ୍କେତ ଦେଇ କହିଛନ୍ତି ଯେ ‘ଓପନ୍ ବାଲାଟ’ରେ ସବୁ ଜଣାପଡ଼ିଯିବ, ଅର୍ଥାତ୍ ଜାଣିଶୁଣି ଦଳକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ଥିବାର ସନ୍ଦେଶ ମଧ୍ୟ ଦେଇଛନ୍ତି। ବିଜେଡିର କିଛି ବିଧାୟକ ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ ଅଛନ୍ତି। ଯାହାର ସୁଯୋଗ ଦିଲ୍ଲୀପଙ୍କ ପାଖକୁ ଯାଇପାରେ।

ରାଜ୍ୟସଭା ନିର୍ବାଚନରେ ‘ଏକକ ହସ୍ତାନ୍ତରଯୋଗ୍ୟ ଭୋଟ୍‌' ପ୍ରକ୍ରିୟା ରହିଥିବାରୁ ସନ୍ତୃପ୍ତଙ୍କୁ ନିଜର ୩୦ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ସୁନିଶ୍ଚିତ କରାଇବାକୁ ପଡ଼ିବ। ନଚେତ୍ ସେଥିରୁ କିଛି ବି କମିଗଲେ ତାଙ୍କର ଭୋଟ୍ ଅନ୍ୟମାନଙ୍କ ପାଖକୁ ହସ୍ତାନ୍ତର ହୋଇଯିବ। ଏଲିମିନେସନ୍ ରାଉଣ୍ଡରେ ସବୁଠୁ କମ୍ ଭୋଟ୍ ପାଇଥିବା ବ୍ୟକ୍ତି ହିଁ ବାଦ୍ ପଡ଼ିବେ। ଅର୍ଥାତ୍ ୫ଜଣଙ୍କ ମଧ୍ୟରୁ ଯିଏ ନିଜର କୋଟା(ପ୍ରଥମ ପସନ୍ଦର ୩୦) ପୂରଣ କରିନଥିବେ ସେ ହିଁ ବାଦ୍ ପଡ଼ିବେ। 

ରାଜ୍ୟସଭା ନିର୍ବାଚନର ଜଟିଳ ଅଙ୍କକଷାରେ ଏହି ହସ୍ତାନ୍ତରଯୋଗ୍ୟ ଭୋଟ୍ ଓ ଏଲିମିନେସନ୍ ରାଉଣ୍ଡ ହିଁ ଏବେ ସନ୍ତୃପ୍ତ ଓ ଡାକ୍ତର ହୋତାଙ୍କ ତୁଳନାରେ ଦିଲ୍ଲୀପ ରାୟଙ୍କ ପଲା ଭାରି କରିଦେଇଛି। ୧୬ ତାରିଖର ଭୋଟ୍ କେବଳ ରାଜ୍ୟସଭାର ୪ଟି ଆସନ ସ୍ଥିର କରିବ ନାହିଁ, ବରଂ ବିଜେଡି ମଧ୍ୟରେ ଥିବା ବଡ଼ଧରଣର ବିଦ୍ରୋହକୁ ମଧ୍ୟ ସର୍ବସମ୍ମୁଖକୁ ଆଣିବ ବୋଲି ଚର୍ଚ୍ଚା।

Odisha Rajya Sabha election