Advertisment

ଘରୋଇ ଫାଇନାନ୍ସ କମ୍ପାନୀର ରାହାଜାନିରେ ସପ୍ତାହକରେ ୫ମୃତ, ବର୍ଷିଲା ବିଜେପି

ଜମାକାରୀମାନଙ୍କୁ ତାଙ୍କ ଅର୍ଥ ଫେରାଇବା ପାଇଁ ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ କଲେ। ସବୁନାଟକ ପରେ ବି ଜମାକାରୀ ଟଙ୍କାଟିଏ ପାଇଲେ ନାହିଁ କି ରାଜ୍ୟ ସରକାର ବି ଏଥିରୁ କିଛି ଶିକ୍ଷାଲାଭ କଲେ ନାହିଁ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

author-image
Ordigital Desk
BJP

BJP

ଘରୋଇ ଫାଇନାନ୍ସ କମ୍ପାନୀଗୁଡ଼ିକର ଅତ୍ୟାଚାର ଓ ରାହାଜାନିର ଶିକାର ହୋଇ ଚଳିତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ଜଣ ଆତ୍ମହତ୍ୟା କଲେଣି । ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ଏବେ ଗାଁ ଗଣ୍ଡାରେ ଘରୋଇ ଫାଇନାନ୍ସ କମ୍ପାନୀର ପ୍ରାଦୁର୍ଭାବ ଓ ଅତ୍ୟାଚାର ବଢ଼ିଛି । ଚିଟଫଣ୍ଡରେ ରାଜ୍ୟବାସୀ ପେଶି ହୋଇଥିଲେ, ରାଜ୍ୟ ସରକାର ଏଥିରୁ କିଛି ଶିଖିଲେନି । ଆଜି ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଯେପର୍ଯ୍ୟନ୍ତ ସରକାର କୌଣସି ଗାଇଡଲାଇନ୍ ନଆଣିଛନ୍ତି, ହିତାଧିକାରୀମାନେ ସେମାନଙ୍କର ଋଣ ପରିଶୋଧ ନକରନ୍ତୁ ବୋଲି ବିଜେପି ଆହ୍ୱାନ ଦେଇଛି।

Advertisment

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାରେ ଚିଟଫଣ୍ଡ ସଂସ୍ଥା ନୂଆ ରୂପରେଖରେ ଏବେ ଲୋକଙ୍କ ପାଖକୁ ଫେରିଛି । ଲୋକଙ୍କ ଝାଳବୁହା ଧନ ଓ ଜୀବନର ପୁଞ୍ଜିକୁ ଚିଟଫଣ୍ଡ କମ୍ପାନୀମାନେ ଲୁଟ୍ କଲାବେଳେ ରାଜ୍ୟ ସରକାର ଓ ଶାସକ ଦଳର ବିଚିତ୍ର ଭୂମିକା ଥିଲା।

ରାଜ୍ୟ ସରକାର ଚିଟଫଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡ଼ାର ହୋଇ ଲୋକଙ୍କୁ ଭୂଆଁ ବୁଲାଇଲେ । ପରବର୍ତୀ ସମୟରେ ଚିଟଫଣ୍ଡ କମ୍ପାନୀ ନାଁରେ ଆନ୍ଦୋଳନ, କେସ ହେଲା ଓ କମିସନ ବସିଲା । ଜମାକାରୀମାନଙ୍କୁ ତାଙ୍କ ଅର୍ଥ ଫେରାଇବା ପାଇଁ ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ କଲେ। ସବୁନାଟକ ପରେ ବି ଜମାକାରୀ ଟଙ୍କାଟିଏ ପାଇଲେ ନାହିଁ କି ରାଜ୍ୟ ସରକାର ବି ଏଥିରୁ କିଛି ଶିକ୍ଷାଲାଭ କଲେ ନାହିଁ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

Advertisment

ସେ ଅଭିଯୋଗ କରିଛନ୍ତି ଯେ, ଭୁବନେଶ୍ୱରରେ ଡେଙ୍ଗୁ ଯେମିତି ବ୍ୟାପିଛି ବେସରକାରୀ ଅନିୟନ୍ତ୍ରିତ ଫାଇନାନ୍ସ କମ୍ପାନୀମାନେ ଠିକ୍ ସେମିତି ରାଜ୍ୟ ତମାମ ମାତିଛନ୍ତି । ଏବେବି ଓଡ଼ିଶାରେ ମହାଜନୀ କାରବାର ଚାଲିଛି ଯାହାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତିି । ଘରୋଇ ଫାଇନାନ୍ସ କମ୍ପାନୀମାନେ ଗାଁରେ ମହିଳାଙ୍କୁ ଏକାଠ କରି ବୈଠକ କରିବା ସହ ଜବରଦସ୍ତ ଋଣ ଦେଉଛନ୍ତି । ଏହି ମହିଳାମାନେ ଋଣ ପରିଶୋଧ ନକରିପାରିବା ପରେ ସେମାନେ ତାଙ୍କୁ ମାନସିକ ନିର୍ଯାତନା, ଅପମାନ ଦେବା ସହ ଆତ୍ମହତ୍ୟାକରିବାକୁ ବାଧ୍ୟ କରୁଛନ୍ତି।

ଏଭଳି ଘରୋଇ ଫାଇନାନ୍ସ କମ୍ପାନୀଙ୍କ ନିର୍ଯାତନାରେ  ଜୁଲାଇ ୧ରେ ବଲାଙ୍ଗିର ଜିଲ୍ଲାର ଓଡ଼ିଆପଲ୍ଲୀ ଗାଁରେ ଡ୍ରାଇଭର ତାରାକାନ୍ତ ସାହୁ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଥିଲେ । ସେହିପରି ଏସକେଏସ୍ କମ୍ପାନୀର ଋଣ ନିର୍ଯାତନାରେ ପୁରୀ ଜିଲ୍ଲା କଣାସ ବ୍ଳକ ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଓ ବନିତା ବେହେରା ଜୁଲାଇ ୨ରେ ଆତ୍ମହତ୍ୟା କଲେ । ଭଦ୍ରକ ଜିଲ୍ଲାର ତିହିଡି ଥାନା କାମପଡ଼ା ପଂଚାୟତ ବରଣାକୂଳ ଗାଁର ଉପେନ୍ଦ୍ର ମଲ୍ଲିକ(୫୦) ଓ ପତ୍ନୀ ମିନତୀ ଦେବୀ(୪୫) ଘରୋଇ ଫାଇନାନ୍ସ କମ୍ପାନୀର ଋଣଭାର ସହି ନପାରି ଜୁଲାଇ ୪ତାରିଖ ଦିନ ଆତ୍ମହତ୍ୟା କରିଛନ୍ତି । ଦଶପଲ୍ଲା ବ୍ଲକ ଚଢ଼େଇଆପଲ୍ଲୀ ଗ୍ରାମ ପଂଚାୟତରେ ଏକ ଦମ୍ପତି ମଧ୍ୟ ଜୁଲାଇ ୪ତାରିଖରେ ଆତ୍ମହତ୍ୟା କରିଛନ୍ତି।

କେବଳ ସେତିକି ନୁହେଁ, ଚାନ୍ଦବାଲିଠାରେ ବନ୍ଧନ ବ୍ୟାଙ୍କ ଏସ୍‌ଏଚଜି ମାଧ୍ୟମରେ ମହିଳାଙ୍କୁ ଋଣ ଦେଇଥିଲା । ଋଣ ସୁଝି ନପାରିବାରୁ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ବାନ୍ଧି ଅପମାନିତ କରାଯାଇଥିଲା । ଘରୋଇ ଫାଇନାନ୍ସ କମ୍ପାନୀମାନଙ୍କ ଅତ୍ୟାଚାର ଯୋଗୁ ପାଇଁ ଓଡ଼ିଶାରେ ଚଳିତ ସପ୍ତାହରେ ୫ଜଣଙ୍କ ମୃତ୍ୟୁ ହେବା ସହ ଲକ୍ଷାଧିକ ଠକେଇ ହେଉଛି।

ତେଣୁ ରାଜ୍ୟ ସରକାର ତୁରନ୍ତ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ନିମନ୍ତେ ବିଜେପି ଦାବି କରୁଛି । ଏହାସହିତ ଘରୋଇ ଫାଇନାନ୍ସ ସଂସ୍ଥାମାନେ ମହିଳା ଏସଏଚଜିଙ୍କୁ ଋଣ ଦେବାରେ କାହାର ଭୂମିକା ରହିଛି । ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନେ ଘରୋଇ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି କି ନାହିଁ? ଏଭଳି ମାରାତ୍ମକ ଫାଇନାନ୍ସ କମ୍ପାନୀମାନଙ୍କୁ ଓଡ଼ିଶାରେ ପ୍ରଶୟ କିଏ ଦେଲା? ଓଡ଼ିଶାରେ କେତେ ଘରୋଇ ଫାଇନାନ୍ସ କମ୍ପାନୀ ଅଛି ତାହାର ହିସାବ ଅଛି କି? ଘରୋଇ ଫାଇନାନ୍ସ କମ୍ପାନୀକୁ କିଏ ନିୟନ୍ତ୍ରଣ କରୁଛି।

ଘରୋଇ ଫାଇନାନ୍ସ କମ୍ପାନୀ ୩୦ପ୍ରତିଶତରୁ ଅଧିକ ସୁଧ ନେଉଛନ୍ତି ତାହା ରାଜ୍ୟ ସରକାରଙ୍କ ଗାଇଡଲାଇନରେ ଅଛି ତ? ରାଜ୍ୟ ସରକାର ଲାଇସେନ୍ସ ଦେବାର ମେକାନିଜିମ୍ ଅଛି କି? ଏମାନେ କାହାକୁ ଋଣ ଦେବେ ସେମାନେ ଋଣ ସୁଝି ପାରିବେ କି ନାହିଁ?  ଏସଏଚଜି, ଘରୋଇ ଫାଇନାନ୍ସ କମ୍ପାନୀ ଓ ରାଜ୍ୟ ସରକାରଙ୍କ ଭିତରେ କ’ଣ ମଧୁଚନ୍ଦ୍ରିକା ଅଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ରମାରଞ୍ଜନ ବଳିୟାରସିଂହ, ସୁରଥ ବିଶ୍ୱାଳ, ଓମପ୍ରକାଶ ମିଶ୍ର ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Odisha State Bjp Bjp Odisha