Advertisment

କାହା ପାଇଁ ହାରିଗଲେ ଏଫ୍‌ଏମ୍‌ କଲେଜ ଛାତ୍ରୀ, ସାଙ୍ଗ କଲେ ଏମିତି ଦାବି

‘ଆମ ସାଙ୍ଗ ନିଜେ ମିଡିଆ ସମ୍ମୁଖରେ କାନ୍ଦି ପକାଇଥିଲେ। ସେ ସେମିତି ନୁହନ୍ତି ବୋଲି କହିଥିଲେ। ତାଙ୍କ ଲୁହ ଯେଉଁଠି ସେମାନଙ୍କୁ ବୁଝାଇପାରିଲା ନାହିଁ, ସେମାନଙ୍କୁ ଆମେ କ’ଣ ବୁଝାଇଥାଆନ୍ତୁ।’

author-image
Jitendra Garnayak
ଅଦ୍ୟତନ ହୋଇଛି
Fire

Fire

ବାଲେଶ୍ୱରର ଏଫ୍‌ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତିକ ଉଷ୍ମତା ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଥିବା ବେଳେ ମୃତ ଛାତ୍ରୀଙ୍କର ଜଣେ ଘନିଷ୍ଠ ସାଙ୍ଗ କଶିଶ ଆଜି ଗଣମାଧ୍ୟମ ସମ୍ମୁଖରେ ଦେଇଥିବା ପ୍ରତିକ୍ରିୟାରୁ ଜଣାପଡ଼ିଛି ଯେ ସେ ଆତ୍ମାହୁତି କରିବାର ବହୁ ପୂର୍ବରୁ ରାଜନୀତି ଆରମ୍ଭ ହୋଇଯାଇଥିଲା। ଯଦି ସବୁ ପିଲା ରାଜନୀତିକୁ ଭୁଲି ତାଙ୍କୁ କେବଳ ଝିଅଟିଏ ଭାବି ତାଙ୍କ ପଛରେ ଛିଡ଼ା ହୋଇଥା’ନ୍ତେ, ତା’ହେଲେ ଏହି ଘଟଣା ଘଟିନଥା’ନ୍ତା ବୋଲି ସେ କହିଛନ୍ତି।

Advertisment

ମୃତ ଛାତ୍ରୀଙ୍କ ଘନିଷ୍ଠ ସାଙ୍ଗ କହିଛନ୍ତି, ଯଦି ଆମେ କହିବା କେବଳ ଏଚ୍‌ଓଡି କିମ୍ବା ପ୍ରିନ୍ସିପାଲଙ୍କ ଦୋଷ, ତା’ହେଲେ ତାହା ଠିକ୍ ହେବନି। କାରଣ, ଯେଉଁ ସମୟରେ ଆମେ ୧୫ରୁ ୨୦ ଜଣ ପିଲା ତାଙ୍କ (ମୃତ ଛାତ୍ରୀ) ସହିତ ଠିଆ ହୋଇଥିଲୁ ଓ ଦରଖାସ୍ତ ନେଇ ତାଙ୍କ ସହିତ ପ୍ରିନ୍ସିପାଲଙ୍କ ଅଫିସକୁ ଯାଇଥିଲୁ ସେତେବେଳେ ପାଖାପାଖି ୨୦୦ରୁ ୩୦୦ ପିଲା ଏଚ୍‌ଓଡିଙ୍କ ସପକ୍ଷରେ ଥିଲେ। ସେମାନେ ଏଚ୍‌ଓଡିଙ୍କୁ ସମର୍ଥନ କରିଥିଲେ। ସେହିପରି ପାଖାପାଖି ୧୦୦ ପିଲା ତାଙ୍କ (ମୃତ ଛାତ୍ରୀ) ବିରୋଧରେ ପ୍ରିନ୍ସିପାଲଙ୍କୁ ଦରଖାସ୍ତ ଦେଇଥିଲେ। ସେହି ଝିଅର ଚରିତ୍ର ଉପରେ ପ୍ରଶ୍ନ କରାଯାଇଥିଲା। ଯଦି ସେହି ସମୟରେ ବିରୋଧୀମାନେ ଏହାକୁ ରାଜନୀତିକ ପ୍ରସଙ୍ଗ ନ କରି ସବୁ ଭୁଲି ଯାଇ କେବଳ ଆମ ସହିତ ଆସି ଏହି ଝିଅ ପାଇଁ ଲଢ଼ିଥା’ନ୍ତେ, ତା’ହେଲେ ବୋଧେ ଆଜି ସେ ବଞ୍ଚିଥା’ନ୍ତା। କାରଣ ଏହା ପଲିଟାକାଲ ଏଜେଣ୍ଡା ନଥିଲା। ଆମେ କେବଳ ଚାହୁଁଥିଲୁ ଯେ ତାଙ୍କୁ ନ୍ୟାୟ ମିଳୁ।

ଯେଉଁ ପିଲାମାନେ ଆଜି ତାଙ୍କୁ ନ୍ୟାୟ ଦେବା ପାଇଁ ଚିତ୍କାର କରୁଛନ୍ତି, ସେହିଦିନ ସେହି ପିଲାମାନେ ସୋଶାଲ ମିଡିଆରେ ତାଙ୍କ ବିରୋଧରେ ଲେଖୁଥିଲେ। ଏନେଇ ଗଣମାଧ୍ୟମରେ ତାଙ୍କର (ମୃତ ଛାତ୍ରୀଙ୍କର) ଗୁଡ଼ାଏ ବାଇଟ୍ ଆସିଥିଲା। ସେ ବି କଷ୍ଟ ପାଉଛନ୍ତି ବୋଲି ସେଥିରେ କହିଥିଲେ। ତା’ ସତ୍ତ୍ୱେ ସେହି ପିଲାମାନେ ତାଙ୍କ ବିଷୟରେ ଟ୍ୱିଟ୍ କରି ଚାଲିଥିଲେ। ତାଙ୍କ ବିଷୟରେ ଖରାପ କମେଣ୍ଟ କରିଚାଲିଥିଲେ। ତାଙ୍କ ବିଷୟରେ ଗସିପ୍ କରୁଥିଲେ। ତାଙ୍କ ବିଷୟରେ କଲେଜରେ ବହୁ ଉଡ଼ା ଖବର ପ୍ରଚାର କରାଯାଉଥିଲା। ତା’ପରେ ସେ ଝିଅ କିଛି ଉପାୟ ନପାଇ ଏମିତି ପଦକ୍ଷେପ ନେଇଛି। ସେ ନିଜକୁ ଜାଳି ଦେଇଛି। କେବଳ ସେ ଜଳି ନାହାନ୍ତି, ତାଙ୍କ ସାଙ୍ଗରେ ଆମେ ସବୁ ଜଳିଛୁ। ଆମେ ସେତେ ଦିନ ପର୍ଯ୍ୟନ୍ତ ଜଳୁଥିବୁ ଯେତେ ଦିନ ପର୍ଯ୍ୟନ୍ତ ସଠିକ୍ ତଦନ୍ତ କରାଯାଇନାହିଁ ବୋଲି କହିଛନ୍ତି କଶିଶ। 

Advertisment

ପ୍ରିନ୍ସିପାଲ ମାଗିଥିଲେ ପ୍ରମାଣ!

ମୃତ ଛାତ୍ରୀଙ୍କ ଘନିଷ୍ଠ ସାଙ୍ଗ କହିଛନ୍ତି, ଯେଉଁ ଦିନ ଏହି ଘଟଣା ଘଟିଲା, ସେଦିନ ପ୍ରିନ୍ସିପାଲ ତାଙ୍କୁ କହିଥିଲେ ଯେ ସେ ଯାହା ବି ଦରଖାସ୍ତ ଦେଇଛନ୍ତି, ତା’ର ପ୍ରମାଣ ଦେବାକୁ ପଡ଼ିବ। ଯଦି ସେ ପ୍ରମାଣ ନଦେବେ, ତା’ହେଲେ କଥାଟି ତାଙ୍କ ବିରୋଧରେ ଯିବ। ଆଉ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ପରେ ସେ ହତାଶ ହୋଇଯାଇଥିଲେ। କିଛି ଉପାୟ ପାଇ ନଥିଲେ। ସେ ଆଉ କ’ଣ କରିଥା’ନ୍ତେ? ପ୍ରମାଣ ସେ କେଉଁଠାରୁ ଆଣିଥା’ନ୍ତେ? ସେ ପ୍ରମାଣ ଦେବାକୁ ଯାଇ ଏଭଳି ପଦକ୍ଷେପ ନେଇଛନ୍ତି। ତାଙ୍କୁ ପ୍ରିନ୍ସିପାଲ ପ୍ରମାଣ ମାଗିଥିଲେ ବୋଲି ଆମେ ଅନ୍ୟମାନଙ୍କଠାରୁ ଶୁଣିଛୁ।

‘ଆମେ ଉପସ୍ଥିତ ଥିଲେ ସ୍ଥିତି ଭିନ୍ନ ହୋଇଥା’ନ୍ତା’

କଶିଶ କହିଛନ୍ତି, ଯେଉଁ ଦିନ ଏହି ଘଟଣା ଘଟିଲା, ସେଦିନ ଆମେ ତାଙ୍କ (ମୃତ ଛାତ୍ରୀ) ସହିତ ପ୍ରିନ୍ସିପାଲଙ୍କ ଅଫିସକୁ ଯାଇନଥିଲୁ। ଆମେ କେବଳ ଆଲୋଚନା କରି ବାହାରେ ଠିଆ ହୋଇଥିଲୁ। କୌଣସି ପ୍ରକାରର ଅସୁବିଧା ହୋଇଥିଲେ, ଆମେ ପ୍ରିନ୍ସିପାଲଙ୍କ ରୁମ୍‌କୁ ଯାଇଥା’ନ୍ତୁ। ସେ (ମୃତ ଛାତ୍ରୀ) ନିଜେ ଆମକୁ ଡାକିଥା’ନ୍ତେ। ସେ ଯଦି ଆସିକି କହିଥା’ନ୍ତେ ଯେ ପ୍ରିନ୍ସିପାଲ ତାଙ୍କ କଥା ଶୁଣୁ ନାହାନ୍ତି, ତା’ହେଲେ ଆମେ ପ୍ରିନ୍ସିପାଲଙ୍କୁ ଭେଟି ତାଙ୍କ କଥା ଶୁଣିବାକୁ ବାଧ୍ୟ କରିଥା’ନ୍ତୁ। କିନ୍ତୁ ଆମେ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟନ୍ତ ପ୍ରିନ୍ସିପାଲ ତାଙ୍କୁ ଭିତରକୁ ଡାକି ନଥିଲେ। ଯେତେବେଳେ ଆମେ ଘରକୁ ପଳେଇଥିଲୁ, ସେତେବେଳେ ପ୍ରିନ୍ସିପାଲ ତାଙ୍କୁ ଡାକି କଥାବାର୍ତ୍ତା ହୋଇଥିଲେ।

ସେ କହିଛନ୍ତି, ଆମର ସେଦିନ ପରୀକ୍ଷା ଥିଲା। ୧୦ଟା ବେଳେ ପରୀକ୍ଷା ସରିଯାଇଥିଲା। ୧୨ଟା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିଥିଲୁ, କିନ୍ତୁ ସେତେବେଳ ପର୍ଯ୍ୟନ୍ତ ପ୍ରିନ୍ସିପାଲ ତାଙ୍କୁ ଭେଟିବାକୁ ଡାକି ନଥିଲେ। ଆମ ପାଖରେ ଆଉ ଧୈର୍ଯ୍ୟ ନଥିଲା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ। ତେବେ କିଛି ଛାତ୍ରଙ୍କୁ ଆମେ ତାଙ୍କ ସହିତ ଛାଡ଼ି ଘରକୁ ଯାଇଥିଲୁ। ହୁଏତ ସେ ପିଲାମାନେ ବି ଲଞ୍ଚ୍ କରିବାକୁ ପଳାଇଥିଲେ। ଯଦି ଘଟଣା ଘଟିବା ବେଳେ ଆମେ ସେଠାରେ ଥାଆନ୍ତୁ, ହୁଏତ ଏହି ଘଟଣା ଘଟି ନଥା’ନ୍ତା। କାହା ସାମ୍ନାରେ ହୁଏତ ସେ ଏମିତି ପଦକ୍ଷେପ ନେଇ ନଥା’ନ୍ତେ। ଆମେ ନଥିବା ବେଳେ ହିଁ ସେ ଏହି ପଦକ୍ଷେପ ନେଇଛନ୍ତି।

ପେଟ୍ରୋଲ କେଉଁଠାରୁ ଆସିଲା

ମୃତ ଛାତ୍ରୀ ପେଟ୍ରୋଲ କେଉଁଠାରୁ ଆଣିଲେ, ତାହା ତାଙ୍କର ଏହି ଘନିଷ୍ଠା ସାଙ୍ଗ ବି ଜାଣି ନାହାନ୍ତି। ସେ କହିଛନ୍ତି, ଯେଉଁ ଦିନ ଜଣାପଡ଼ିଯିବ ଯେ ପେଟ୍ରୋଲ କେଉଁଠାରୁ ଆସିଲା, ସେହିଦିନ ଅଧା ତଦନ୍ତ ସରିଯିବ ବୋଲି ମୁଁ ମନେ କରୁଛି।

‘ଖାଲି ପ୍ରିନ୍ସିପାଲ କହିଥିଲେ କିଛି ଅସୁବିଧା ହୋଇନଥା’ନ୍ତା, କିନ୍ତୁ...’

ମୃତ ଛାତ୍ରୀଙ୍କ ଘନିଷ୍ଠ ସାଙ୍ଗ କହିଛନ୍ତି, ଅଧ୍ୟାପକମାନେ ଯାହା କହିଥିବେ ବା ଏଚ୍‌ଓଡି ଯାହା କହିଥିବେ, ସେହି ଅନୁସାରେ ପ୍ରିନ୍ସିପାଲ କିଛି କହିଥାଇପାରନ୍ତି। କିନ୍ତୁ କଥା ଯଦି ଏତିକି ଥା’ନ୍ତା, ତା’ହେଲେ ଆମେ ସେ ଝିଅକୁ ବୁଝାଇସୁଝାଇ ରଖି ଦେଇଥାଆନ୍ତୁ। ସେ ବୁଝିଯାଇଥା’ନ୍ତେ। ସେ ମାନସିକ ସ୍ତରରେ ବହୁତ ଦୃଢ଼ ଥିଲେ। କିନ୍ତୁ ତାଙ୍କ ସାଙ୍ଗମାନେ ଓ ଜୁନିୟରମାନେ ତାଙ୍କୁ ବିଭିନ୍ନ କଥା କହିବାରୁ ସେ ହାରିଗଲେ। ସେମାନେ ତାଙ୍କୁ ଛି ଛି କରିଛନ୍ତି। ତାଙ୍କୁ ଖରାପ କମେଣ୍ଟ କରିଛନ୍ତି। ତାଙ୍କ ବିଷୟରେ ଗୁଜବ ସୃଷ୍ଟି କରିଛନ୍ତି। ତେଣୁ ଆମ ସାଙ୍ଗ ହାରିଗଲେ।

ଆମ ସାଙ୍ଗ (ମୃତ ଛାତ୍ରୀ) ଆମକୁ କହିଥିଲେ ଯେ ଜୁନିୟର ପିଲାମାନେ ବି ତାଙ୍କୁ କହି ଦେଉଛନ୍ତି ଯେ ତାଙ୍କ କ୍ୟାରେକ୍ଟର ଭଲ ନୁହେଁ। ସେ ଏହାକୁ ଆଉ ସହି ପାରୁ ନାହାନ୍ତି। ତାଙ୍କୁ ତାହା ଭଲ ଲାଗୁ ନଥିଲା। ସାର୍‌ ଯାହା କହି ଦେଇଛନ୍ତି ପିଲାମାନେ ତାହା କହୁଛନ୍ତି। ତାଙ୍କ କଥା କେହି ଶୁଣୁନାହାନ୍ତି। ପିଲାମାନେ ତାଙ୍କ ଚରିତ୍ର ଉପରେ ଅଙ୍ଗୁଳି ଉଠାଉଛନ୍ତି। ସେ ଏ କଥା ବହୁତ ଥର ଆମକୁ କହିଛନ୍ତି ବୋଲି ତାଙ୍କ ଘନିଷ୍ଠ ସାଙ୍ଗ କହିଛନ୍ତି।

‘ଯେଉଁମାନେ ସେତେବେଳେ ସ୍ୱର ଉଠାଇନଥିଲେ ଏବେ ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି’

ମୃତ ଛାତ୍ରୀଙ୍କ ସାଙ୍ଗ କହିଛନ୍ତି, ଆମେ ଯେଉଁମାନେ ତାଙ୍କୁ ସମର୍ଥନ କରୁଥୁଲୁ ତାଙ୍କୁ ବହୁତ ବୁଝାଇଥିଲୁ। ଏମିତିକି ଆମ ମଧ୍ୟରୁ ଯେଉଁମାନେ ଟ୍ୱିଟର ଆଦିରେ ସକ୍ରିୟ ଅଛନ୍ତି, ସେମାନେ ତାଙ୍କ ସମର୍ଥନରେ ପୋଷ୍ଟ କରିଥିଲେ। ତାଙ୍କ ଖବର ବି ପୋଷ୍ଟ କରାଯାଇଥିଲା। ସେହି ସମୟରେ ବି ବିରୋଧୀମାନେ ଆମ କଥା ଶୁଣି ନଥିଲେ। ସେତେବେଳେ ବି ସେମାନେ ଯିଏ ଭୁଲ, ତାଙ୍କ ସହିତ ଠିଆ ହୋଇଥିଲେ। ଆଉ ଏବେ ଯେତେବେଳେ ସେ ଝିଅ ନାହିଁ, ସେତେବେଳେ ସେମାନେ ‘ନ୍ୟାୟ’ ପାଇଁ ଚିତ୍କାର କରୁଛନ୍ତି। ସେତେବେଳେ ସାର ସେମାନଙ୍କୁ ଆମ ସାଙ୍ଗ ବିରୋଧରେ ବ୍ୟବହାର କରିଥିଲେ। ଆଉ ସେମାନେ (ବିରୋଧୀ ଗୋଷ୍ଠୀ) ଏହାକୁ ନିଜର ପଲିଟାକାଲ ଏଜେଣ୍ଡା ପାଇଁ ବ୍ୟବହାର କରିଥିଲେ। ତେଣୁ ଘଟଣାର ରାଜନୀତିକରଣ ହୋଇସାରିଥିଲା। ଯଦି ସବୁ ପିଲା ରାଜନୀତିକୁ ଭୁଲି ଆମ ପାଖରେ ଠିଆ ହୋଇଯାଇଥା’ନ୍ତେ, ତା’ହେଲେ ଏହି ଘଟଣା ଘଟି ନଥା’ନ୍ତା।

କିପରି ଦିଆଯାଉଥିଲା ମାନସିକ ନିର୍ଯାତନା

କଶିଶ କହିଛନ୍ତି, ପ୍ରଥମେ ଫେବର କଥା ଉଠିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଫେବର କଥାକୁ ନେଇ ସାର ଆଗକୁ ବଢ଼ି ନଥିଲେ। ପରବର୍ତ୍ତୀ ସମୟରେ ସାର ଆଉ ଫେବର କଥା କହିଛନ୍ତି କି ନାହିଁ, ତାହା ସେ (ଆମ ସାଙ୍ଗ) ଆମକୁ ଖୋଲି କହି ନାହିଁ। କିନ୍ତୁ ଏ କଥା ନିହାତି କହିଛନ୍ତି ଯେ କ୍ଲାସରେ ତାଙ୍କୁ ହଇରାଣ କରାଯାଉଥିଲା। ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ଯଦି ସେ ଦୁଇ ତିନି ମିନିଟ୍‌ ବି ବିଳମ୍ବରେ ଆସୁଥିଲେ ତାଙ୍କୁ କ୍ଲାସ ବାହାରେ ଛିଡ଼ା କରି ଦିଆଯାଉଥିଲା। ପିଲାମାନଙ୍କ ଆଗରେ ତାକୁ ଗାଳି ଦିଆଯାଉଥିଲା। ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରାଯାଉଥିଲା। ସେ କୌଣସି ପ୍ରକାରର କାର୍ଯ୍ୟକ୍ରମରେ ଭାଗ ନେଲେ ବା ଡ୍ରାମାରେ ସାମିଲ ହେଉଥିଲେ ବା ଡ୍ୟାନ୍ସ କରୁଥିଲେ, ତା’ହେଲେ ସେ କଥା ତାଙ୍କ ଘର ଲୋକଙ୍କୁ କୁହାଯାଉଥିଲା। ପାଠ ନ ପଢ଼ି ସେ ଏସବୁ ଜିନିଷ କରୁଥିବା ତଥା ରାଜନୀତି କରୁଥିବା ନେଇ କମେଣ୍ଟ କରି ପରିବାର ଲୋକଙ୍କୁ ସାର କହୁଥିଲେ। ଫଳରେ ତାଙ୍କ ବାପାମା’ଙ୍କ ଉପରେ ବି ଚାପ ପଡ଼ୁଥିଲା।

ତାଙ୍କ ଲୁହ ବି ପିଲାମାନଙ୍କୁ ତରଳାଇପାରିଲା ନାହିଁ

ମୃତ ଛାତ୍ରୀଙ୍କ ଘନିଷ୍ଠ ସାଙ୍ଗ ଆହୁରି କହିଛନ୍ତି, ଆମ ସାଙ୍ଗ ନିଜେ ମିଡିଆ ସମ୍ମୁଖରେ କାନ୍ଦି ପକାଇଥିଲେ। ସେ ସେମିତି (ତାଙ୍କ ଚରିତ୍ରକୁ ନେଇ ଉଠିଥିବା ପ୍ରଶ୍ନ) ନୁହନ୍ତି ବୋଲି କହିଥିଲେ। ତାଙ୍କ ଲୁହ ଯେଉଁଠି ସେ ପିଲାମାନଙ୍କୁ ବୁଝାଇପାରିଲା ନାହିଁ, ସେମାନଙ୍କୁ ଆମେ କ’ଣ ବୁଝାଇଥାଆନ୍ତୁ। ଆମେ ବୁଝାଇଥିଲେ ସେମାନେ କହିଥାଆନ୍ତେ ଏହା ପଲିଟିକାଲ। ସେଥିପାଇଁ ଆମେ ମୁହଁ ବନ୍ଦ ରଖି କେବଳ ତାଙ୍କୁ ସମର୍ଥନ କରିଥିଲୁ। କର୍ତ୍ତୃପକ୍ଷ ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ଏମିତି ହୋଇନଥା’ନ୍ତା।

କଲେଜ କର୍ତ୍ତୃପକ୍ଷଙ୍କୁ ବି କ’ଣ ଦୋଷାରପ କରିବି? ସେମାନଙ୍କୁ ବି ସମୟ ଦରକାର ଥିଲା। କିନ୍ତୁ ପିଲାମାନେ ସବୁ କଥା ନ ଜାଣି ନ ବୁଝି ଏକ ପାଖିଆ ହୋଇ ତାଙ୍କୁ ଏତେ ଛି ଛାକର କରିବା, ତାଙ୍କ ବିରୋଧରେ ଗୁଜବ ସୃଷ୍ଟି କରିବା ତାଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲା। ଯଦି ଏବେ ମୁଁ ମୁହଁ ଖୋଲିବି, ତା’ହେଲେ ଏହା ବହୁତ ଜଣଙ୍କୁ ବାଧିଯାଇପାରେ। କିନ୍ତୁ ସତ କଥା ହେଉଛି, ଆମ ଆଗରେ ଆମ ସାଙ୍ଗଟା ଜଳି ଜଳି ମରିଛି। ତେଣୁ ଆମେ ଚାହୁଁଛୁ ଯେ ତଦନ୍ତ ପରେ ଯିଏ ପ୍ରକୃତରେ ଦୋଷୀ ବୋଲି ଜଣାପଡ଼ିବ, ତାକୁ ଜଳେଇ ଜଳେଇ ମାରିବା ଦରକାର। ବହୁତ ଭିତିରି କଥା ଥିବ। ଠିକ୍‌ରେ ତଦନ୍ତ ହେଲେ ସବୁ ବାହାରକୁ ଆସିବ ବୋଲି ମୃତ ଛାତ୍ରୀଙ୍କ ସାଙ୍ଗ କହିଛନ୍ତି। 

fm-college