Advertisment

ଆର ପାରିରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏମ୍‌ ଏସ୍‌ ଗିଲ୍‌

ସିଭିଲ ସର୍ଭିସ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଏମ ଏସ୍‌ ଗିଲଙ୍କୁ ୨୦୦୦ ମସିହାରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।

author-image
Niharika Rout
Manohar Singh Gill

Manohar Singh Gill

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତଥା ବରିଷ୍ଠ କଂଗ୍ରେସ ନେତା ଡ. ମନୋହର ସିଂ ଗିଲ୍‌ ଆଉ ନାହାନ୍ତି। ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ବେମାରରେ ପୀଡ଼ିତ ଥିବା ମନୋହର ସିଂ ଗିଲ୍‌ଙ୍କୁ କିଛି ଦିନ ହେବ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତକାଲି ତାଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ କରାଯିବ ବୋଲି ଜଣାଯାଇଛି।

ଏମ ଏସ୍‌ ଗିଲ ୧୯୯୬ ମସିହାରୁ ୨୦୦୧ ମସିହା ଜୁନ ୧୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୯୮ ଓ ୧୯୯୯ ମସିହାରେ ହୋଇଥିବା ଲୋକସଭା ନିର୍ବାଚନ ତାଙ୍କ ଦାୟିତ୍ୱ କାଳରେ ହୋଇଥିବା ବେଳେ ସେ ତାହାକୁ ସୂଚାରୁ ରୂପେ ତୁଲାଇଥିଲେ। ଦେଶର ୧୧ତମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନକୁ ବାଦ ଦେଇ ୨୦ରୁ ଊର୍ଦ୍ଧ୍ୱ ରାଜ୍ୟର ବିଧାନସଭା ନିର୍ଚାଚନକୁ ମଧ୍ୟ ସେ ସୂଚାରୂ ରୂପେ ସମ୍ପାଦନ କରିଥିଲେ।

Advertisment

ସିଭିଲ ସର୍ଭିସ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଏମ ଏସ୍‌ ଗିଲଙ୍କୁ ୨୦୦୦ ମସିହାରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା। ଗିଲ୍‌ କଂଗ୍ରେସ ତରଫରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଏହାପରେ ସେ ମନମୋହନ ସିଂଙ୍କ ସରକାରରେ ଖେଳ ମନ୍ତ୍ରୀ ପଦ ସମ୍ଭାଳିଥିଲେ।

ଗିଲଙ୍କ ମୃତ୍ୟୁରେ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗିଲଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଏହା ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ଡ. ଗିଲ୍‌ଙ୍କ ମୃତ୍ୟୁରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗଭୀର ଶୋକ ପ୍ରକଟ କରିଛନ୍ତି। ସେ ଟ୍ୱିଟ କରି ଉଲ୍ଲେଖ କରିଛନ୍ତି, ପୂର୍ବତନ ମନ୍ତ୍ରୀ, ପଦ୍ମ ବିଭୂଷଣ ମନୋହର ସିଂଙ୍କ ମୃତ୍ୟୁ ଖବର ଗଭୀର ଧକ୍କା ଦେଇଥିବା କହିଛନ୍ତି। ଦେଶର ମୁଖ୍ୟ ନିର୍ବାଚନ କମିଶନର ରୂପେ ତାଙ୍କ ଉଲ୍ଲେଖନୀୟ ଭୂମିକା ପାଇଁ ସେ ସବୁବେଳେ ମନେ ପଡ଼ିବେ। ଏଥିସହ ଖେଳ ଓ କୃଷି ଆଦି ବିଭାଗରେ ବି ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ।

Delhi