Advertisment

ଆଳି ରାଜନୀତି: ଝିଅକୁ ନିର୍ବାଚନ ଲଢ଼େଇବାକୁ ନିଜ ଭିଟାମାଟି ବିକିଲେ ପୂର୍ବତନ ବିଧାୟକ

ଶ୍ରୀ ଶର୍ମା ନିର୍ବାଚନୀ ପ୍ରଚାରରେ ଅର୍ଥାଭାବ ଯୋଗୁ ନିଜର ଭିଟାମାଟି ବିକ୍ରି କରିଛନ୍ତି

Devendra Sharma

Devendra Sharma

Advertisment

ଆଳିବାସୀଙ୍କୁ ସୁରକ୍ଷା ଓ ଆଳିରେ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିଜର ଭିଟାମାଟି ବିକିଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆଳିରୁ ବିଧାୟକ ଥିବା କଂଗ୍ରେସ ନେତା ଶ୍ରୀ ଶର୍ମା ଏଥର ନିଜର ଉଚ୍ଚଶିକ୍ଷିତା ଝିଅ ଡାକ୍ତର ଦେବସ୍ମିତା ଶର୍ମା(୨୮ବର୍ଷ)ଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡିର ବାହୁବଳ ଓ ଅର୍ଥବଳର ମୁକାବିଲା କରିବା ପାଇଁ ନିଜ ପୈତୃକ ଭିଟାମାଟିରୁ ୫ ଡେସିମିଲ୍ ଜମି ବିକ୍ରି କରିଥିବା ସୂଚନା ମିଳିଛି । ଶ୍ରୀ ଶର୍ମାଙ୍କ ଏଭଳି ପଦକ୍ଷେପ ପରେ ଏବେ ଆଳିରେ ରାଜପରିବାର ସଦସ୍ୟ ତଥା ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଥିବା ଚର୍ଚ୍ଚା।

Advertisment

ସୂଚନା ଅନୁସାରେ, ଶ୍ରୀ ଶର୍ମା ନିର୍ବାଚନୀ ପ୍ରଚାରରେ ଅର୍ଥାଭାବ ଯୋଗୁ ନିଜର ଭିଟାମାଟି ବିକ୍ରି କରିଛନ୍ତି । ସେ ଚଳିତଥର ନିଜ ଡାକ୍ତରୀ ଝିଅ ଦେବସ୍ମିତାଙ୍କୁ କଂଗ୍ରେସ ଟିକେଟରେ ଆଳି ବିଧାନସଭା ଆସନରୁ ପ୍ରାର୍ଥୀ କରାଇଛନ୍ତି । ଝିଅର ନିର୍ବାଚନ ଖର୍ଚ୍ଚ ତୁଲାଇବା ନିମନ୍ତେ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ବାଧ୍ୟ ହୋଇ ରହୁଥିବା ଘରଡ଼ିହର ୫ଡିସିମିଲ୍ ଜମିକୁୁ ବିକ୍ରି କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ଶର୍ମା କହିଛନ୍ତି ଯେ, ତାଙ୍କ ଝିଅ ଚଳିତଥର ପାରମ୍ପରିକ ଆଳି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରୁ ପୂର୍ବରୁ ତାଙ୍କ ପିତା ଓ ସେ ନିଜେ ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି।

ନିର୍ବାଚନ ଏବେ ବ୍ୟୟବହୁଳ ହୋଇପଡ଼ିଛି। ପ୍ରଚାରରେ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି । ଶାସକ ଦଳର ପ୍ରାର୍ଥୀ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଛନ୍ତି । ସେହି ଅନୁପାତରେ ନହେଲେବି ସ୍ୱଳ୍ପ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ତେଣୁ ଭିଟାମାଟି ବିକ୍ରି କରିବା ଛଡ଼ା ଅନ୍ୟ କିଛି ବାଟ ନଥିଲା । ପୂର୍ବରୁ ଚାଷଜମି ସବୁ ବିକ୍ରି ହୋଇସାରିଛି । ଏବେ ଟଙ୍କା ପାଇଁ ଏହି ଭିଟାମାଟି ବିକ୍ରି କରିଥିବା ସେ କହିଛନ୍ତି । ଆଳିବାସୀଙ୍କ ସେବା ପାଇଁ ତାଙ୍କ ଝିଅ ସରକାରୀ ଚାକିରି ଛାଡ଼ିଛି । ଝିଅ ସରକାରୀ ଡାକ୍ତର ଭାବେ କାର୍ଯ୍ୟ କରୁଥିଲା । କିନ୍ତୁ ପିତା ଓ ଜେଜେବାପାଙ୍କ ମାର୍ଗରେ ଯାଇ ଆଳିବାସୀଙ୍କ ସେବା କରିବାକୁ ସେ ଚାହୁଁଥିବାରୁ ତା’ର ଇଚ୍ଛାକୁ ସମ୍ମାନ ଜଣାଉଛି । ଆଳିବାସୀଙ୍କ ଭଲପାଇବା ମିଳୁଛି ଓ ତାଙ୍କ ଝିଅ ନିଶ୍ଚିତ ବିଜୟୀ ହେବ ବୋଲି ଶ୍ରୀ ଶର୍ମା  ଆଶାବାଦୀ ଅଛନ୍ତି।

Advertisment

ସୂଚନାଯୋଗ୍ୟ, ଆଳିରେ ବିଜେଡି ନିଜର ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ବିଜେପି କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ମଇଦାନକୁ ଓହ୍ଲାଇଛି ।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe