/odisha-reporter/media/post_attachments/uploadimage/library/16_9/16_9_0/Congress_1684772760.jpg)
Congress
ଚାଷ ଓ ଚାଷୀଙ୍କୁ ରାଜ୍ୟର ବିଜେଡି ଏବଂ କେନ୍ଦ୍ରର ବିଜେପି ସରକାର ହତାଦାର କରୁଥିବା ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆସନ୍ତା ଜୁନ୍ ୧୦ତାରିଖରୁ ପ୍ରତ୍ୟେକ ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ସହ ବିକ୍ଷୋଭ ଏବଂ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ବୋଲି ଘୋଷଣା କରିଛି।
ଆଜି ପ୍ରଦେଶ କିଷାନ କଂଗ୍ରେସ ମୁଖ୍ୟ ଅମୀୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତା’ ଉପରେ ଏକ ଶ୍ୱେତପତ୍ର ପ୍ରକାଶ ନକଲେ ଆସନ୍ତା ଜୁୂନ୍ ୧୦ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଓ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟ ଜନସଂଖ୍ୟାର ୬୫ ପ୍ରତିଶତର ଉର୍ଦ୍ଧ୍ୱ ଲୋକ କୃଷି କାର୍ଯ୍ୟରେ ନିୟୋଜିତ।
କୃଷି ଓ କୃଷକର ପ୍ରଗତି ହେଲେ ରାଜ୍ୟର ଅର୍ଥନୈତିକ ପ୍ରଗତି ହିଁ ସମ୍ଭବ । କିନ୍ତୁ ଆଜି ରାଜ୍ୟର କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ଓ କୃଷକ ସବୁଠାରୁ କ୍ଷତିଗ୍ରସ୍ତ । ଭାଗଚାଷୀଙ୍କ ସମସ୍ୟା କହିଲେ ନ ସରେ । ଲକ୍ଷ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷଜମି ପଡ଼ିଆ ପଡ଼ିଛି । ୩୦ ଲକ୍ଷରୁ ଉର୍ଦ୍ଧ୍ୱଲୋକ ଚାଷ ବାସ ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଫସଲ ହାନୀ, ଋଣଭାର, ଅଭାବୀ ବିକ୍ରିର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ଚାଷୀର ଚାଷ ଉପଯୋଗୀ ଜମିକୁ ଶାଗ ମାଛ ମୂଲ୍ୟରେ ବାହାର ଶିଳ୍ପପତିମାନଙ୍କ ହାତରେ ଟେକି ଦିଆଯାଇଛି ।
ଚାଷ ପାଇଁ ଜଳସେଚନଠାରୁ ଆରମ୍ଭ କରି ଚାଷୀ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉନାହିଁ । ବ୍ୟବସ୍ଥିତ ଢଙ୍ଗରେ ମଣ୍ଡି ବ୍ୟବସ୍ଥା ନାହିଁ । ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ନାହିଁ । ଆଜି ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ହେଲେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଗଲା ନାହିଁ। ଠିକଣା ସମୟରେ କୃଷି ଋଣ ଓ ଫସଲ ବୀମା କ୍ଷତିପୂରଣ ସହାୟତା ନ ମିଳିବା ଯୋଗୁଁ ଚାଷୀ ଗୁରୁତର କ୍ଷତିର ସମ୍ମୁଖିନ ହେଉଛନ୍ତି । ରାଜ୍ୟ ସରକାର ଚାଷୀର ଆୟ ଦୁଇଗୁଣା ବୃଦ୍ଧି ଓ କୃଷି କର୍ମଣ ପାଇବାରେ ବାହାପା ମାରୁଛନ୍ତି । ଦୁର୍ଭାଗ୍ୟର କଥା ନବୀନ ବାବୁଙ୍କ ୨୪ ବର୍ଷ ଶାସନକାଳରେ ଚାଷୀ ସବୁଠାରୁ ତଳୁତଳାନ୍ତ । ଚାଷୀ ପରିବାରର କୌଣସି ଆୟ ବୃଦ୍ଧି ହୋଇନାହିଁ । ଏଥିରେ ଚାଷୀଙ୍କ ଆୟ ଦୁଇଗୁଣା ହେଲା କିପରି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଆଜି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ କିଷାନ କଂଗ୍ରେସର ପରିବର୍ଦ୍ଧତ କାର୍ଯ୍ୟକାରିଣୀ ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ସରକାରର ଚାଷୀମାରଣ ନୀତିକୁ
ତୀବ୍ର ନିନ୍ଦା କରିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କେବଳ ମାଳମାଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଚାଲିଛନ୍ତି । ଚାଷୀଙ୍କ ବିକାଶ ପରିବର୍ତ୍ତେ ବିନାଶ ଘଟୁଛି । ଖୁବଶୀଘ୍ର କିଷାନ କଂଗ୍ରେସ ସଂଗଠନକୁ ପ୍ରତି ଗ୍ରାମସ୍ତରରୁ ସୁଦୃଢ଼ କରାଯାଇ ଚାଷୀଙ୍କ ହକ୍ ପାଇଁ ଆଗାମୀ ଦିନରେ ଉଭୟ ସରକାରଙ୍କ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ । ବ୍ଳକସ୍ତରରେ ଜଳସେଚନ ବ୍ୟବସ୍ଥା ଠପ୍ । ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରରେ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ପଛୁଆ ଏବଂ ଚାଷୀର ଆୟ ଜାତୀୟସ୍ତରଠାରୁ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ । ଆଳୁ ମିଶନ ଓ ପିଆଜ ମିଶନ ଫେଲ୍ ମାରିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏକ ପ୍ରହସନ ବୋଲି ସେ କହିଛନ୍ତି ।
ଏହି ବୈଠକରେ ବରିଷ୍ଠ ନେତା ପଂଚାନନ କାନୁନ୍ଗୋ ଓ ଶିବାନନ୍ଦ ରାୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ କଡ଼ା ସମାଲୋଚନା କରି ଚାଷୀଙ୍କ ଦୟନୀୟ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦାବନ ଖଟେଇ, ଶ୍ୟାମସୁନ୍ଦର ଦୋରା, ସ୍ୱପ୍ନେଶ୍ୱର ପୃଷ୍ଟି, ମଙ୍ଗୁ ଖିଲ,ଉପେନ୍ଦ୍ର ସାହୁ, ଧ୍ରୁବଚରଣ ପରିଡ଼ା, ଗୁଣନିଧି ସାହୁ, ଦାଶରଥି ସାହୁ, ରବିନ୍ଦ୍ର କୁମାର ପାଲ, ଜୟନ୍ତ ମହାପାତ୍ର, ସୁରେନ୍ଦ୍ର ପାଇକରାୟ, ଗୋବିନ୍ଦ ପଟେଲ, ନୂତନ ତ୍ରିପାଠୀ, ବିଶ୍ୱଜିତ ମିଶ୍ର, ମନୋଜ ନାୟକ, ରଘୁନାଥ ପଲିଆ, ମନବୋଧ ପଟେଲ, ପଦ୍ମଚରଣ ସାହୁ ଓ ମନୋଜ କୁମାର ଦିଗାଲ ପ୍ରମୁଖ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
