Advertisment

ଗଞ୍ଜାମ ବିଜେଡିରେ ତାଳିପକା ଉଦ୍ୟମ, ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ବିବାଦ

ଗଞ୍ଜାମ ବିଜେଡି ଗୋଷ୍ଠୀକନ୍ଦଳରେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ। ଶଙ୍ଖ ଭବନରେ ବୈଠକ, ଦେବୀ ମିଶ୍ରଙ୍କ ତାଳିପକା ଉଦ୍ୟମ, ନବୀନଙ୍କ ଆଶ୍ୱାସନା ସବୁ ବିଫଳ।

author-image
Ordigital Desk
ଅଦ୍ୟତନ ହୋଇଛି
Naveen Patnaik (File Photo)

Naveen Patnaik (File Photo)

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ ବିବାଦ ଏତେ ତୀବ୍ର ହୋଇଛି ଯେ ଆଜି ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିବାର ନାଁ ଧରିନି। ଓଲଟା ଗୋଟିଏ ଗୋଷ୍ଠୀ ଆବଶ୍ୟକ ପଡ଼ିଲେ ବିଜେପି ସହ ସାମିଲ ହେବ ବୋଲି ଆଜି ରୋକଠୋକ୍ ଜଣାଇ ଦେଇଛି। ଶଙ୍ଖ ଭବନରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ତାଳିପକା ଉଦ୍ୟମ, ନବୀନ ନିବାସରେ ନବୀନଙ୍କ ଦୁଇଧାଡ଼ିଆ ଆଶ୍ୱାସନା କିଛି କାମ ଦେଇନି ଓ ଉଭୟ ଗୋଷ୍ଠୀ ପରସ୍ପର ଜିଦରେ ଅଟଳ ରହିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମରେ ବିଜେଡି ଜିଲ୍ଲା ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଗୋଷ୍ଠୀକନ୍ଦଳର ସମାଧାନ ପାଇଁ ଆଜି ସମସ୍ତଙ୍କୁ ଭୁବନେଶ୍ୱର ଡକାଯାଇଥିଲା। ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀ ପରସ୍ପରକୁ ଦୋଷାରୋପ କରିବା ସହ ଦଳୀୟ ସଂଗଠନକୁ ଦୁର୍ବଳ କରୁଥିବାର ଅଭିଯୋଗ ଆଣିଥିଲେ। ଏପରିକି ପରସ୍ପର ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଏଭଳି ସ୍ତରକୁ ଯାଇଥିଲା ଯେ, ଦେବୀଙ୍କ ତାଳିପକା ଉଦ୍ୟମ ଫେଲ୍ ମାରିଥିଲା। ପରେ ଉଭୟ ପକ୍ଷକୁ ବୁଝାସୁଝା କରି ନବୀନ ନିବାସ ନିଆଯାଇଥିଲା। ସେଠାରେ ନବୀନ ଏସବୁ ବିଶେଷକିଛି ନଶୁଣି ସଂଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କହିବା ସହ ଲୋକଙ୍କ ସମସ୍ୟା ପ୍ରତି ସଚେତନ ହେବାକୁ କହିଥିଲେ। ଏହାସହିତ ସେ ଖୁବଶୀଘ୍ର ଗଞ୍ଜାମ ଗସ୍ତରେ ଯିବେ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି।

ନବୀନଙ୍କ ଏଭଳି ଆଶ୍ୱାସନା କିନ୍ତୁ ଦୁଇ ଗୋଷ୍ଠୀ ମଧ୍ୟରେ ବଢ଼ୁଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ପାରିନାହିଁ। ଓଲଟା ବ୍ରହ୍ମପୁର ମହାନଗର ନିଗମର ଅଧିକାଂଶ କର୍ପୋରେଟର ଏବେ ବିଜେପି ସହ ଲିଙ୍କରେ ରହିଥିବା ଆଜିର ବୈଠକରୁ ସ୍ପଷ୍ଟ ହୋଇଯାଇଛି।

Advertisment

ଏହି ବୈଠକ ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ନବୀନ ନିବାସରେ ଗଞ୍ଜାମ ନେତାମାନେ ନବୀନଙ୍କୁ ଭେଟିଲେ। ବ୍ରହ୍ମପୁର ମହାନଗର ନିଗମର ମେୟର, ୩୪ଜଣ କର୍ପୋରେଟର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସହ ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ୍ ମଧ୍ୟ ଉପସ୍ଥିତ ଥିଲେ। ପରସ୍ପର ମଧ୍ୟରେ ସମନ୍ୱୟ ରଖି ସଭ୍ୟ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ଉପରେ ଆଲୋଚନା ହୋଇଛି। ଏନେଇ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଗଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେହିପରି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମହାନଗର ନିଗମରେ ଯେଉଁ ବିବାଦ ଅଛି ତାହା ମହାନଗରରେ ତୁଟିବ। ସେସବୁ ଆଭ୍ୟନ୍ତରୀଣ ମତପାର୍ଥକ୍ୟ। କିନ୍ତୁ ସମସ୍ତେ ଏକ ହୋଇ କାମ କରିବେ ବୋଲି ସହମତି ହୋଇଛନ୍ତି। ରାମଲିଙ୍ଗମ ଟ୍ୟାଙ୍କକୁ ନେଇ ସମସ୍ୟା ଥିଲା। ନବୀନ ପଟ୍ଟନାୟକଙ୍କ କଥା ଆସିଲେ ସମସ୍ତେ ଏକଜୁଟ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜିର ବୈଠକ ପରେ ୧୦ରୁ ଅଧିକ କର୍ପୋରେଟର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନେ ଆଉ ଦଳୀୟ ନେତାଙ୍କ ଭରସାରେ ରହିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିବା ଜଣାପଡ଼ିଛି।

BjD Naveen Patnaik Ganjam Bjd Bikram Panda Ramesh Chandra ChyauPatnaik