ମୋଦି, ନୀତୀଶ, ରାହୁଲ ଓ ତେଜସ୍ୱୀ
ହାଇଭୋଲଟେଜ ବିହାର ବିଧାନସଭା ପାଇଁ ଭୋଟିଂ ଶେଷ ହୋଇଛି। ନଭେମ୍ବର ୬ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଓ ଆଜି ବାକି ଥିବା ୧୨୨ଟି ଆସନ ପାଇଁ ମତଦାନ ଶେଷ ହୋଇଛି। ମତଦାନ ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଆସନ୍ତା ୧୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସନ୍ଧ୍ୟା ୫ଟା ସୁଦ୍ଧା ବିହାରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ପ୍ରାୟ ୬୭.୧୪% ରହିଛି।
କିଷ୍ଣନଗଞ୍ଜ, କଟିହର, ପୁର୍ଣ୍ଣେଆ ଓ ଆରାରିୟାରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଏହି ୪ ଜିଲ୍ଲାରେ ସନ୍ଧ୍ୟା ୫ଟା ସୁଦ୍ଧା ଯଥାକ୍ରମେ ୭୬.୨୬%, ୭୫.୨୩%, ୭୩.୭୯% ଓ ୬୭.୭୯% ଭୋଟିଂ ରେକର୍ଡ ହୋଇଛି। ନାୱାଡାକୁ ଛାଡ଼ି ବାକି ସବୁ ଜିଲ୍ଲାରେ ଭୋଟିଂ ହାର ୬୦% ଉପରେ ରହିଛି। ନାୱାଡାରେ ୫୭.୧୧% ଭୋଟି ହୋଇଥିବା ସୂଚନା ମିଳିଛି।
ଧାର୍ଯ୍ୟ ସମୟ ସନ୍ଧ୍ୟା ୬ଟେ ପରେ ମଧ୍ୟ ଅନେକ ବୁଥରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସମୟ ଶେଷ ହୋଇଥିଲେ ହେଁ ଧାଡ଼ିରେ ଥିବା ଲୋକମାନେ ଭୋଟ ଦେବେ। କିନ୍ତୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ ସମୟ ଥିବାରୁ ବିଧିବଦ୍ଧ ଭାବେ ବିହାର ନିର୍ବାଚନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହାର ୬୫% ରହିଥିଲା। ୨୦୨୫ ବିହାରବାସୀ ରେକର୍ଡ ସଂଖ୍ୟକ ଭୋଟିଂ କରିଛନ୍ତି।
ଭୋଟିଂ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ଜାରି କରାଯାଇଛି। ଅଧିକାଂଶ ସର୍ଭେ ସଂସ୍ଥା ବିହାର ଶାସନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସଙ୍କେତ ଦେଇଛନ୍ତି। ଅର୍ଥାତ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ବିହାରରେ ଶାସନ ଜାରି ରଖିବ। ସେହିପରି ବିହାର ବିଜୟ ପାଇଁ ବିରୋଧୀ ମେଣ୍ଟ ଯେଉଁ ସ୍ୱପ୍ନ ଦେଖିଥିଲା, ତା’ହା ଏଥର ପୁଣି ଅଧା ରହିବ ବୋଲି ଏକଜିଟ ପୋଲରେ ଦାବି କରାଯାଇଛି।
ବିହାରରେ ୨୦୦୫ରୁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ କାମ କରି ଆସୁଛନ୍ତି। ସେ କେତେବେଳେ ବିଜେପି ତ ଆଉ କେତେବେଳେ ବିରୋଧୀ ଆରଜେଡି ସହ ମିଶି ସରକାର ଗଠନ କରିବାର ନଜିର ରହିଛି। ୨୦୨୦ରେ ନୀତୀଶଙ୍କ ଜେଡିୟୁ ୪୩ଟି ଆସନ ଜିତିଥିଲେ ହେଁ ୭୪ ଆସନ ଜିତିଥିବା ବିଜେପି ତାଙ୍କୁ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ କରିଥିଲା। ୨୦୧୫ରେ ସେ ଆରଜେଡି ସହ ମିଶି ସରକାର ଗଠନ କରିଥିଲେ। କିନ୍ତୁ ୨୦୧୭ରେ ସେ ମେଣ୍ଟରୁ ଓହରି ବିଜେପି ସହ ମିଶି ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ତେବେ ୨୦୨୫ରେ ବିରୋଧୀ ମେଣ୍ଟ ମହାଗଠବନ୍ଧନ(ଆରଜେଡି, କଂଗ୍ରେସ ଓ ବାମଦଳ) କ୍ଷମତାକୁ ଫେରିବ ବୋଲି ଆଶା କରିଥିଲେ। କିନ୍ତୁ ଅଧିକାଂଶ ଏକଜିଟ ପୋଲ ମହାଗଠବନ୍ଧନ ବିରୋଧରେ ଜନମତ ଯିବ ବୋଲି କହିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏ ବିହାର(Bihar Election)ରେ କ୍ଷମତା ବଜାୟୀ ରଖିବ ବୋଲି ପ୍ରାୟ ସବୁ ସଂସ୍ଥା ଆକଳନ କରିଛନ୍ତି।
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି ଏଥର ଡେବ୍ୟୁ କରିଥିଲା। କିନ୍ତୁ ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ି ନଥିବା ଏକଜିଟ ପୋଲରେ କୁହାଯାଇଛି।
ବିହାରର ବିଧାନସଭା ଆସନ ସଂଖ୍ୟା ହେଉଛି ୨୪୩। ତେଣୁ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨। ୧୪ ତାରିଖରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ଏକଜିଟ ପୋଲ(Exit Poll) ରେଜଲ୍ଟ ସାମ୍ନାକୁ ଆସିଛି।
ଦୈନିକ ଭାସ୍କର: ଏନଡିଏ ୧୪୫-୧୬୦, ମହାଗଠବନ୍ଧନ ୭୩-୯୧, ଜନ ସୂରାଜ ପାର୍ଟି ୦-୦ ଓ ଅନ୍ୟାନ୍ୟ ଦଳ ୫-୧୦ ଆସନ
ମ୍ୟାଟ୍ରିଜ: ଏନଡିଏ ୧୪୭-୧୬୭, ମହାଗଠନବନ୍ଧନ ୭୦-୯୦, ଜନ ସୂରାଜ ପାର୍ଟି ୦-୨ ଓ ଅନ୍ୟାନ୍ୟ ଦଳ ୨ରୁ ୮ ଆସନ
ପିପୁଲ୍ସ ପଲ୍ସ: ଏନଡିଏ ୧୩୩-୧୫୯, ମହାଗଠନବନ୍ଧନ ୭୫-୧୦୧, ଜନ ସୂରାଜ ପାର୍ଟି ୦-୫ ଓ ଅନ୍ୟାନ୍ୟ ଦଳ ୨ରୁ ୮ ଆସନ
ପିପୁଲ୍ସ ଇନସାଇଟ: ଏନଡିଏ ୧୩୩-୧୪୮, ମହାଗଠନବନ୍ଧନ ୮୭-୧୦୨, ଜନ ସୂରାଜ ପାର୍ଟି ୦-୨ ଓ ଅନ୍ୟାନ୍ୟ ଦଳ ୩-୬ ଆସନ
P-Marq: ଏନଡିଏ ୧୪୨-୧୬୨, ମହାଗଠବନ୍ଧନ ୮୦-୯୮, ଜନ ସୂରାଜ ପାର୍ଟି ୧-୪ ଓ ଅନ୍ୟାନ୍ୟ ଦଳ ୦-୩ ଆସନ
ଜେଭିସି: ଏନଡିଏ ୧୩୫-୧୫୦, ମହାଗଠବନ୍ଧନ ୮୮-୧୦୩, ଜନ ସୂରାଜ ପାର୍ଟି ୦-୧ ଓ ଅନ୍ୟାନ୍ୟ ଦଳ ୩-୬ ଆସନ
ଚାଣକ୍ୟ ଷ୍ଟ୍ରାଟେଜିସ: ଏନଡିଏ ୧୩୦-୧୩୮, ମହାଗଠବନ୍ଧନ ୧୦୦-୧୦୮, ଜନ ସୂରାଜ ପାର୍ଟି ୦-୦ ଓ ଅନ୍ୟାନ୍ୟ ଦଳ ୩-୫ ଆସନ
ଡିଭି ରିସର୍ଚ୍ଚ: ଏନଡିଏ ୧୩୭-୧୫୨, ମହାଗଠବନ୍ଧନ ୮୩-୯୮, ଜନ ସୂରାଜ ପାର୍ଟି ୨-୪ ଓ ଅନ୍ୟାନ୍ୟ ଦଳ ୧-୮ ଆସନ
ଟିଆଇଏଫ ରିସର୍ଚ୍ଚ: ଏନଡିଏ ୧୪୫-୧୬୩, ମହାଗଠବନ୍ଧନ ୭୬-୯୫, ଜନ ସୂରାଜ ପାର୍ଟି ୦-୦ ଓ ଅନ୍ୟାନ୍ୟ ଦଳ ୩-୬ ଆସନ
Polstrat: ଏନଡିଏ ୧୩୩-୧୪୮, ମହାଗଠବନ୍ଧନ ୮୭-୧୦୨, ଜନ ସୂରାଜ ପାର୍ଟି ୦-୦ ଓ ଅନ୍ୟାନ୍ୟ ଦଳ ୩-୫ ଆସନ
ଏସବୁ ସଂସ୍ଥାର ଏକଜିଟ ପୋଲକୁ ବିଚାରକୁ ନେଲେ ଅର୍ଥାତ ପୋଲ ଅଫ ଏକଜିଟ ପୋଲ ଅନୁଯାୟୀ, ବିହାରରେ ଏନଡିଏ ୧୪୭ଟି, ମହାଗଠବନ୍ଧନ ୯୦, ଜନ ସୂରାଜ ପାର୍ଟି ୧ ଓ ଅନ୍ୟାନ୍ୟ ଦଳ ୫ ଆସନ ଜିତିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/11/exit-poll-2025-11-11-17-40-42.jpg)