Advertisment

ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅ: ବିଜେପି

ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ତ୍ରୁଟିପୂର୍ଣ୍ଣ ବୋଲି କହିବା ସହ ବ୍ୟାଙ୍କ ଋଣ ନୁହେଁ ମାଗଣା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ଘର ଦେବାକୁ ବିଜେପି ଦାବି କରିଛି ।

BJP Press Meet

BJP Press Meet

Advertisment

ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ତ୍ରୁଟିପୂର୍ଣ୍ଣ ବୋଲି କହିବା ସହ ବ୍ୟାଙ୍କ ଋଣ ନୁହେଁ ମାଗଣା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ଘର ଦେବାକୁ ବିଜେପି ଦାବି କରିଛି । ମୋ ଘର ଯୋଜନାରେ ରାଜ୍ୟ ସରକାର ଦୁର୍ନୀତିର ମୂଳ ମଞ୍ଜି ପୋତିଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ବ୍ୟାଙ୍କ ଋଣ ଶୁଝି ନପାରିଲେ ବନ୍ଧା ପଡ଼ିଥିବା ବାପା-ଅଜା ଅମଳର ଘର ଡ଼ିହ ବି ହାତରୁ ଚାଲିଯିବ ବୋଲି ବିଜେପି ଆଶଙ୍କା ବ୍ୟକ୍ତ କରିଛି ।

Advertisment

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଲୋକଙ୍କ ପାଖରେ ପହଂଚାଇବା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଅଯୋଗ୍ୟ ରାଜ୍ୟ ସରକାର ‘ମୋ ଘର’ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି । ରାଜ୍ୟର ବାସହୀନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ପର୍ଯ୍ୟାପ୍ତ ପରିମାଣର ପକ୍କାଘର ଯୋଗାଇ ଦେଇଛନ୍ତି ।

୩୪,୦୬୩କୋଟି ଟଙ୍କା ଅନୁଦାନରେ ରାଜ୍ୟର ପ୍ରାୟ ୨୬.୯୫ଲକ୍ଷ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଥିବାବେଳେ ଓଡ଼ିଶା ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ମନ୍ଦ ଅଭିସନ୍ଧି ଯୋଗୁଁ ୯.୫ଲକ୍ଷ ପରିବାର ଏହି ସୁବିଧାରୁ ଏଯାଏ ବଂଚିତ ହୋଇ ରହିଛନ୍ତି । ବ୍ୟାପକ ଦୁର୍ନୀତି,ବାଟମାରଣା ଓ ପକ୍ଷପାତିତା ଯୋଗୁଁ ହିଁ ଆଜି ସମଗ୍ର ଦେଶରେ ରାଜ୍ୟର ସବୁଠୁ ବେଶୀ ଗରିବ ଲୋକ ନିଜର ଘର ପାଇପାରିନାହାନ୍ତି । ଯୋଗ୍ୟ ବାସହୀନଙ୍କୁ ମାଗଣା ପକ୍କା ଘର ଯୋଗାଇ ଦେବାରେ ବିଫଳ ହୋଇଥିବା ବିଜେଡି ସରକାର ଗତକାଲି ଆଉ ଗୋଟିଏ ‘ମୋ ଘର’ ନାମରେ ନୂତନ ଥିଓରୀ ରଚନା କରିଛନ୍ତି ।

Advertisment

ବିଜୁ ପକ୍କା ଘର ଯୋଜନାରେ ଗତ ୫ ବର୍ଷ ଭିତରେ ମାତ୍ର ୪୮୦ଟି ଘର ନିର୍ମାଣ କରିଥିବା ବିଜେଡି ସରକାରର ଏହା ଏକ ପ୍ରହେଳିକା । ଗତ ୩ ବର୍ଷରେ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ବି ବରାଦ ହୋଇ ନାହିଁ । ନିଜର ଅପାରଗତା ପଦାରେ ପଡ଼ିଲା ପରେ ଓ କେନ୍ଦ୍ରୀୟ ଗ୍ରାମ ବିକାଶ ମନ୍ତ୍ରଣାଳୟର ତାଗିଦ ପରେ ହିଁ ଓଡ଼ିଶା ସରକାର ‘ମୋ ଘର’ ଯୋଜନାର ପ୍ରହେଳିକା ସୃଷ୍ଟି କରାଉଛନ୍ତି ।  ଓଡ଼ିଶା ସରକାର ଦ୍ୱାରା ଗରିବ ଗୁରୁବାଙ୍କ ପାଇଁ ନୂଆ ‘ମୋ ଘର’ ଯୋଜନା ଏକ ଭେଳିକି ସଦୃଶ । ‘ମୋ ଘର’ ନାମରେ ନୂଆ ଯୋଜନା କେବଳ ‘ନୂଆ ବୋତଲରେ ପୁରୁଣା ମଦ’ ସଦୃଶ । ଏହା କେଉଁ ପ୍ରକାର ସହାୟତା ଏବଂ କିପରି ଏକ ଯୋଜନା ତାହା କେବଳ ବାବୁ ମାନଙ୍କୁ ଜଣା ଅଛି । ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ପାଇଁ ଏବଂ ପ୍ରତାରିତ କରିବା ପାଇଁ ଏହି ଯୋଜନାର ଘୋଷଣା କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।  କୌଣସି ମୂଳ କିମ୍ବା ଏକକାଳୀନ ସହାୟତା ବିନା କୌଣସି ଗରିବ ଲୋକ କେବେ ବ୍ୟାଙ୍କରୁ ଚକ୍ରବର୍ତ୍ତୀ ସୁଧରେ ଲୋନ୍ ନେଇ ଘର ତିଆରି କରେନାହିଁ ।

ଓଡ଼ିଶା ସରକାର ବିନା କୌଣସି ନିର୍ମାଣ ସହାୟତାରେ ଗରିବଙ୍କୁ କେବଳ ଲୋନ୍ ନେଇ ଘର ତିଆରି କରିବାର ସ୍ୱପ୍ନ ବାଂଟୁଛନ୍ତି । ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ ବାର୍ଷିକ ୩ ଲକ୍ଷ ଟଙ୍କା ଆୟ ଥିବା ବ୍ୟକ୍ତିକୁ ୧୫ ଲକ୍ଷ ଟଙ୍କାର ଋଣ ମିଳୁଥିବାବେଳେ ଏହି ଯୋଜନାରେ ମାତ୍ର ୩ ଲକ୍ଷ ଟଙ୍କା ଋଣ ମିଳିବ । ଜଣେ ସାଧାରଣ ବର୍ଗର ଗରିବ ବ୍ୟକ୍ତି ଯଦି ଘର ନିର୍ମାଣ ପାଇଁ ୩ଲକ୍ଷ ଟଙ୍କା ଋଣ ନିଏ, ତାକୁ ରାଜ୍ୟ ସରକାରଙ୍କ ୬୦ହଜାର ଟଙ୍କା ମୂଳ ପରିମାଣର ରିହାତି ଓ ଏକ ବର୍ଷର ସୁଧ ରିହାତି ମିଳିବା ପରେ ବି ୯ବର୍ଷ ମଧ୍ୟରେ ମୋଟ୍ ୪.୮୦ଲକ୍ଷ ଟଙ୍କା ବ୍ୟାଙ୍କକୁ ଶୁଝିବାକୁ ପଡ଼ିବ ।

ଯେଉଁଥିରେ କେବଳ ସୁଧ ହେଉଛି ୨.୪୦ଲକ୍ଷ ଟଙ୍କା । ସେହିପରି ଋଣ ବାବଦରେ ହିତାଧିକାରୀଙ୍କୁ ଋଣ ପରିଶୋଧ ଯାଏ ନିଜର ସ୍ଥିତିବାନ ଜମିକୁ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ପଡ଼ିବ । କେଉଁ ନ୍ୟାୟରେ ଓଡ଼ିଶା ସରକାର ଗରିବ ବାସହୀନଙ୍କ ପାଇଁ ଏମିତି ଚିନ୍ତା କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଗରିବ ଲୋକ କୃଷି ଋଣ ସୁଝି ପାରୁନଥିବାବେଳେ ଗୃହ ଋଣ କେମିତି ଶୁଝିବ ଓ ବନ୍ଧା ପଡ଼ିଥିବା ଘର ଡ଼ିହ ବି ଶେଷରେ ହାତରୁ ଚାଲିଯିବ ବୋଲି ଶ୍ରୀ ହରିଚନ୍ଦନ ଆଶଙ୍କା ବ୍ୟକ୍ତ କରିବା ସହ ବ୍ୟାଙ୍କ ଋଣ ନୁହେଁ ବରଂ ଗରିବ ଲୋକଙ୍କୁ ମାଗଣା ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Bjd Politics Bjp Politics Dream House
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe