/odisha-reporter/media/post_attachments/uploads/2018/09/Untitled-1-13.jpg)
Untitled-1
ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ବିଜେଡି ଶାସନରେ ମନ୍ତ୍ରୀମାନଙ୍କ ତୁଳନାରେ ଅଫିସରମାନେ ପାୱାରଫୁଲ୍ ଓ ସେମାନଙ୍କ କଥାରେ ଶାସନ ଚାଲିଛି ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଜଣେ ମହିଳା ଆଇଏଏସ୍ଙ୍କ ଦେହରେ ଦୁର୍ନୀତିର ଛିଟା ପଡ଼ିବାର ଆଶଙ୍କା କରି ନିଜ ଦଳର ଜଣେ ବରିଷ୍ଠ ନେତାଙ୍କୁ ମନ୍ତ୍ରୀ ପଦରୁ ଅପମାନଜନକ ଭାବେ ବହିଷ୍କୃତ କରାଯାଇଥିବା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ।
ଚର୍ଚ୍ଚା ହେଉଛି, ମନ୍ତ୍ରୀ ପଦ ହରାଇବାର ପ୍ରାୟ ୭-୮ମାସ ପରେ ଏହି ଗୁମରକୁ ସମ୍ପୃକ୍ତ ବରିଷ୍ଠ ନେତାଜଣକ ଇସାରା ଇସାରାରେ କହିବାକୁ ଚାହୁଁଥିଲେ ବି ଆଗକୁ ନିର୍ବାଚନ ଥିବାରୁ କାଳେ ଟିକେଟ୍ କଟିଯିବ ସେହି ଭୟରେ କିଛି କଥା କୁଆଡ଼େ ପେଟ ଭିତରେ ରଖିବାକୁ ବାଧ୍ୟ ହେଉଛନ୍ତି।
ଶୁଣିବାକୁ ମିଳୁଛି, ରାଜ୍ୟର ଜଣେ ସର୍ବାଧିକ ପ୍ରଭାବଶାଳୀ ମହିଳା ଆଇଏଏସ୍ଙ୍କ କୋଟିକୋଟି ଟଙ୍କାର ଦୁର୍ନୀତିକୁ ଉଜାଗର କରିବା ପାଇଁ ଏହି ବରିଷ୍ଠ ନେତାଜଣକ ଉଦ୍ୟମ କରିବା ମାତ୍ରେ ହିଁ ତାଙ୍କୁ କୁଆଡ଼େ ମନ୍ତ୍ରୀ ପଦରୁ ଅତ୍ୟନ୍ତ ଚତୁରତା ସହ ବିଦା କରାଯାଇଥିଲା। ଏପରିକି ଜଣେ ପ୍ରଭାବଶାଳୀ ଆଇଏଏସଙ୍କ ଇସାରାରେ ଦଳ ପକ୍ଷରୁ ବି ତାଙ୍କୁ ବିଦା କରିବା ନିମନ୍ତେ ପୃଷ୍ଠଭୂମି ମଧ୍ୟ ପ୍ରସ୍ତୁତ ହୋଇଥିଲା।
ଦୁର୍ନୀତିର ଚେର ସିଧାସଳଖ ଏହି ମହିଳା ଆଇଏଏସ୍ଙ୍କ ପାଖରେ ପହଞ୍ଚିଥିବାରୁ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଏଭଳି ଦୁର୍ନୀତିର ତଦନ୍ତ କରାଇବା ମହଙ୍ଗା ପଡ଼ିଥିଲା। ସେ କିଛି ବୁଝିବା ପୂର୍ବରୁ ଗୋଟିଏ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍ରେ ଅନ୍ୟଏକ ପ୍ରସଙ୍ଗରେ ସମ୍ପୃକ୍ତ ନେତାଙ୍କୁ ବିବାଦୀୟ କରାଯାଇ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା।
ଚର୍ଚ୍ଚା ହେଉଛି, କୃଷି ବିଭାଗ ସହ ଜଡ଼ିତ ଏକ ନିର୍ଦ୍ଦେଶାଳୟରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଛି। ସମ୍ପୃକ୍ତ ନେତାଜଣକ ମନ୍ତ୍ରୀ ଥିବା ବେଳେ ବରଗଡ଼, ବାରିପଦା ଓ ନବରଙ୍ଗପୁରରେ ଏହି ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦୁଝରରେ ଏହି ଦୁର୍ନୀତି ମାମଲାରେ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ମଧ୍ୟ ହୋଇଥିଲା।
ମନ୍ତ୍ରୀ ଯାହାକୁ ଦୁର୍ନୀତିଗ୍ରସ୍ତ ବୋଲି ଚିହ୍ନଟ କରି ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେହି ବରିଷ୍ଠ ଅଧିକାରୀଙ୍କୁ କୁଆଡ଼େ ସମ୍ପୃକ୍ତ ବିଭାଗର ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଥିଲା।ତା’ପୁଣି ଏହି ପ୍ରଭାବଶାଳୀ ମହିଳା ଆଇଏଏସଙ୍କ ଚାପରେ।
ଶୁଣିବାକୁ ମିଳୁଛି, ଏହି ମହିଳା ଆଇଏଏସ ପ୍ରାୟ ସାଢ଼େ ୫ବର୍ଷ ଧରି ଏହି ନିର୍ଦ୍ଦେଶାଳୟର ମୁଖ୍ୟ ଥିବାବେଳେ ପ୍ରାୟ ୧୭୦୦କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ କରିଛନ୍ତି। ଯାହାର ସିଂହଭାଗ କୁଆଡ଼େ କିଛି ଅଫିସରଙ୍କ ପକେଟକୁ ଯାଇଛି।ଏହି ମହିଳାଙ୍କ ପତି ରାଜ୍ୟର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଆଇଏଏସ ହୋଇଥିବାରୁ ସେହି ଭୟରେ କୁଆଡ଼େ ବିଭାଗର ସଚିବ କିମ୍ବା ମନ୍ତ୍ରୀମାନେ ମୁହଁ ଖୋଲିବାକୁ ସାହସ କରିପାରୁନଥିଲେ।
ପ୍ରକଳ୍ପ ନାଁରେ କୋଟିକୋଟି ଟଙ୍କା ଲୁଟ୍ ହେଉଥିଲେ ମଧ୍ୟ ଏସବୁ ଦୁର୍ନୀତିକୁ କାଗଜକଲମରେ ବାସ୍ତବ ବୋଲି ଦର୍ଶାଇଥିବା ସେହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଏବେ ସମ୍ପୃକ୍ତ ମ୍ୟାଡାମ କୁଆଡ଼େ ସେହି ବିଭାଗରେ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଇଛନ୍ତି ।
ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିବାବେଳେ ଏହି ମହିଳା ଆଇଏଏସ କୁଆଡ଼େ ସେହି ବିଭାଗରେ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ମାତ୍ର ଏହି ୩-୪ମାସ ହେଲା ସେ ଦାୟିତ୍ୱରୁ ଓହରି ଯାଇ ନିଜର ଜଣେ ଖାସ୍ ସହଯୋଗୀକୁ ନିର୍ଦ୍ଦେଶକ ପଦରେ ବସାଇଛନ୍ତି। ତା’ପୁଣି ଅସ୍ଥାୟୀ ଦାୟିତ୍ୱରେ।
ଚର୍ଚ୍ଚା ହେଉଛି, ଗତ ପ୍ରାୟ ୫ବର୍ଷ ମଧ୍ୟରେ ପ୍ରକଳ୍ପ ନାଁରେ ଆସିଥବା ପାଣ୍ଠିରୂ ପ୍ରାୟ ୫୦୦ କୋଟି ଟଙ୍କା ଏହି ପ୍ରଭାବଶାଳୀ ମହିଳା ଆଇଏଏସଙ୍କ କାର୍ଯ୍ୟକାଳ ମଧ୍ୟରେ ହଡ଼ପ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
