/odisha-reporter/media/post_attachments/uploads/2021/05/Mamata1.jpg)
Mamata1
କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ପୁଣିଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହେବାକୁ ଯାଉଛି। ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇ ଜିତିବ ବୋଲି ଯେଉଁ ଆକଳନ କରୁଥିଲା ତାହା ଏକ ପ୍ରକାର ଫେଲ୍ ମାରିଛି। ହେଲେ ରାଜ୍ୟରେ ବିଜେପି ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି। ୨୦୧୬ରେ ମାତ୍ର ୩ଟି ଆସନରେ ବିଜୟୀ ହୋଇଥିବା ବିଜେପି ଚଳିତଥର ୧୦୦ ପାଖାପାଖି ଆସନରେ ବିଜୟୀ ହେବ ବୋଲି ଜଣାପଡ଼ିଛି। ତେବେ ଟିଏମସି ଓ ବିଜେପି ଲଢ଼େଇରେ କଂଗ୍ରେସ ଏବଂ ବାମ ଦଳ ସଫା ହୋଇଯାଇଛି।
ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗକୁ ସର୍ବାଧିକ ଟାର୍ଗେଟ କରିଥିଲା। ବିଜେପି ସମସ୍ତ ହେବିଓ୍ୱେଟଙ୍କୁ ପ୍ରଚାର ମୈଦାନରେ ଓହ୍ଲାଇ ଟିଏମସିକୁ ଏକ ପ୍ରକାର କଡ଼ା ଟକ୍କର ଦେଇଥିଲା। ଯଦିଓ ଅଧିକ ଆସନରେ ବିଜୟୀ ହୋଇ ବିଜେପି ବିରୋଧୀ ଦଳ ଭାବରେ ଉଭା ହେବାକୁ ଯାଉଛି। ତେବେ ଟିଏମସି କେଉଁ କାରଣ ପାଇଁ ବିଜେପିକୁ ଚେକ୍ ଦେବାରେ ସଫଳ ହେଲା ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।
ନିର୍ବାଚନ ବିଶେଷଜ୍ଞଙ୍କ ମତ ଅନୁଯାୟୀ ମମତା ନିଜକୁ 'ବେଙ୍ଗଲର ଝିଅ' ବୋଲି କହି ବ୍ରାଣ୍ଡ ତିଆରି କରିଥିଲେ। ଯାହାକୁ ପଶ୍ଚିମବଙ୍ଗବାସୀ ସମର୍ଥନ କରିଛନ୍ତି। ସେହିପରି ସବୁଥର ପରି ମମତା ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କର ଏକ ବଡ଼ ସମର୍ଥନ ପାଇଥିଲେ। ତେବେ ବିଜେପି ନିର୍ବାଚନ ବେଳେ ନିଜ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା। ଆଉ ଟିଏମସି ଏହାର ଫାଇଦା ନେଇ କହିଥିଲା ବାହାର ଲୋକ ବଙ୍ଗଳାକୁ ଶାସନ କରିପାରିବେ ନାହିଁ। ଟିଏମସି ଏଭଳି କହି ଭୋଟରଙ୍କୁ କହିଥିଲା ବିଜେପି ଜିତିଲେ ରାଜ୍ୟ ବାହାର ଲୋକକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ।
ତେବେ ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ବେଳେ ମମତା ଆହତ ହୋଇ ବିଜେପିକୁ ଦାୟୀ କରିବା ଏବଂ ପ୍ଲାଷ୍ଟର ଗୋଡ଼ରେ ମାସେରୁ ଅଧିକ ଦିନ ମମତା ହ୍ୱିଲ ଚେୟାରରେ ନିରନ୍ତର ପ୍ରଚାର କରି ବିଜେପି ନେତୃତ୍ୱ ବିରୋଧରେ ଜୋରଦାର ପ୍ରଚାର କରିଥିଲେ। ଆଉ ଏହା ଲୋକଙ୍କ ସହାନୁଭୂତି ପାଇବାରେ ସକ୍ଷମ ହୋଇଥିଲେ।
ରାଜ୍ୟରେ ଦୁଷ୍କର୍ମ, ହତ୍ୟା, ଚାନ୍ଦା ଆଦାୟକୁ ନେଇ ଲୋକମାନେ ସରକାର ବିରୋଧରେ ମତ ରଖୁଥିଲେ। ହେଲେ ବିଜେପି ରାଜ୍ୟରେ ମମତାକୁ କାଉଣ୍ଟର କରିବା ଭଳି ନାରୀ ନେତ୍ରା ତିଆରି କରିପାରିନଥିଲା। ତେଣୁ ମହଳି ଭୋଟର ମମତାଙ୍କୁ ସମର୍ଥନ କରିଥିବା ଜଣାପଡ଼ିଛି। ବିଜେପି ଜୟ ଶ୍ରୀ ରାମ ନାରା ଦେଇ ପ୍ରଚାର କରିଥିବାରୁ ମୁସଲମାନ ଭୋଟରଙ୍କ ଆସ୍ଥା ଭାଜନ ହୋଇପାରିନଥିଲା ବିଜେପି। ଯାହାକି ମମତାଙ୍କୁ ବିଜୟୀ କରାଇବାରେ ସହାୟକ ହୋଇଥିଲା। ବିଜେପି ଦଳିତ, ପଛୁଆ ଏବଂ ଆଦିବାସୀଙ୍କୁ ଏକାଠି କରି ହିନ୍ଦୁ ଭୋଟ୍ ଏକାଠି କରିବାକୁ ଚେଷ୍ଟା କରିଥିଲା। ବିଜେପି ମତୁଆ ସମ୍ପ୍ରଦାୟକୁ ସଂପୂର୍ଣ୍ଣ ଭାବେ ଏକଜୁଟ କରିପାରିନଥିଲା। ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହାଙ୍କ ପରି ମମତା ବାନାର୍ଜୀଙ୍କ ଉପରେ ସିଧାସଳଖ ଆକ୍ରମଣ ମଧ୍ୟ ମମତାଙ୍କ ପ୍ରତି ସହାନୁଭୂତି ଗୋଟାଇବାରେ ସକ୍ଷମ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
