/odisha-reporter/media/post_attachments/uploads/2019/02/1-20.jpg)
1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଟିକେଟ୍ ପାଇବାକୁ ନେଇ ଅନିଶ୍ଚିତତାରେ ଥିବା ବିଜେଡି ନେତାମାନଙ୍କୁ ଏବେ କୁଆଡ଼େ ଖୋଲାଖୋଲି ଧମକ ମିଳୁଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେଡିର ନେତାମାନଙ୍କୁ କୁଆଡ଼େ ଦଳର ମୁଖିଆଙ୍କ ନାଁରେ ତୃତୀୟ ମହଲାର ବାବୁମାନେ ଧମକ ଦେବାରେ ଲାଗିଛନ୍ତି। ନବୀନ ନିବାସରେ ବୈଠକ ଆଳରେ ନେତାମାନଙ୍କୁ କୁଆଡ଼େ ଏଭଳି ଧମକ ଦିଆଯାଉଛି ଯେ ସେମାନେ ତାକୁ ସହି ପାରୁନାହାନ୍ତି କି କିଛି କହି ବି ପାରୁନାହାନ୍ତି। ନେତାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ପ୍ରସ୍ତୁତି ପ୍ରସଙ୍ଗରେ ଆଲୋଚନା କରିବା ଆଳରେ ନବୀନ ନିବାସ ଡକାଯାଉଛି ଓ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ କୁଆଡ଼େ ଏପରି ଧମକ ଦିଆଯାଉଛି।
ରାଜନୀତିକ ସ୍ତରରେ ନୁହେଁ ବରଂ ତୃତୀୟ ମହଲାର ଅଫିସରମାନେ ଯାହା ପାଇଁ ଯେଉଁଠି ଟିକେଟ୍ ଚୂଡ଼ାନ୍ତ କରିବେ, ତାକୁ ମାନିବା ପାଇଁ ଦଳୀୟ ନେତାଙ୍କୁ ବାଧ୍ୟ କରାଯାଉଛି। ଦଳ ପଛେ ୪-୫ଟି ସିଟ ହାରିଯାଉ, କିନ୍ତୁ ଦଳରେ ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି କ୍ଷମତାକେନ୍ଦ୍ର କୁଆଡ଼େ ରୋକଠୋକ୍ କହୁଛନ୍ତି। ନେତାମାନଙ୍କୁ ଏଭଳି ଧମକ ଦେଇ କୁଆଡ଼େ ପରୋକ୍ଷରେ ସେ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ହିଁ ସମର୍ଥନ କରିବାକୁ ହେବ ବୋଲି ଧମକ ଦିଆଯାଉଛି। ଟିକେଟ ହରାଇବା ଆଶଙ୍କା କାରଣରୁ କ୍ଷମତାକେନ୍ଦ୍ରଙ୍କ ଏଭଳି ଆଚରଣରେ ନେତାମାନେ ଚୁପ୍ ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ନିର୍ବାଚନରେ ସେମାନଙ୍କୁ ଟିକେଟ୍ ନମିଳିଲେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଯାଇ କାର୍ଯ୍ୟ କରିବାକୁ ସେମାନେ ପଛାଇବେ ନାହିଁ ବୋଲି ଏବେଠୁ କହି ବୁଲିଲେଣି।
ଦଳର ସାଂଗଠନିକ ବ୍ୟାପାରରେ ମୁଣ୍ଡ ପୂରାଇଥିବା ସରକାରୀ ଅଫିସରମାନଙ୍କର ଆଚରଣ ଦିନକୁ ଦିନ ଅଧିକ ରୁକ୍ଷ ହେଉଥିବାରୁ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି କିଛି ନେତାଙ୍କୁ ତ ନବୀନ ନିବାସର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ବି ରୁକ୍ଷ ବ୍ୟବହାର କରିବାକୁ କୁଆଡ଼େ ପଛାଉ ନାହାନ୍ତି। କେବଳ ଟିକେଟ ଆଶାରେ ନେତାମାନେ ଏସବୁ ସହି ଯାଉଥିଲେ ମଧ୍ୟ ତାହା ଆଗାମୀ ଦିନରେ ବିଜେଡିକୁ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
