/odisha-reporter/media/post_attachments/uploads/2019/07/IMG_1008.jpg)
IMG_1008
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିର ଗନ୍ତାଘର ପାଲଟିଥିବା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ରେ ଏବେ ଧଳାହାତୀ ପୋଷା ଚାଲିଛି ବୋଲି ଚର୍ଚ୍ଚା। ସରକାରୀ ନିୟମକୁ ଅଣଦେଖା କରି ମୋଟା ଅଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବେଆଇନ ଭାବେ ସମବାୟ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ କରାଯାଉଛି। ଆଉ ତାଙ୍କୁ ଯେତିକି ଦରମା ଦିଆଯାଉଛି ତାହା କୁଆଡ଼େ ରାଜ୍ୟର ମୁଖ୍ୟ ସଚିବଙ୍କ ଦରମାଠୁ ବି ଢେର ଅଧିକ।
ଶୁଣିବାକୁ ମିଳୁଛି, ବିଭିନ୍ନ ପ୍ରକାରର ଦୁର୍ନୀତିକୁ ନେଇ ଗତ କିଛିବର୍ଷ ଧରି ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ପରିଚାଳନାଗତ ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ରାଜ୍ୟ ସରକାର ଏହାକୁ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ଅୟସର ଆଡ୍ଡାସ୍ଥଳୀ କରିଛନ୍ତି। ସମବାୟ ବ୍ୟାଙ୍କ ମାଧ୍ୟମରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା କାରବାର କରୁଥିଲେ ମଧ୍ୟ ଏହି ଶୀର୍ଷ ସମବାୟ ବ୍ୟାଙ୍କରେ ଦୁର୍ନୀତି ତଥା ଅନିୟମିତତା ରୋକିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି। ସ୍ଥିତି ଏପରି ହେଉଛି ଯେ, ଯିଏ ବି ଦାୟିତ୍ୱରେ ରହୁଛି ସିଏ ଏହି ସଂସ୍ଥାକୁ ସୁଧାରିବା ପରିବର୍ତ୍ତେ କୁଆଡ଼େ ଲୁଟିବାରେ ଲାଗୁଛନ୍ତି।
ଚର୍ଚ୍ଚା ହେଉଛି, ଗତ ମାସରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କୁଆଡ଼େ ରାଜ୍ୟ ସମବାୟ ବ୍ୟାଙ୍କରେ ୩ଲକ୍ଷ ଟଙ୍କା ଦରମାରେ ‘ସିଷ୍ଟମ ହେଡ୍’ ଭାବେ ଥଇଥାନ କରାଯାଇଛି। ତାଙ୍କୁ ଦରମା ବ୍ୟତୀତ ସରକାରୀ କ୍ୱାର୍ଟର୍ସ, ଗାଡ଼ି, ଡ୍ରାଇଭର ଓ ପିଅନ ଆଦି ମଧ୍ୟ ଯୋଗାଇ ଦିଆଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ମୋଟାଅଙ୍କର ଦରମା ଓ ଶୀର୍ଷ ପଦବୀରେ ନିଯୁକ୍ତି ପାଇ କୁଆଡ଼େ ବ୍ୟାଙ୍କ ପକ୍ଷରୁ କୌଣସି ବିଜ୍ଞାପନ ଦିଆଯାଇନଥିଲା କିମ୍ବା କୌଣସି ଚୟନ ପ୍ରକ୍ରିୟା ହୋଇନାହିଁ। କେବଳ ‘ଚୁଜ୍ ଆଣ୍ଡ ପିକ୍ ’ ଫର୍ମୁଲାରେ ପ୍ରିୟାପ୍ରୀତି ତୋଷଣ କରି କୁଆଡ଼େ ଏଭଳି ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପାହ୍ୟାରେ ଥିବା କୌଣସି ଅଧିକାରୀଙ୍କୁ ମଧ୍ୟ ଏତେ ମୋଟା ଅଙ୍କର ଦରମା ମିଳୁନି।
ଶୁଣିବାକୁ ମିଳୁଛି, ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କୁଆଡ଼େ ମନଇଚ୍ଛା ନିଜର ଜଣେ ବନ୍ଧୁଙ୍କୁ ‘ସିଷ୍ଟମ ହେଡ୍’ ପଦବୀରେ ଥଇଥାନ କରାଇଛନ୍ତି। ଏଥିପାଇଁ ବ୍ୟାଙ୍କର ପରିଚାଳନା ବୋର୍ଡ କିମ୍ବା ଅନ୍ୟ କାହାଠୁ ପୂର୍ବ ଅନୁମତି ନିଆଯାଇନଥିଲା। ତା’ଛଡ଼ା ଏହି ପଦବୀ ପାଇଁ ଜଣେ ବ୍ୟକ୍ତିଙ୍କୁ ଏତେ ମୋଟା ଅଙ୍କର ଦରମା ବି କିଭଳି ଚୂଡ଼ାନ୍ତ କରାଗଲା, ତାକୁ ନେଇ କୁଆଡ଼େ ବ୍ୟାଙ୍କ ପରିଚାଳନା ବୋର୍ଡ ପ୍ରଶ୍ନ କରିଥିଲା। କିନ୍ତୁ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଜଣକ କୁଆଡ଼େ ନିଜକୁ ତୃତୀୟ ମହଲାର ଏଜେଣ୍ଟ କହି ଉକ୍ତ ବେଆଇନ ନିଯୁକ୍ତିକୁ ଯୁକ୍ତିସଙ୍ଗତ ବୋଲି ଦର୍ଶାଇବାକୁ ପ୍ରୟାସ କରୁଥିବା ଚର୍ଚ୍ଚା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
