/odisha-reporter/media/post_attachments/uploads/2019/01/CARTOON-FINAL-1.jpg)
CARTOON FINAL
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ବିଜେଡିରେ ଅନ୍ୟ ଦଳର ନେତାମାନଙ୍କୁ ସାମିଲ କରିବା ପାଇଁ କୁଆଡ଼େ କେତେକ ଜିଲ୍ଲାପାଳ ଓ ଏସପି ଏବେ ଡିଲ୍ କରୁଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜ୍ୟର ଯେଉଁସବୁ ଅଞ୍ଚଳରେ ବିଜେଡିର ସ୍ଥିତି ଅପେକ୍ଷାକୃତ ଦୁର୍ବଳ ରହିଛି ସେଠାରେ ଅନ୍ୟ ଦଳରୁ ନେତାମାନଙ୍କୁ ଆମଦାନୀ କରିବାର ପ୍ରାରମ୍ଭିକ ଦାୟିତ୍ୱ କୁଆଡ଼େ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କ ଉପରେ ନ୍ୟସ୍ତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟ କଥାବାର୍ତ୍ତା ଏହି ଜିଲ୍ଲାସ୍ତରର ଅଫିସରମାନଙ୍କ ମାଧ୍ୟମରେ ଆରମ୍ଭ ହେବାପରେ ତୃତୀୟ ମହଲା ତତ୍ପରତା ଦେଖାଇଥାଏ ଏବଂ ତା’ପରେ ହିଁ ସବୁକିଛି ଚୂଡ଼ାନ୍ତ ହୋଇଥାଏ।
ଚର୍ଚ୍ଚା ହେଉଛି, କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାକୁ ଗୋଡ଼ ଟେକି ବସିଥିବା କିଛି ବିଧାୟକଙ୍କ କ୍ଷେତ୍ରରେ କୁଆଡ଼େ ଏଭଳି ହୋଇଛି। ଏକ ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ କୁଆଡ଼େ ବିଜେଡିର ଦୁର୍ବଳ ସ୍ଥିତିକୁ ସଜାଡ଼ିବା ପାଇଁ ଅନ୍ୟ ଦଳରୁ ନେତାଙ୍କୁ ଆମଦାନୀ କରିବାର ଦାୟିତ୍ୱ ନେଇଥିଲେ। ସେହି ଜିଲ୍ଲାକୁ ବିଜେଡିର ପର୍ଯ୍ୟବେକ୍ଷକ ଗସ୍ତ କରୁଥିଲେ ମଧ୍ୟ ସେ କୁଆଡ଼େ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲାସ୍ତରର ଦଳୀୟ ନେତାଙ୍କୁ ସାଂଗଠନିକ କାର୍ଯ୍ୟକ୍ରମରେ ଆବଶ୍ୟକ ଗୁରୁତ୍ୱ ଦେଇପାରୁନଥିଲେ। ସ୍ଥାନୀୟ ସମୀକରଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଯେଉଁ ପରାମର୍ଶ ଦେଉଛନ୍ତି ତାକୁ କୁଆଡ଼େ ସିଏ ମାନିବାକୁ ଏକରକମ ବାଧ୍ୟ ହେଉଛନ୍ତି। ତା’ଛଡ଼ା ତୃତୀୟ ମହଲା ବି କୁଆଡ଼େ ସେଭଳି ସଙ୍କେତ ସମ୍ପୃକ୍ତ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ କୁଆଡ଼େ ଦେଇଛି।
ଚର୍ଚ୍ଚା ହେଉଛି, ସେହି ଜିଲ୍ଲାରୁ ଏବେ ୨ଜଣ ବିଧାୟକ କୁଆଡ଼େ ବିଜେଡି ଶିବିରରେ ସାମିଲ ହେବାକୁ ଗୋଡ଼ ଟେକି ବସିଛନ୍ତି। ଜିଲ୍ଲାପାଳଜଣକ ମଧ୍ୟସ୍ଥି ଭୂମିକା ତୁଲାଇ ସେହି ଦୁଇ ଅଣବିଜେଡି ବିଧାୟକଙ୍କୁ ପ୍ରଶାସନିକ କାର୍ଯ୍ୟରେ ଗୁରୁତ୍ୱ ଦେଇ ଆସୁଥିଲେ। ଯାହାର ଫାଇଦା ଉଠାଇ ଏହି ଜିଲ୍ଲାପାଳ ସମ୍ପୃକ୍ତ ଦୁଇ ବିଧାୟକଙ୍କୁ କୁଆଡ଼େ ଏବେ ବିଜେଡିରେ ସାମିଲ କରିବାର ମାର୍ଗକୁ ପ୍ରଶସ୍ତ କରିଛନ୍ତି।
କେବଳ ଏହି ଜିଲ୍ଲାପାଳ ନୁହନ୍ତି, ଉପକୂଳ ଓଡ଼ିଶାର ୨ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଅନୁରୂପ ଫର୍ମୂଲାରେ ରହିଛନ୍ତି। ଏବେ ରାଜ୍ୟରେ କାର୍ଯ୍ୟରତ ଅଧ ଡଜନେରୁ ଅଧିକ ପ୍ରଶାସକ(ଯୁଗ୍ମ ସଚିବ ବା ତଦୁର୍ଦ୍ଧ୍ଵ ପାହ୍ୟା ଅଫିସର) କୁଆଡ଼େ ବିଜେଡି ଟିକେଟରେ ଲଢ଼ିବାକୁ ସଜବାଜ ହେଲେଣି। ସେମାନେ ବି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ମାଧ୍ୟମରେ ନିଜ ସପକ୍ଷରେ ପୋଜିଟିଭ ରିପୋର୍ଟ କାର୍ଡ ତୃତୀୟ ମହଲାକୁ ପଠାଇବାକୁ ଲବି ଆରମ୍ଭ କରିଛନ୍ତି।
ଚର୍ଚ୍ଚା ହେଉଛି, ବିଜେଡି ଏଥର ଦଳୀୟ ଟିକେଟ ଚୂଡ଼ାନ୍ତ କରିବା ବେଳେ ଦଳର ନେତାମାନଙ୍କ ପରିବର୍ତ୍ତେ ଜଣେ ଆଇପିଏସଙ୍କ କଥାକୁ ଅଧିକ ପ୍ରାଥମିକତା ଦେଇଛି। ଆଉ ସେହି ଆଇପିଏସ ଅଧିକାରୀ କୁଆଡ଼େ ଦଳଡିଆଁଙ୍କୁ ଗ୍ରୀନ୍ ସିଗନାଲ ଦେବାଠୁ ଆରମ୍ଭ କରି ଦଳୀୟ ଟିକେଟ୍ ଚୂଡ଼ାନ୍ତ କରିବାରେ ମୁଖ୍ୟ ଭୂମିକା ତୁଲାଉଛନ୍ତି। ୨୦୧୪ ମସିହାରେ ଯେଉଁ ଆଇପିଏସ ଏଭଳି କାର୍ଯ୍ୟ କରୁଥିଲେ ତାଙ୍କ ପରିବର୍ତ୍ତେ ତାଙ୍କର ଶିଷ୍ୟଙ୍କୁ ତୃତୀୟ ମହଲା କୁଆଡ଼େ ଏଭଳି କାର୍ଯ୍ୟରେ ଲଗାଇଛି ବୋଲି ଚର୍ଚ୍ଚା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
