ରାଗ ଶୁଝାଉଛନ୍ତି ତୃତୀୟ ମହଲା ବାବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ମହଲାର ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଫିସର କୁଆଡ଼େ ଏବେ ଗୃହଭେଦୀ ବିଭୀଷଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କୁ ବିଗତ ଦିନରେ ଯେଭଳି ଅପମାନିତ କରାଯାଇଥିଲା ସେ କୁଆଡ଼େ ତା’ର ପ୍ରତିଶୋଧ ନେଉଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି,ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ଅଢ଼େଇ ବର୍ଷ ହେଲା କାମ କରୁଥିବା ଏହି ବାବୁଙ୍କୁ କୁଆଡ଼େ ପଞ୍ଚାୟତ ନିର୍ବାଚନରେ ବିଜେଡିର ଦୁର୍ବଳ ପ୍ରଦର୍ଶନ ପରେ ପ୍ରଭାବହୀନ କରି ଦିଆଯାଇଥିଲା। ସମ୍ପୃକ୍ତ ବାବୁଙ୍କର ଅପରିପକ୍ୱ […]

Gossip-Gali-1

Sampad Mahapatra
  • Published: Monday, 03 September 2018
  • , Updated: 03 September 2018, 04:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ମହଲାର ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଫିସର କୁଆଡ଼େ ଏବେ ଗୃହଭେଦୀ ବିଭୀଷଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କୁ ବିଗତ ଦିନରେ ଯେଭଳି ଅପମାନିତ କରାଯାଇଥିଲା ସେ କୁଆଡ଼େ ତା’ର ପ୍ରତିଶୋଧ ନେଉଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି,ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ଅଢ଼େଇ ବର୍ଷ ହେଲା କାମ କରୁଥିବା ଏହି ବାବୁଙ୍କୁ କୁଆଡ଼େ ପଞ୍ଚାୟତ ନିର୍ବାଚନରେ ବିଜେଡିର ଦୁର୍ବଳ ପ୍ରଦର୍ଶନ ପରେ ପ୍ରଭାବହୀନ କରି ଦିଆଯାଇଥିଲା। ସମ୍ପୃକ୍ତ ବାବୁଙ୍କର ଅପରିପକ୍ୱ ନିଷ୍ପତ୍ତି ଓ ନେତା-ଅଫିସରଙ୍କ ପ୍ରତି ରୁକ୍ଷ ଆଚରଣ ପାଇଁ ତାଙ୍କଠୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କାଢ଼ି ନିଆଯାଇଥିଲା।

ଏପରିକି ବିଡିଓ-ତହସିଲଦାର ବଦଳି କ୍ଷମତା ମଧ୍ୟ ତାଙ୍କଠୁ କାଢ଼ି ନେଇ ତୃତୀୟ ମହଲାର ଅନ୍ୟ ଅଫିସରଙ୍କୁ ଦିଆଯାଇଥିଲା। ଗତ କିଛିମାସ ହେଲା ସେ କେବଳ ୨ଟି ବିଭାଗର ଆତ୍ମଘୋଷିତ ସର୍ବେସର୍ବା ଭାବେ କାର୍ଯ୍ୟ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ କୁଆଡ଼େ ଏହି ଦୁଇ ବିଭାଗର ଚୂଡ଼ାନ୍ତ ନିଷ୍ପତ୍ତି ନେଉଛନ୍ତି।

ଇତିମଧ୍ୟରେ ସମ୍ପୃକ୍ତ ବାବୁ କୁଆଡ଼େ ତୃତୀୟ ମହଲାର ଜଣେ ଯୁଗ୍ମ ସଚିବ ପାହ୍ୟାର ମ୍ୟାଡାମଙ୍କୁ ପ୍ରଭାବିତ କରି ପୁଣିଥରେ କ୍ଷମତାକେନ୍ଦ୍ରଙ୍କ ନିକଟତର ହୋଇଛନ୍ତି। ଆଉ ବିଡିଓ ଓ ତହସିଲଦାର ବଦଳି ନିଷ୍ପତ୍ତି ନେବାର କ୍ଷମତା ତାଙ୍କୁ ପୁଣି ମିଳିଛି।

ମାତ୍ର ବାବୁ କୁଆଡ଼େ ତାଙ୍କ ପ୍ରତି ପୂର୍ବରୁ ହୋଇଥିବା ଅପମାନର ବଦଲା ନେବା ପାଇଁ ସେ ସପ୍ତାହକ ମଧ୍ୟରେ୨୫୦ ଓଏଏସ୍ ଅଫିସରମାନଙ୍କର ଏଭଳି ସମୂହ ବଦଳି ନିଷ୍ପତ୍ତି ନେଇଛନ୍ତି, ଯାହା କୁଆଡ଼େ ଓଏଏସ୍ ମହଲରେ ଅସନ୍ତୋଷର ବହ୍ନି ସୃଷ୍ଟି କରିଛି।

ଚର୍ଚ୍ଚା ହେଉଛି, ଅଗଷ୍ଟ ୩୦ତାରିଖରେ ଜାରି ଓ  ତାଙ୍କ ଦ୍ୱାରା ଚୂଡ଼ାନ୍ତ ହୋଇଥିବା ଓଏଏସଙ୍କ ବଦଳି ତାଲିକାରେ ମୋଟ ୨୯ଜଣ ଓଏଏସ୍ ଅଫିସର ଅଛନ୍ତି। ଆଉ ସେଥିରେ ୨୦ଜଣ ହେଉଛନ୍ତି ମହିଳା। ଆଉ ଏହି ମହିଳା ଅଫିସରମାନଙ୍କୁ ସିଏ କୁଆଡ଼େ ମନଇଚ୍ଛା ବଦଳି କରିଛନ୍ତି। କାହାକୁ ନକ୍ସଲ ପ୍ରଭାବିତ ଅଂଚଳ ତ ଆଉ କାହାକୁ ରାଜ୍ୟର ସୀମାବର୍ତ୍ତୀ ଇଲାକାକୁ ପଠାଇଛନ୍ତି। ଏପରିକି ମାତ୍ର ୧୦-୧୨ମାସ ପୂର୍ବରୁ ବଦଳି ହୋଇଥିବା ମହିଳା ଅଫିସର ବି ଏଥିରୁ ବାଦ୍ ପଡ଼ିନାହାନ୍ତି।

ଶୁଣିବା କଥା ହେଉଛି, ଓଏଏସରୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ପାଇଥିବା ଏହି ବାବୁଙ୍କୁ କିଛିମାସ ଧରି ତୃତୀୟ ମହଲାରେ କୋଣଠେସା କରାଯାଇଥିବାରୁ ସିଏ କୁଆଡ଼େ ଜାଣିଶୁଣି ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ସୁପାରିସକୁ ଶୁଣିନଥିଲେ। ନିର୍ବାଚନୀ ଋତୁରେ ଅଫିସରମାନଙ୍କ ଏଭଳି ବଦଳିରେ ଉଭୟ ଅଫିସର ଓ ନେତାମାନେ ଯେଭଳି ଖପ୍ପା ହେବେ ସେଥିପାଇଁ ସିଏ କୁଆଡ଼େ ଏଭଳି ଚାଲ୍ ଖେଳିଛନ୍ତି।

ଏପରି ହେଲେ ସରକାରଙ୍କ ପ୍ରତି ସେମାନଙ୍କ ଆକ୍ରୋଶ ବଢ଼ିବ ଓ ତାଙ୍କୁ ଅଣଦେଖା କରିବାର ଫଳ ଯେ କେତେ ମହଙ୍ଗା ହୋଇପାରେ, ତା’ର ପ୍ରମାଣ ଦେବାକୁ ସିଏ କୁଆଡ଼େ ପଛାଇ ନାହାନ୍ତି।

ତୃତୀୟ ମହଲାର ଅନେକ ଅକୁହା କଥାର ମୂକସାକ୍ଷୀ ଥିବାରୁ ତାଙ୍କୁ ସେଠାରୁ ହଟାଇବା ବି କୁଆଡ଼େ କ୍ଷମତାକେନ୍ଦ୍ରଙ୍କ ପାଇଁ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି ବୋଲି ଚର୍ଚ୍ଚା ।

Related story