Advertisment

୩ ଘରୋଇ ବ୍ୟାଙ୍କକୁ ସରକାରୀ ବ୍ୟାନ୍ : ୩ଦିନ ପୂରିଲାନି, ନେଲେ ୟୁ-ଟର୍ଣ୍ଣ,ଦେଲେ ସ୍ପଷ୍ଟୀକରଣ

ଅର୍ଥ ବିଭାଗର ସ୍ପଷ୍ଟୀକରଣ ଅନୁସାରେ, ଘରୋଇ ବ୍ୟାଙ୍କ ଏଚଡିଏଫସି, ଆଇସିସିଆଇ ଓ ଆକ୍ସିସ ବ୍ୟାଙ୍କ ସହ ରାଜ୍ୟ ସରକାର କେତେକ ନିର୍ଦ୍ଦିଷ୍ଟ କାରବାର ଜାରି ରଖିବେ ।

author-image
Ordigital Desk
ଅଦ୍ୟତନ ହୋଇଛି
LokaSeva Bhaban

LokaSeva Bhaban

ଦେଶର ୩ଟି ପ୍ରମୁଖ ଘରୋଇ ବ୍ୟାଙ୍କ ସହ ସମସ୍ତ ପ୍ରକାରର ବ୍ୟବସାୟିକ କାରବାର ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଆଜି ୟୁ-ଟର୍ଣ୍ଣ ନେଇଛନ୍ତି । ନିଜ ନିଷ୍ପତ୍ତିର ୩ଦିନ ନପୁରୁଣୁ ମଙ୍ଗଳବାର ଏକ ସ୍ପଷ୍ଟୀକରଣ ଜାରି କରି କିଛି ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଜାରି ରହିବ ବୋଲି କହିଛନ୍ତି । ରାଜ୍ୟ ଅର୍ଥ ସଚିବ ଶାଶ୍ୱତ ମିଶ୍ରଙ୍କ ଜୁନ୍ ୨୧ତାରିଖର ନିର୍ଦ୍ଦେଶନାମା ଓ ୨୪ତାରିଖର ନିର୍ଦ୍ଦେଶନାମାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

Advertisment

କ’ଣ ସ୍ପଷ୍ଟୀକରଣ ଦେଲା ଅର୍ଥ ବିଭାଗ

ଅର୍ଥ ବିଭାଗର ସ୍ପଷ୍ଟୀକରଣ ଅନୁସାରେ, ଘରୋଇ ବ୍ୟାଙ୍କ ଏଚଡିଏଫସି, ଆଇସିସିଆଇ ଓ ଆକ୍ସିସ ବ୍ୟାଙ୍କ ସହ ରାଜ୍ୟ ସରକାର କେତେକ ନିର୍ଦ୍ଦିଷ୍ଟ କାରବାର ଜାରି ରଖିବେ । ୨୧ତାରିଖରେ ଏହି ୩ଟି ଘରୋଇ ବ୍ୟାଙ୍କକୁ ରାଜ୍ୟ ସରକାର ନିଜର ତାଲିକାଭୁକ୍ତ ବ୍ୟାଙ୍କ ତାଲିକାରୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗର ସଚିବଙ୍କୁ ଅବଗତ କରାଯାଇଥିଲା । ଏହି ୩ଟି ବ୍ୟାଙ୍କରେ ଥିବା ଫିକ୍ସଡ୍ ଡିପୋଜିଟ୍ ଓ ଟର୍ମ ଡିପୋଜିଟକୁ ବାଦ୍ ଦେଇ ଅନ୍ୟ ସମସ୍ତ କାରବାର ବନ୍ଦ କରିବା ଓ ଅର୍ଥ ଅନ୍ୟ ତାଲିକାଭୁକ୍ତ ବ୍ୟାଙ୍କକୁ ସ୍ଥାନାନ୍ତର ନିମନ୍ତେ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମଙ୍ଗଳବାର ଜାରି ସ୍ପଷ୍ଟୀକରଣରେ ଅର୍ଥ ବିଭାଗର ସଚିବ ଶ୍ରୀ ମିଶ୍ର କହିଛନ୍ତି ଯେ, ଏହି ୩ଟି ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାରଙ୍କ ସଂସ୍ଥାର ଏସଏନଏ (ସିଙ୍ଗଲ ନୋଡାଲ ଏଜେନ୍ସୀ)ବ୍ୟାଙ୍କ ଆକାଉଣ୍ଟ, ପେମେଂଟ ଏଗ୍ରିଗେଟ୍ ଅବା ପେମେଂଟ ଗେଟୱେ ବ୍ୟାଙ୍କ ଆକାଉଣ୍ଟ, ଏଜେନ୍ସୀ ବ୍ୟାଙ୍କ ଆକାଉଣ୍ଟ(ସରକାରୀ ରାଜସ୍ୱ ସଂଗ୍ରହ ହେଉଥିବା ଆକାଉଣ୍ଟ) ଏବଂ ଏନପିଏସ/ପେନସନ୍ ଟଷ୍ଟ୍ର ବ୍ୟାଙ୍କ ଆକାଉଣ୍ଟ ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ ନିମନ୍ତେ ନୂଆ ଆକାଉଣ୍ଟ ଖୋଲାଯିବ ନାହିଁ ।

‘ଖରାପ ପ୍ରଦର୍ଶନ’ ଦର୍ଶାଇ ବ୍ୟାନ୍ କରିଥିଲେ ସରକାର

ବିଗତ ଦୁଇଟି ଆର୍ଥିକ ବର୍ଷରେ କେତେକ ପ୍ରମୁଖ ସରକାରୀ ଯୋଜନାରେ କ୍ରମାଗତ ଖରାପ ପ୍ରଦର୍ଶନ ସହ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ନିରାଶାଜନକ କାର୍ଯ୍ୟକୁ ଦୃଷ୍ଟିରେ ରଖି ୩ଟି ଘରୋଇ ଏଚଡିଏଫସି ବ୍ୟାଙ୍କ, ଆଇସିସିଆଇ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କକୁ ସରକାର ନିଜର ‘ତାଲିକାଭୁକ୍ତ ବ୍ୟାଙ୍କ’ ତାଲିକାରୁ ତତ୍କାଳ ପ୍ରଭାବରୁ ବାଦ୍ ଦେଇଥିବା ନେଇ ସବୁ ବିଭାଗକୁ ଅର୍ଥ ବିଭାଗ ଅବଗତ କରାଇଥିଲା । ସରକାରୀ ବିଭାଗ, ନିର୍ଦ୍ଦେଶାଳୟ, ମୁଖ୍ୟ କାର୍ଯ୍ୟାଳୟ, ପ୍ରତିଷ୍ଠାନ, ଏଜେନ୍ସୀ, ସରକାରୀ ଉଦ୍ୟୋଗ, ସୋସାଇଟି, ବିଶ୍ୱବିଦ୍ୟାଳୟ ଆଦି ରାଜ୍ୟ ସରକାରଙ୍କ ସମସ୍ତ ସଂସ୍ଥାଗୁଡ଼ିକୁ ମଧ୍ୟ ଏହି ୩ଟି ଘରୋଇ ବ୍ୟାଙ୍କରେ ଥିବା ସଂଚୟ ଖାତା, କରେଂଟ ଖାତା ଓ ଅନ୍ୟାନ୍ୟ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରି ସେଥିରେ ଥିବା ଅର୍ଥକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ । କେବଳ ଫିକ୍ସଡ୍ ଓ ର୍ଟମ ଡିପୋଜିଟକୁ ବାଦ୍ ଦେଇ ଅନ୍ୟ ସମସ୍ତ ଆର୍ଥିକ କାରବାର ଏହି ୩ଟି ଘରୋଇ ବ୍ୟାଙ୍କ ସହ ନକରିବାକୁ ଅର୍ଥ ବିଭାଗ କହିଥିଲା ।

Advertisment

୩ ଦିନରେ ୟୁ-ଟର୍ଣ୍ଣ କାହିଁକି

ଏହି ୩ଟି ଘରୋଇ ବ୍ୟାଙ୍କକୁ ସରକାରଙ୍କ ତାଲିକାରୁ ବାଦ୍ ଦେବାକୁ ୨୧ତାରିଖରେ ନିଷ୍ପତ୍ତି ନେଇଥିବା ଅର୍ଥ ବିଭାଗ କାହିଁକି ୩ଦିନ ପୁରୁଣୁ ୟୁ-ଟର୍ଣ୍ଣ ନେଇ କେତେକ ନିର୍ଦ୍ଦିଷ୍ଟ ସେବା ଜାରି ରହିବ ବୋଲି ନିର୍ଦ୍ଦେଶନାମା ଜାରି କଲା ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା । ୨୧ତାରିଖରେ ଏହି ୩ଟି ଘରୋଇ ବ୍ୟାଙ୍କକୁ ତାଲିକାରୁ ବାଦ୍ ଦେବାକୁ ନିଷ୍ପତ୍ତି ନେବାବେଳେ କ’ଣ ସରକାର ଏସବୁ ଦିଗ ପ୍ରତି ଅବଗତ ନଥିଲେ କି ବୋଲି ପ୍ରଶ୍ନ ଉଠିଛି । ଯଦି ଉକ୍ତ ଘରୋଇ ବ୍ୟାଙ୍କଗୁଡ଼ିକ ସହ ଉପରୋକ୍ତ ନିର୍ଦ୍ଦିଷ୍ଟ ସେବା ଯୋଗାଇ ଦେବା ପାଇଁ ବ୍ୟବସାୟିକ କାରବାର ଜାରି ରହିବ ତା’ହେଲେ ସେମାନଙ୍କୁ ବ୍ୟାନ୍ କରାଯିବା କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ହେବ । ତା’ଛଡ଼ା ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥା ମଧ୍ୟରେ ଏହି ବ୍ୟାନକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିବ । ଏହି ୩ଟି ଘରୋଇ ବ୍ୟାଙ୍କକୁ ସରକାର ସମ୍ପୂର୍ଣ୍ଣ ବ୍ୟାନ୍ କରିବା ପୂର୍ବରୁ କାହିଁକି ଏହାର ସାଇଡ୍ ଇଫେକ୍ଟ ଆକଳନ କରିନଥିଲେ ତାକୁ ନେଇ ବି ପ୍ରଶ୍ନ ଉଠିଛି । ଅବଶ୍ୟ ଆର୍ଥିକ ବର୍ଷର ମଧ୍ୟଭାଗରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ପାଣ୍ଠି ଆସୁଥିବା ଏସଏନଏ ଆକାଉଣ୍ଟରେ ପରିବର୍ତ୍ତନ କରିବାରେ ସମସ୍ୟା ରହିଛି । ପେମେଂଟ ଗେଟୱେ, ରାଜସ୍ୱ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଆକାଉଣ୍ଟ ଓ ପେନସନ୍ ଟ୍ରଷ୍ଟ ଆକାଉଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବାକୁ ସମ୍ପୃକ୍ତ ୩ଟି ଘରୋଇ ବ୍ୟାଙ୍କକୁ ମିଳିଥିବା ଆଶ୍ୱସ୍ତି ସେମାନଙ୍କୁ ପୂର୍ବଭଳି ସରକାରୀ ସଂସ୍ଥାଗୁଡ଼ିକ ସହ ବ୍ୟବସାୟିକ ଓ ଜମା କାରବାରକୁ ପ୍ରୋତ୍ସାହିତ କରିବ ବୋଲି ଜଣାପଡ଼ିଛି ।