Advertisment

ଏପଟେ ଲୁଟ୍, ସେପଟେ ଚାନ୍ଦା: ୮ ଖଣି ନିଲାମ ପାଇଁ ଟେଣ୍ଡର ଡାକିଲେ ସରକାର, ଟେଣ୍ଡର ପ୍ରାଇସ୍ ଉପରେ ନଜର

ରାଜ୍ୟର ପ୍ରାୟ ୨୩ଟି ଖଣି ଲିଜଧାରୀ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ଧାର୍ଯ୍ୟ ସୀମାଠୁ ଅଧିକ ଖଣିଜ ସାମଗ୍ରୀ ଉତ୍ତୋଳନ, ଲୁହାପଥର ଗ୍ରେଡ୍ (ମାନ)ରେ ଅନିୟମିତତା ଓ ରୟାଲିଟି କମ୍ ଆକଳନ କରିବା ଯୋଗୁ ରାଜକୋଷକୁ ୨୨୩୯୨.୫୧କୋଟି  ଟଙ୍କା କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ।

author-image
Ordigital Desk
ଅଦ୍ୟତନ ହୋଇଛି
Mines

Mines

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଶୁକ୍ରବାର ୮ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣିର ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବ ବିଜେଡି ସରକାର ସମୟରେ ଖଣିଗୁଡ଼ିକର ଇ-ନିଲାମ ପ୍ରକ୍ରିୟାରେ ସାମିଲ ହୋଇ କମ୍ପାନୀଗୁଡ଼ିକ ଯେଭଳି ଧାର୍ଯ୍ୟ ଦରଠୁ ୫୦-୬୦ ପ୍ରତିଶତ ପର୍ଯ୍ୟନ୍ତ ଚଢ଼ା ଦରରେ ଖଣିଗୁଡ଼ିକ ହାତେଇଥିଲେ ତାକୁ ନେଇ ସେତେବେଳେ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ପରେ ସିଏଜିଙ୍କ ଅଡିଟ୍ ରିପୋର୍ଟରେ ଏହି ଚଢ଼ାଦର ପଛର ଅସଲ ରହସ୍ୟ ଉଜାଗର ହୋଇଥିଲା । ତେଣୁ ବିଜେପି ସରକାରଙ୍କ ଦ୍ୱାରା ଡକାଯାଇଥିବା ଏହି ୮ଟି ଖଣି(୪ଟି ସମ୍ପୂର୍ଣ୍ଣ ନୂଆ)ର ନିଲାମ ପ୍ରକ୍ରିୟା ଓ ଟେଣ୍ଡର ପ୍ରାଇସ୍ ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ଗତବର୍ଷ ସେପ୍ଟେମ୍ବର ମାସରେ ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ଓଡ଼ିଶାକୁ ୨୨୩୯୨.୫୧କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି ସହିବାକୁ ପଡ଼ିଥିବା ଦର୍ଶାଇଥିଲେ । ଏପଟେ ମନଇଚ୍ଛା ଖଣି ଲୁଟ୍ କରି ରାଜ୍ୟ ରାଜକୋଷକୁ କ୍ଷତି ପହଂଚାଇଥିବା ଏହି ଖଣି ଲିଜଧାରୀମାନେ କିନ୍ତୁ ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦେବାରେ କାର୍ପଣ୍ୟ କରିନାହାନ୍ତି । ସିଏଜିଙ୍କ ଅଡିଟ ରିପୋର୍ଟ ଅନୁସାରେ ୮ଟି ଖଣିର ଲିଜଧାରୀଙ୍କ ବେଆଇନ ଖଣି କାରବାର ଯୋଗୁ ରାଜକୋଷକୁ ୬୯୬୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ୮ଟି ଖଣି କମ୍ପାନୀ ଦ୍ୱାରା ରାଜ୍ୟର ୩ ପ୍ରମୁଖ ଦଳକୁ ମୋଟ ୬୦୧କୋଟି ଟଙ୍କାର ରାଜନୀତିକ ଚାନ୍ଦା ଦିଆଯାଇଥିବା ଜଣାପଡ଼ିଛି ।

Advertisment

କେଉଁ ୮ଟି ଖଣି ବ୍ଲକ ହେବ ନିଲାମ, ଏପ୍ରିଲ ୨୫ସୁଦ୍ଧା ବିଡିଂ ଆବେଦନ

ରାଜ୍ୟ ସରକାର ୮ଟି ଖଣି ବ୍ଲକର ନିଲାମ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ଖଣିଗୁଡ଼ିକ ମଧ୍ୟରେ ୪ଟି ଖଣି ବ୍ଲକର ଲିଜ୍ ସମାପ୍ତ ସରିଥିବାବେଳେ ଅନ୍ୟ ୪ଟି ଖଣି ସମ୍ପୂର୍ଣ୍ଣ ନୂଆ । କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ଲେଖାଏଁ ଖଣି ରହିଛି । ରାଜ୍ୟ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଏସବୁ ଖଣିଜ ବ୍ଲକଗୁଡ଼ିକର ଲିଜ୍ ପ୍ରଦାନ ନିମନ୍ତେ ନିଲାମୀ ପ୍ରକ୍ରିୟା ପାଇଁ ଶୁକ୍ରବାର ବିଧିବଦ୍ଧ ଟେଣ୍ଡର ଆହ୍ୱାନ କରାଯାଇଛି । ଏମଏମଡିଆର ଆକ୍ଟ-୧୯୫୭ର ଧାରା-୧୦(ଖ)ରେ ପ୍ରଦତ୍ତ କ୍ଷମତା ଆଧାରରେ ରାଜ୍ୟ ସରକାର ଏହି ଖଣିଗୁଡ଼ିକର ଇ-ନିଲାମୀ କରିବା ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ୪ଟି ଲୁହାପଥର, ଗୋଟିଏ ଲୁହାପଥର ଓ ମାଙ୍ଗାନିଜ, ୨ଟି ମାଙ୍ଗାନିଜ୍ ଓ ଲୁହାପଥର ଏବଂ ଗୋଟିଏ ମାଙ୍ଗାନିଜ୍ ଖଣି ରହିଛି ।

ପ୍ରଥମଥର ପାଇଁ ବିଡିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ସମ୍ପୂର୍ଣ୍ଣ ନୂଆ ୪ଟି ଖଣି ହେଲା ସୁନ୍ଦସରଗଡ଼ ଜିଲ୍ଲାର ଝୁମକା-ପଥିରିପୋଷି ପଶ୍ଚିମ ଲୁହାପଥର ଖଣି ବ୍ଲକ, ଓରାହୁରି ମାଙ୍ଗାନିଜ୍ ଓ ଲୁହାପଥର ଖଣି ବ୍ଲକ ଓ ଭାଞ୍ଜିକୁସୁମ୍ ମାଙ୍ଗାନିଜ୍ ବ୍ଲକ ସମେତ କେନ୍ଦୁଝର ଜିଲ୍ଲାର ରୋଇଡ଼ା ଡି ମାଙ୍ଗାନିଜ୍ ବ୍ଲକ ରହିଛି । ସେହିପରି ଅନ୍ୟ ଯେଉଁ ୪ଟି ଖଣିର ଲିଜ୍ ଅବଧି ସମାପ୍ତ ହୋଇସାରିଛି ଓ ପୁଣିଥରେ ଲିଜ୍ ପ୍ରଦାନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ସେଗୁଡ଼ିକ ହେଲା କେନ୍ଦୁଝର ଜିଲ୍ଲାର ରୋଇଡ଼ା-ଆଇ ଲୁହାପଥର ଓ ମାଙ୍ଗାନିଜ୍ ଖଣି ବ୍ଲକ, ପୁତୁଲିପାଣି ଲୁହାପଥର ବ୍ଲକ, ଜଳାହୁରି ଲୁହାପଥର ଓ ମାଙ୍ଗାନିଜ୍ ବ୍ଲକ ସମେତ ସୁନ୍ଦରଗଡ଼ର କୋଇଡ଼ା ଲୁହାପଥର ଖଣି ବ୍ଲକ ରହିଛି । ଏହି ୪ଟି ଖଣିର ଲିଜ୍ ଅବଧି ସମାପ୍ତ ହୋଇସାରିଛି । କୋଇଡ଼ା ଲୁହାପଥର ଖଣିର ଲିଜ୍ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ଏସେଲ ମାଇନିଂ ପାଖରେ ରହିଥିଲା । କିନ୍ତୁ କମ୍ପାନୀ ୨୦୨୨ ଅଗଷ୍ଟ ମାସରେ ଏହି ଖଣି ରାଜ୍ୟ ସରକାରଙ୍କୁ ଫେରସ୍ତ କରିଦେଇଥିଲା । ଯାହାକୁ ଏଥର ନିଲାମ ପ୍ରକ୍ରିୟାରେ ସରକାର ସାମିଲ କରିଛନ୍ତି । ସେହିପରି ରୋଇଡ଼ା-ଆଇ ଲୁହାପଥର ଓ ମାଙ୍ଗାନିଜ୍ ଖଣି ବ୍ଲକର ଲିଜ୍ ଅବଧି ୨୦୨୧ ମସିହାରେ ସରିଯାଇଥିଲା । ଏହି ଖଣିର ଲିଜ୍ ମେସର୍ସ ମିଡଇଷ୍ଟ ଇଂଟିଗ୍ରେଟେଡ୍ ଷ୍ଟିଲ ଲିଃ ପାଖରେ ରହିଥିଲା । ପୁତୁଲିପାଣି ଲୁହାପଥର ଖଣିର ଲିଜ୍ ୨୦୨୧ରେ ଶେଷ ହୋଇଛି । ଉକ୍ତ ଖଣିର ଲିଜ୍ କଳିଙ୍ଗ କର୍ମସିଆଲ କର୍ପୋରେସନ୍ ଲିଃ ପାଖରେ ରହିଥିଲା । ସେହିପରି ଜଳାହୁରି ଲୁହାପଥର ଖଣି ଓ ମାଙ୍ଗାନିଜ୍ ବ୍ଲକର ଲିଜ୍ ଅବଧି ୨୦୨୧ ମସିହାରୁ ଶେଷ ହୋଇଛି ଓ ଏହା ମେସର୍ସ ମାଲା ରଏ ଆଣ୍ଡ ସନ୍ସ ପାଖରେ ରହିଥିଲା ।

Advertisment

ଏହି ଖଣିଗୁଡ଼ିକର ନିଲାମୀରେ ସାମିଲ ହେବାକୁ ଇଚ୍ଛୁକ ବିଡରଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏମଏସଟିସି ଲିମିଟେଡ୍ ୱେବସାଇଟରେ ପଞ୍ଜିକୃତ କରିବାକୁ ପଡ଼ିବ । ତା’ପରେ ଆବଶ୍ୟକ ଦସ୍ତାବିଜ ଦାଖଲ କରି ସେମାନେ ଇ-ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏହି ନିଲାମୀ ପ୍ରକ୍ରିୟାରେ ସାମିଲ ପାଇଁ ଟେଣ୍ଡର ଦସ୍ତାବିଜ କ୍ରୟ କରିବାର ଶେଷ ତାରିଖ ଏପ୍ରିଲ ୧୬ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ଟେଣ୍ଡର ଦସ୍ତାବିଜ ଦାଖଲର ଶେଷ ତାରିଖ ୨୦୨୫ ଏପ୍ରିଲ ୨୫ତାରିଖ ରହିଛି । ପ୍ରତ୍ୟେକ ଖଣିଜ୍ ବ୍ଲକ ପାଇଁ ଟେଣ୍ଡର ଦସ୍ତାବିଜ ବାବଦରେ ୫ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଟିକସ ଦାଖଲ କରିବାକୁ ପଡ଼ିବ ।

ଏପଟେ ଖଣିଲୁଟ୍, ସେପଟେ ରାଜନୀତିକ ଦଳକୁ ଚାନ୍ଦା

ସିଏଜିଙ୍କ ଦ୍ୱାରା ଉପସ୍ଥାପିତ ଅଡିଟ୍ ରିପୋର୍ଟରେ ଯେଉଁ ୨୩ଟି ଖଣି କମ୍ପାନୀର ନାଁ ରହିଛି ସେଥିରୁ ୮ଟି ଖଣି କମ୍ପାନୀ ଏଭଳି ଅଛନ୍ତି ଯେଉଁମାନେ ୨୦୧୫-୨୦୨୨ ମସିହା ମଧ୍ୟରେ ରାଜ୍ୟ ରାଜକୋଷକୁ କ୍ଷତି ପହଂଚାଇଛନ୍ତି । ଉତ୍ପାଦିତ ଲୁହାପଥରର କମ୍ ମୂଲ୍ୟାୟନ, ଧାର୍ଯ୍ୟ ସୀମା ବାହାରେ ଖଣିଜ ପଦାର୍ଥ ଉତ୍ତୋଳନ, ପରିବେଶ ଅନୁମତି ନଥାଇ ଖଣିଜ ପଦାର୍ଥ ଉତ୍ତୋଳନ, ରୟାଲିଟି ଫାଙ୍କିବାକୁ ବିକ୍ରି ଦସ୍ତାବିଜରେ ଅନିୟମିତତା ଆଦିରେ ସମ୍ପୃକ୍ତ ରହିଛନ୍ତି । ଏହି ୮ଟି ଖଣି ଲିଜଧାରୀଙ୍କ ଯୋଗୁ ୨୦୧୫-୨୦୨୨ ମସିହା ମଧ୍ୟରେ ରାଜ୍ୟର ୬୯୬୨କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି ହୋଇଛି । ଏହି ୮ଟି ଲିଜଧାରୀ କମ୍ପାନୀ ହେଲେ ଏସେଲ ମାଇନିଂ, ଜେଏସପିଏଲ, କେପି ଏଂଟରପ୍ରାଇଜେସ, ରୁଙ୍ଗଟା ସନ୍ସ, ପେଙ୍ଗୁଇନ୍ ଆଣ୍ଡ ଟ୍ରେଡ୍‌, ଏସଏନ ମହାନ୍ତି, କେଜେଏସ୍ ଆହଲୁୱାଲିଆ ଓ ଇନ୍ଦ୍ରାଣୀ ପଟ୍ଟନାୟକ । ଏହି ୮ଟି ଖଣି କମ୍ପାନୀ ଦ୍ୱାରା ୬୦୧ କୋଟି ଟଙ୍କା ରାଜନୀତିକ ଚାନ୍ଦା ଦିଆଯାଇଛି ଯେଉଁଥିରେ ସର୍ବାଧିକ ୪୫୩କୋଟି ଟଙ୍କା ବିଜେଡିକୁ, ୧୪୫କୋଟି ଟଙ୍କା ବିଜେପିକୁ ଓ ୩କୋଟି ଟଙ୍କା କଂଗ୍ରେସକୁ ଚାନ୍ଦା ମିଳିଥିବା ଜଣାପଡ଼ିଛି । ତେବେ ଏଥିରୁ ୪ଟି କମ୍ପାନୀ ଯଥା-ଏସେଲ ମାଇନିଂ, ଜେଏସପିଏଲ, କେପି ଓ ରୁଙ୍ଗଟା ସନ୍ସ ଏଭଳି ଅଛନ୍ତି ଯାହାଙ୍କ ପାଇଁ ରାଜକୋଷକୁ ୫୦୩୨କୋଟି ଟଙ୍କା କ୍ଷତି ହୋଇଛି କିନ୍ତୁ ସେମାନେ ବିଜେଡିକୁ ୩୯୬ କୋଟି ଟଙ୍କା, ବିଜେପିକୁ ୧୨୬କୋଟି ଓ କଂଗ୍ରେସକୁ ୩କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ତେବେ ଏଥିରୁ କେବଳ ଠାକୁରାଣୀ ଖଣିର ଲିଜଧାରୀ କେପି ଏଂଟରପ୍ରାଇଜେସ୍ ଦ୍ୱାରା କଂଗ୍ରେସକୁ ୩କୋଟି ଟଙ୍କା, ବିଜେପିକୁ ୧୪କୋଟି ଟଙ୍କା ଓ ବିଜେଡିକୁ ୧୦୫କୋଟି ଟଙ୍କା ଚାନ୍ଦା ଦିଆଯାଇଛି । ସେହିପରି ଜେଏସପିଏଲ୍ ଦ୍ୱାରା ବିଜେଡିକୁ ୧୦୦କୋଟି ଓ ବିଜେପିକୁ ୩କୋଟି ଟଙ୍କାର ଚାନ୍ଦା, ଏସେଲ ମାଇନିଂ ଦ୍ୱାରା ବିଜେଡିକୁ ୧୧୪କୋଟି ଟଙ୍କା ଓ ବିଜେପିକୁ ୫୯କୋଟି ଟଙ୍କା, ରୁଙ୍ଗଟା ଦ୍ୱାରା ବିଜେଡି ଓ ବିଜେପିକୁ ୫୦କୋଟି ଟଙ୍କା ଲେଖାଏଁ ଚାନ୍ଦା ଦିଆଯାଇଛି । ସେହିପରି ଏସଏନ ମହାନ୍ତି କମ୍ପାନୀ ଯୋଗୁ ରାଜ୍ୟକୁ ୬୧୭କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି ହୋଇଛି କିନ୍ତୁ ଏହି କମ୍ପାନୀ ବିଜେଡିକୁ ୩୦କୋଟି  ଚାନ୍ଦା ଦେଇଛି । କେଜେଏସ୍ ଆହଲୁୱାଲିଆ ଓ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଯଥାକ୍ରମେ ୪୬୯କୋଟି ଓ ୧୩୭୫କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି(ରାଜ୍ୟ ରାଜକୋଷ)ର ଘଟାଇଛନ୍ତି । ମାତ୍ର କେଜେଏସ୍ ଆହଲୁୱାଲିଆ ୧୪କୋଟି ଟଙ୍କା ଓ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି କମ୍ପାନୀ ବିଜେପିକୁ ୫କୋଟି ଟଙ୍କା ଚାନ୍ଦା ଦେଇଥିବାବେଳେ ଆର୍ସେଲର ମିତ୍ତଲ ଗ୍ରୁପ୍ ୩୫କୋଟି ଟଙ୍କା ଚାନ୍ଦା ବିଜେପିକୁ ଦେଇଛନ୍ତି ।

ସିଏଜି ଧରିଥିଲେ ୨୨୩୯୨କୋଟି ଟଙ୍କାର ରାଜକୋଷ କ୍ଷତି

ରାଜ୍ୟର ପ୍ରାୟ ୨୩ଟି ଖଣି ଲିଜଧାରୀ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ଧାର୍ଯ୍ୟ ସୀମାଠୁ ଅଧିକ ଖଣିଜ ସାମଗ୍ରୀ ଉତ୍ତୋଳନ, ଲୁହାପଥର ଗ୍ରେଡ୍ (ମାନ)ରେ ଅନିୟମିତତା ଓ ରୟାଲିଟି କମ୍ ଆକଳନ କରିବା ଯୋଗୁ ରାଜକୋଷକୁ ୨୨୩୯୨.୫୧କୋଟି  ଟଙ୍କା କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ । ଅର୍ଥାତ୍ ପରୋକ୍ଷରେ ଏହି ଖଣି କମ୍ପାନୀଗୁଡ଼ିକୁ ମନଇଚ୍ଛା କାରବାର କରିବା ନିମନ୍ତେ ପୂର୍ବ ବିଜେଡି ସରକାର ଆଖିବୁଜି ଦେଇଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ଏହି ୨୩ଟି ଖଣି ମଧ୍ୟରୁ ପ୍ରାୟ ୨୦ଟି ଖଣି ଲିଜଧାରୀଙ୍କ ନାଁ ଜଷ୍ଟିସ ଏମବି ଶାହା କମିଶନଙ୍କ ତଦନ୍ତବେଳେ ସାମ୍ନାକୁ ଆସିଥିଲା । ସିଏଜିଙ୍କ ଅଡିଟ୍ ରିପୋର୍ଟ ଅନୁସାରେ ୧୪ଟି କମ୍ପାନୀ ଦ୍ୱାରା ଉତ୍ତୋଳନ ହୋଇଥିବା ଲୁହାପଥରର କମ୍ ମୂଲ୍ୟାୟନ ଯୋଗୁ ୧୦୨୯୪କୋଟି ଟଙ୍କା ରାଜକୋଷକୁ କ୍ଷତି ହୋଇଛି । ସେହିପରି ୨୦୨୦ ଓ ୨୦୨୨ ମସିହା ମଧ୍ୟରେ ୬ଟି ଖଣିର ଲୁହାପଥର ଗ୍ରେଡକୁ ନିମ୍ନମାନର ଦର୍ଶାଇବା ଯୋଗୁ ପ୍ରାୟ ୪୧୬୨କୋଟି ଟଙ୍କା କ୍ଷତି ହୋଇଥିଲା । ଯେଉଁଥିରେ ଜେଏସଡବ୍ଲ୍ୟୁ ଷ୍ଟିଲ କମ୍ପାନୀ ୩ଟି ଖଣିର ଲିଜ୍ ନେଇଛି । ଅନ୍ୟ ୩ଟି ଖଣିର ଲିଜ୍ ଆର୍ସେଲର ମିତ୍ତ, ନର୍ଭେରାମ୍ ପାୱାର ଆଣ୍ଡ ଷ୍ଟିଲ ଓ କାଶଭୀ ଇଂଟରନ୍ୟାସନାଲ ପାଖରେ ରହିଛି । ସେହିପରି ୮ଟି ଖଣିରେ ଧାର୍ଯ୍ୟ ସୀମାଠୁ ଅଧିକ ଉତ୍ପାଦନ କରିବା ଯୋଗୁ ୩୬୧୮.୫୦କୋଟି ଟଙ୍କା ରାଜସ୍ୱ କ୍ଷତି ହୋଇଥିବା ସିଏଜିଙ୍କ ରିପୋର୍ଟରେ ଉଲ୍ଲେଖ ଅଛି । ଯେଉଁ ଖଣି ଲିଜଧାରୀ ମାଇନିଂ ପ୍ଲାନରେ ଧାର୍ଯ୍ୟ ତୁଳନାଠୁ ଅଧିକ  ଉତ୍ପାଦନ କରିଥିଲେ ସେମାନେ ହେଲେ ଏସେଲ ମାଇନିଂ, ଓଏମସି, କେପି, କେଏନରାମ, ରୁଙ୍ଗଟା, ଇନ୍ଦ୍ରାଣୀ ପଟ୍ଟନାୟକ, ଏସଏନ ମହାନ୍ତି ଓ ଜେଏନ ପଟ୍ଟନାୟକ । ଏଥିରେ ସବୁଠୁ ଅଧିକ ଉତ୍ପାଦନ ଏସେଲ ମାଇନିଂ କରିଥିବାବେଳେ ଇନ୍ଦ୍ରାଣୀ ପଟ୍ଟନାୟକ ଓ ଏସଏନ ମହାନ୍ତି ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି । କେଏନ ରାମ ଓ ଶାରଦା ମାଇନସ୍ ସମେତ ଅନ୍ୟ ଖଣି ଦ୍ୱାରା ପରିବେଶ ଅନୁମତି ବାହାରେ ଉତ୍ପାଦନ କରାଯାଇଥିବାରୁ ୧୬୦୦କୋଟି ଟଙ୍କା ଖଣି ରାଜସ୍ୱ କ୍ଷତି ହୋଇଛି । ଅନ୍ୟ ୭ଟି ଖଣି କମ୍ପାନୀ ରୟାଲିଟି ଫାଙ୍କିବା ପାଇଁ ନିଜର ବିକ୍ରି ଦସ୍ତାବିଜରେ ଅନିୟମିତତା କରିଥିବା ଯୋଗୁ ପ୍ରାୟ ୧୨୦୦କୋଟି ଟଙ୍କା ରାଜକୋଷକୁ କ୍ଷତି ହୋଇଥିବା ସିଏଜି ତାଙ୍କ ଅଡିଟରେ ଧରିଥିଲେ ।

ସୂଚନାଯୋଗ୍ୟ, ଦେଶର ପ୍ରାୟ ୫୭ ପ୍ରତିଶତ ଲୁହାପଥର ଉତ୍ପାଦନ ଓଡ଼ିଶାରେ ହେଉଛି । ରାଜ୍ୟରେ ଏବେ ପ୍ରାୟ ୬୦ଟି ଖଣି କାର୍ଯ୍ୟକ୍ଷମ ରହିଛି ଯାହାକି ୧୫୦ବର୍ଗକିମି ଅଂଚଳରେ ପରିବ୍ୟାପ୍ତ । ଓଡ଼ିଶାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତିର ତଦନ୍ତ କରି ଜଷ୍ଟିସ ଏମବି ଶାହା କମିଶନ ରିପୋର୍ଟ ଦେବା ପରେ ମଧ୍ୟ ଖଣି ରାଜସ୍ୱ ଲୁଟ୍ କରିବାରେ କମ୍ପାନୀଗୁଡ଼ିକ ଉପରେ ଲଗାମ ଲାଗି ପାରିନି । ଯାହାକି ୨୦୨୪ ସେପ୍ଟେମ୍ବର ମାସରେ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି ।

Odisha Mines