ବିଜେଡି ପାଇଁ ପ୍ରଚାର କରୁଛନ୍ତି ସରକାରୀ କର୍ମଚାରୀ, ଫେରାଦ ହେଲା ବିଜେପି

ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ସପକ୍ଷରେ ଭୋଟ୍ ଦେବା ପାଇଁ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରୁଥିବା ସରକାରୀ ଅଫିସର ଓ କର୍ମଚାରୀଙ୍କ ତାଲିକା ଦେଇଛି।

ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି

  • Published: Monday, 22 April 2024
  • , Updated: 22 April 2024, 10:54 PM IST

ବାରମ୍ବାର ଅଭିଯୋଗ ପରେ ବି ଶାସକ ବିଜେଡି ପ୍ରାର୍ଥୀଙ୍କ ପାଇଁ ସରକାରୀ କର୍ମଚାରୀମାନେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ସହ ସଭାକୁ ଲୋକ ପଠାଇବା, ଶପଥ କରାଇବା ଓ ଟଙ୍କା ବାଟିବା ଭଳି କାର୍ଯ୍ୟରେ ବିଜେଡି ଏହି ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରିଛି । ତେଣୁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବପର ହେବାକୁ ନେଇ ବିଜେପି ଆଶଙ୍କା ବ୍ୟକ୍ତ କରିଛି।

ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ସପକ୍ଷରେ ଭୋଟ୍ ଦେବା ପାଇଁ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରୁଥିବା ସରକାରୀ ଅଫିସର ଓ କର୍ମଚାରୀଙ୍କ ତାଲିକା ଦେଇଛି । ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ, ମହିଳା ପୁଲିସ ଅଧିକାରୀ ସରସ୍ୱତୀ ସ୍ୱାଇଁ, ଆଠଗଡ଼ ମେଡିକାଲ କିରାଣୀ ସନ୍ତୋଷ ମିଶ୍ର, ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳସେଚନ ଡିଭିଜନ କର୍ମଚାରୀ ପରମେଶ୍ୱର ମଲ୍ଲିକ, ବଲାଙ୍ଗୀର ଜିଲ୍ଲା ମିଶନ ଶକ୍ତି ପ୍ରୋଜେକ୍ଟ ମ୍ୟାନେଜର ସୁମନ ଦ୍ୱିବେଦୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବାକୁ ବିଜେପି ଦାବି କରିଛି । ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ବ୍ୟାନରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଫଟୋ ସହ ଦଳୀୟ ଚିହ୍ନ ଥାଇ ହେଉଥିବା ଇଦ୍ ଉଲ୍ ଫିତର ସଭାରେ ଚୌଦ୍ୱାର ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ମହିଳା ପୁଲିସ ଅଧିକାରୀ ସରସ୍ୱତୀ ସ୍ୱାଇଁ ଭାଷଣ ଦେଇଥିଲେ । ଯାହାକି ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରୁଛି ।

ସେହିପରି ଆଠଗଡ଼ ମେଡିକାଲର କିରାଣୀ ସନ୍ତୋଷ ମିଶ୍ର ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ପ୍ରଚାର କରୁଛନ୍ତି । ଭଦ୍ରକ ଜିଲ୍ଲା ସାଳନ୍ଦି ଜଳସେଚନ ଡିଭିଜନ ଅଫିସ କର୍ମଚାରୀ ପରମେଶ୍ୱର ମଲ୍ଲିକ ବଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ସହିତ ନିର୍ବାଚନ ପ୍ରଚାର କରୁଛନ୍ତି । ଯାହାର ଫଟୋ ଓ ଭିଡିଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଜେପି ପ୍ରତିନିଧିମଣ୍ଡଳୀ ।

ସେହିପରି ବଲାଙ୍ଗିର ଜିଲ୍ଲା ମିଶନ ଶକ୍ତିର ପ୍ରୋଜେକ୍ଟ ମ୍ୟାନେଜର ସୁମନ ଦ୍ୱିବେଦୀ ବିଜେଡିକୁ ଭୋଟ ଦେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପର ମହିଳାମାନଙ୍କୁ କଲ୍ କରି ଭୋଟ ଦେବାକୁ ଚାପ ପକାଉଛନ୍ତି । ଯଥାଶୀଘ୍ର ସୁମନ ଦ୍ୱିବେଦୀଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ତାଙ୍କର ମ୍ୟାନେଜର ପଦବୀରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ସରକାରୀ ଅଧିକାରୀମାନଙ୍କୁ ଯଦି ବିଜେଡି ଏଭଳି ବାରମ୍ବାର ନିଜର ନିର୍ବାଚନୀ ପ୍ରଚାର ଓ ଭୋଟ ହାତେଇବା ପାଇଁ ନିୟୋଜିତ କରେ, ତା’ହେଲେ ରାଜ୍ୟରେ ଅବାଧ ନିର୍ବାଚନ କିଭଳି ସମ୍ଭବପର ହେବ ବୋଲି ବିଜେପି ପ୍ରଶ୍ନ କରିଛି ।

ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ସମେତ ଉର୍ମିଳା ମହାପାତ୍ର, ଜୟନ୍ତ ଜେନା, ରଶ୍ମିରଞ୍ଜନ କାନୁନଗୋ, ବିଶ୍ୱଜିତ ସ୍ୱାଇଁ ଓ ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ସାମିଲ ଥିଲେ ।

Related story